Unknown

 

 

 

 

 

 

 

 

 

 

 

ଭାରତୀୟ ମହିଳା ପ୍ରସଙ୍ଗ

ଶ୍ରୀମତୀ ସରଳା ଦେବୀ

 

ସୂଚୀପତ୍ର

 

୧.

ହିନ୍ଦୁ ସମାଜରେ ନାରୀର ସ୍ଥାନ

୨.

ବାଲ୍ୟ ବିବାହ

୩.

ଯୁବତୀ ବିବାହ

୪.

ବିଧବା ବିବାହ

୫.

ପର୍ଦା ପ୍ରଥା

୬.

ଭାରତୀୟ ନାରୀ ଆନ୍ଦୋଳନ

୭.

ମତାଧିକାର ଆନ୍ଦୋଳନର ଇତିହାସ

୮.

ସାମାଜିକ ଅଧିକାର

୯.

ମହିଳା ଶିକ୍ଷା ପ୍ରଚାର

୧୦.

ଆର୍ଥିକ ଅଧିକାର

୧୧.

ରାଷ୍ଟ୍ରୀୟ ଆନ୍ଦୋଳନରେ ନାରୀ

୧୨.

ଭାବୀଯୁଗର ଉତ୍କଳୀୟ ମହିଳା

୧୩.

ଭାରତୀୟ ନାରୀମାନଙ୍କର ଆଇନଗତ ଅସୁବିଧା

୧୪.

ବୈବାହିକ ଅତ୍ୟାଚାର

Image

 

ହିନ୍ଦୁ ସମାଜରେ ନାରୀର ସ୍ଥାନ

 

ପ୍ରାଚୀନ କାଳରେ ଭାରତବର୍ଷରେ ନାରୀମାନଙ୍କ ପ୍ରତି ସମାଜ ଯେ ବିଶେଷ ସମ୍ମାନ ଦେଖାଉଥିଲା ଓ ଆଦର କରୁଥିଲା, ଏହାର ଭୂରି ଭୂରି ପ୍ରମାଣ ବେଦାଦି ଶାସ୍ତ୍ରମାନଙ୍କରେ ଦେଖିବାକୁ ମିଳେ । ସେହି କାଳରେ ନାରୀମାନଙ୍କର ଜୀବନ ଯାପନ କେବଳ ବିବାହରେ କେନ୍ଦ୍ରୀଭୂତ ନ ହୋଇ ନାନା ଦିଗରେ ବିସ୍ତୃତ ଥିଲା ଏବଂ ନାନା ଭାବରେ ପରିଚାଳିତ ହେଉଥିଲା । କୁମାରୀମାନେ ସର୍ବପ୍ରକାର ବିଦ୍ୟା ଅଧ୍ୟୟନ କରୁଥିଲେ । ଗୃହର ସାମ୍ରାଜ୍ଞୀ ତୁଲ୍ୟ ସମସ୍ତ ବିଷୟରେ ପରିଚାଳନା କରୁଥିଲେ । ଯଜ୍ଞ ହୋମ କରିବା ଶାସ୍ତ୍ରାଲୋଚନା କରିବା ଓ ଗୋ ସେବା କରିବା ଉଦ୍ୟାନ ନିର୍ମାଣ କରିବା ସଙ୍ଗେ ସଙ୍ଗେ ଯୁଦ୍ଧ ଓ ଅଭିଯାନାଦିରେ ମଧ୍ୟ ଯୋଗଦାନ କରୁଥିଲେ । ପୁରୁଷକୁ ସମସ୍ତ କାର୍ଯ୍ୟରେ ମନ୍ତ୍ରୀ ତୁଲ୍ୟ ପରାମର୍ଶ ଦେଉଥିଲେ । ବାର୍ଦ୍ଧକ୍ୟ ଅବସ୍ଥାରେ ସ୍ୱାମୀ ସହିତ ପାରଲୌକିକ ମୁକ୍ତି ନିମିତ୍ତ ତପଶ୍ଚର୍ଯ୍ୟା ଅବଲମ୍ବନ କରୁଥିଲେ । ସେମାନଙ୍କର ଆସନ ସମାଜରେ ଖୁବ୍‍ ଉଚ୍ଚ ଥିଲା । କନ୍ୟା ରୂପରେ, ପତ୍ନୀ ରୂପରେ, ମାତୃ ରୂପରେ, ଭଗ୍ନୀ ରୂପରେ, କୁମାରୀ ରୂପରେ, ପ୍ରଣୟିନୀ ରୂପରେ, ଗୃହଲକ୍ଷ୍ମୀ ଓ ତପସ୍ୱିନୀ ରୂପରେ, ତାର ମର୍ଯ୍ୟାଦା କୌଣସି ଅଂଶରେ ନ୍ୟୂନ ନ ଥିଲା ।

 

ଆର୍ଯ୍ୟମାନେ ଏ ପୃଥିବୀରେ ନାରୀକୁ ସଯତ୍ନରେ ରକ୍ଷା କରିବାକୁ ଜୀବନର ପ୍ରଧାନ ପୌରୁଷ ବୋଲି ବିବେଚନା କରିଛନ୍ତି ଏବଂ ଏହାର ସୁଦୃଢ଼ ପ୍ରମାଣ ମାତୃ ଜାତିକୁ ଲକ୍ଷ୍ମୀ, ସରସ୍ୱତୀ, ଆଦ୍ୟାଶକ୍ତି ପ୍ରଭୃତି ବର୍ଣ୍ଣନାରୁ ମିଳେ । କିନ୍ତୁ ସେ ଯୁଗ ଆଜି କାହିଁ ? ସେ ଆଦର ସେ ସମ୍ମାନ କେଉଁ ଆଡ଼େ ଉଭେଇ ଯାଇଛି । ଆଜି ସମାଜରେ ନାରୀର ସ୍ଥାନ କି ହେୟ କି ଅବହେଳିତ । ସମାଜର ବର୍ତ୍ତମାନ ଅବସ୍ଥାକୁ ବିଶେଷ ଭାବରେ ଆଲୋଚନା କଲେ ଏହାର ପ୍ରମାଣ ମିଳିବ ।

 

୧.

(କନ୍ୟା ରୂପରେ)

 

(କ)

ସମାଜରେ ଯେଉଁଠାରେ ବାଲ୍ୟବିବାହ ପ୍ରଚଳିତ ଅଛି; ସେଠାରେ କନ୍ୟା ଯଦି ଟିକିଏ ବଡ଼ ହୋଇଗଲା ଏବଂ ବର ମିଳିବାରେ ବିଳମ୍ବ ହେଲା, ତା ହେଲେ ସମାଜରେ କନ୍ୟାର ପିତାମାତା ଗଞ୍ଜଣା ସହିବା ସଙ୍ଗେ ସଙ୍ଗେ କନ୍ୟାର କପାଳରେ ଯେଉଁ ସବୁ କଟୁ ଓ ଶ୍ଳେଷ ବାକ୍ୟ ଥୁଆଯାଏ ତାହା ବର୍ଣ୍ଣନା କରିବାର ନୁହେଁ । ଅବଳା ନିର୍ଦ୍ଦୋଷୀ କନ୍ୟା ଆଖିରୁ ଲୁହ ଗଡ଼ାଇ ଗଡ଼ାଇ ଦିନ କାଟୁଥାଏ । ନିଜ ଆତ୍ମୀୟସ୍ୱଜନମାନଙ୍କଠାରୁ ସୁଦ୍ଧା ସେ ଯେଉଁ କୁବାକ୍ୟମାନ ନୀରବରେ ଶୁଣି ହଜମ କରେ ତାହା କିଏ ନ ଜାଣେ ?

 

 

 

 

(ଖ)

ଯେଉଁଠି ଯୁବତୀ ବିବାହ ପ୍ରଚଳିତ ସେଠାର ଦୁର୍ଦ୍ଦଶା କଣ ବୋଲି ବର୍ଣ୍ଣିବୁଁ ? ଝିଅ ବଡ଼ ହୋଇ ଘରେ ୩/୪ ବର୍ଷ ଅବିବାହିତା ରହିଲେ ସାଇପଡ଼ିଶାଙ୍କଠାରୁ ଆରମ୍ଭ କରି ବନ୍ଧୁବାନ୍ଧବ ପର୍ଯ୍ୟନ୍ତ ଯେଉଁ ସବୁ ଶ୍ଳେଷ ବିଦ୍ରୂପ ବାକ୍ୟମାନ ପ୍ରୟୋଗ କରନ୍ତି, ତା ଯେ କିପରି ଅପମାନ ସୂଚକ ଓ ମର୍ମଭେଦୀ ତାହା କେବଳ ଅନୁଭବୀ କୁମାରୀ ଯୁବତୀ ଛଡ଼ା ଆଉ କିଏ ଜାଣିବ ?

 

 

 

 

(ଗ)

କନ୍ୟାମାନଙ୍କ ଦୁରବସ୍ଥା ସମ୍ବନ୍ଧରେ ଯାହା ସବୁ କୁହାଗଲା, ତାହା ସଙ୍ଗେ ସଙ୍ଗେ ସେ ପାଇବା ଆଦର ମଧ୍ୟ ଏଠାରେ ଉଲ୍ଲେଖ କରିବା ପ୍ରୟୋଜନ ବୋଲି ମନେ ହୁଏ । ଦୁହିତାର ସୁଖସ୍ୱାଚ୍ଛନ୍ଦ୍ୟ ନିମିତ୍ତ ପିତାମାତା ଯେଉଁ, ସବୁ ବ୍ୟବସ୍ଥା କରିଥାଆନ୍ତି, ତାକୁ କେହି ଅସ୍ୱୀକାର କରିପାରିବ ନାହିଁ, ଏହା ସତ୍ତ୍ୱେ ସେ ଯେଉଁ ଦୁଃଖର ଭାଗିନୀ ହୁଏ ତାହା ପାଉଥିବା ଆଦର ଅପେକ୍ଷା ବଳି ପଡ଼େ ।

 

 

 

 

(ଘ)

କନ୍ୟା ଅବିବାହିତା ହେଉ ବା ବିବାହିତା ହେଉ ପିତାର କିମ୍ବା ଭ୍ରାତାର ପରିବାରରେ ତାହାର କୌଣସି କର୍ତ୍ତୃତ୍ୱ କିମ୍ବା ଦାୟିତ୍ୱ ନାହିଁ । ସେ ସାଧାରଣତଃ ‘‘ପରପରି’’ ବ୍ୟବହାର ପାଏ ।

 

 

 

 

(ଙ)

ପତ୍ନୀ ରୂପରେ–ପରିବାରରେ ପତ୍ନୀର ଅଧିକାର କଥା ଆଲୋଚନା କଲା ବେଳକୁ ଆମ ଦେଶରେ ପ୍ରଚଳିତ ଗୋଟିଏ ପ୍ରବଚନ ମନରେ ଆସେ ତାହା ଏହି ‘‘ସିନ୍ଦୁକ ବାକ୍‍ସ ତୋର, ଚାବି-ମୁଠାଟିକ ମୋର’’ । ଘରର ଲିପା ପୋଛା, ହାଣ୍ଡିଧୂଆ, ଗୋବରପାଣି ପକା, ରନ୍ଧା ବଢ଼ା, ଅଇଁଠା ମଜା, ଲୁଗା କଚା ପ୍ରଭୃତି ଯାବତୀୟ ବିଷୟରେ ‘‘ଗୃହକର୍ତ୍ତୀ’’ଙ୍କର ଅଧିକାର ଥାଏ । ଟଙ୍କା କଉଡ଼ି କାରବାର କରିବା ଓ ନିଜେ ବିଚାରି ଭଲ କାର୍ଯ୍ୟରେ ଦେବା ନେବା ପ୍ରଭୃତିରେ ହାତ ତାଙ୍କର ଆଦୌ ନ ଥାଏ । ଯେଉଁଠି ବା ‘‘କୋଷାଧ୍ୟକ୍ଷ’’ ପରି ଟଙ୍କା କଉଡ଼ି ରଖିଥାନ୍ତି, ସେଠି ମଧ୍ୟ ନିଜ ବିବେଚନାରେ ସ୍ୱାଧୀନ ଭାବରେ କୌଣସି ଗୋଟାଏ କାମ କରିବା ବା ଖର୍ଚ୍ଚ କରିବା ତାଙ୍କର ଅଧିକାର ବହିର୍ଭୂତ । ଅବଶ୍ୟ କେତେକ ସ୍ଥାନରେ ଗୃହ କାର୍ଯ୍ୟରେ ନାରୀଙ୍କର ବିଶେଷ ଅଧିକାର ଥିବାର ଦେଖାଯାଏ, କିନ୍ତୁ ସେମାନଙ୍କର ସଂଖ୍ୟା ନିତ୍ୟାନ୍ତ କମ୍ ଏଥିରେ ସନ୍ଦେହ ନାହିଁ । ଗୃହିଣୀ ରୂପରେ ମହିଳାମାନଙ୍କର ବର୍ତ୍ତମାନ ପରିବାରମାନଙ୍କର ଯେଉଁ ଅଧିକାର ଦେଖାଯାଏ ତାହା ସେମାନେ ଅନୁଭବ କରିଥାନ୍ତି । କୁଟୁମ୍ବର ଆଭିଜାତ୍ୟରୁ ଆର୍ଥିକ ଅବସ୍ଥା କିମ୍ବା ପିତାମାତାଙ୍କ ଦୋଷ ଗୁଣରୁ ଯେଉଁଥିପାଇଁ କନ୍ୟା ଦାୟୀ ନୁହେଁ, ଯଦି ଏହି କାରଣରୁ ବର ନ ମିଳେ, ତେବେ ସୁଦ୍ଧା କନ୍ୟା ମୁଣ୍ଡରେ ଚଡ଼କ ପଡ଼ିବା ବାଦ ଯାଏ ନାହିଁ । ‘‘ଅଲକ୍ଷଣୀ’’ ‘‘କୁଳକଳଙ୍କିନୀ’’, ଆଉଟିକେ ଅଗ୍ରସର ହେଲେ, ତାର ଚରିତ୍ରକୁ ମଧ୍ୟ କଟାକ୍ଷ କରାହୋଇ କୁହା ହୋଇଥାଏ । କେଉଁଠି, କେଉଁଠି, ମଫସଲରେ ସାଧାରଣତଃ ସହରରେ ବେନାମୀ ଚିଠି କେତେ ଡାକରେ ପଡ଼ିଥାଏ । ଏହି ଅବସ୍ଥାରେ ସେ କନ୍ୟା ଘରେ ଯେପରି ଗୋଟିଏ ନିର୍ଜୀବ ପଦାର୍ଥ, ସେହିପରି ଭାବରେ ବ୍ୟବହାର ପାଏ । ପ୍ରତିଦିନ ତାର ମରଣ ହୁଏ । ତାର ଜୀବନ କି ଯନ୍ତ୍ରଣାମୟ ତାହା କହିଲେ ସରିବ ନାହିଁ । ଯଦି ଦୈବ ଦୁର୍ବିପାକରୁ ଏଭଳି କନ୍ୟାମାନେ ପିତୃମାତୃହୀନା ଓ ଦରିଦ୍ରଗୃହସ୍ଥ ଘରର ହୋଇଥାଆନ୍ତି ତେବେ ଯେତେଦିନ ଯାଏ ସେମାନେ ଦୋବେହୀ, ବୃଦ୍ଧ, କେପାଁ, କୁଜା, ଛୋଟା, ମୂର୍ଖ, ନିଶାଖୋର, କୁତ୍ସିତ, ରୋଗୀ, କୁରୂପ ଏହି ଗୁଣ ଓ ରୂପକାରୀ କୌଣସି ଉପଯୁକ୍ତ ପାତ୍ର ନ ମିଳିଛି, ସେତେଦିନ ପର୍ଯ୍ୟନ୍ତ ବାକ୍ୟ ବାଣ ସହିତରେ ସେମାନଙ୍କଦ୍ୱାରା ଅନ୍ୟର ଉଚ୍ଛିଷ୍ଟ ପାତ୍ରମାନ ଧୁଆଇବା, ରୋଷାଇ କରାଇବା, ପିଠଉ ଆଦି ବଟାଇବା, ଦ୍ୱାର ଘର ପହଁରାଇବା, ଘରେ ଛୁଆଥିଲେ, ତାଙ୍କର ମୂତ୍ର ପୁରୀଷ ସାଫଠାରୁ ନାନା କାର୍ଯ୍ୟ ଆଦି କରାଇବା ସବୁ ପ୍ରକାର କାର୍ଯ୍ୟ ସେମାନଙ୍କ ଠାରୁ ଆଦାୟ କରାହୋଇ ସେମାନଙ୍କୁ ଭୋଜନ ଓ ଆଚ୍ଛାଦନ ମିଳିଥାଏ । ଏହା ବ୍ୟତୀତ କନ୍ୟା ଯଦି ବିକଳାଙ୍ଗୀ, ରୁଗ୍‍ଣା କିମ୍ବା କୁତ୍ସିତା ହୋଇଥିବ, ତେବେ ତାର ଜୀବନରେ ରାବଣର ଚିତା ଦିନରାତି ଜଳୁଥାଏ । ତାକୁ ଅଧିକାଂଶ ସ୍ଥଳରେ କେହି ବିବାହ କରନ୍ତି ନାହିଁ । ସେଥିପାଇଁ ଶୋଚନା ନ ହେବା କଥା । କିନ୍ତୁ ବାପଘରେ ରହି ସେ ଯେତେ ଦୁଃଖ ପାଏ, ତାହା ବର୍ଣ୍ଣନାତୀତ । ଶାଶୁଘରକୁ କପାଳଗୁଣେ ଯଦି ସେ ଯାଏ, ତେବେ ସେଠି ବାକ୍ୟ ଯନ୍ତ୍ରଣା ଓ ସ୍ଥଳବିଶେଷରେ ପ୍ରହାର ଆଦି ଚାରିଗୁଣ ବଢ଼ିଥାଏ । ଏହିତ ବୟସ୍କା କୁମାରୀର ଜୀବନ । ପୁଣି ସମାଜର ଗୋଟିଏ ଜ୍ୱଳନ୍ତ ଅତ୍ୟାଚାର ହେଉଛି କନ୍ୟାମାନଙ୍କୁ ମୂର୍ଖ କରି ରଖି ସେମାନଙ୍କୁ ଉପଯୁକ୍ତ ଶିକ୍ଷା ନ ଦେଇ ଜୀବନ ମାଟି କରିଦେବା-। ଯେଉଁଠି ବା ଅଧିକାର ଦେଖାଯାଏ, ସେଇଠି ଗୃହକର୍ତ୍ତାଙ୍କର ଦୟାରୁ କିମ୍ବା ତାଙ୍କର ଅପାରଗତାରୁ ମିଳିଥାଏ । ଏହିପରି ଘଟଣା ସ୍ଥଳରେ ସାଧାରଣତଃ ଗୃହର ଚାକର ପୁଝାରୀ ମାନଙ୍କଠାରେ ମଧ୍ୟ କିଛି କିଛି ଅଧିକାର ଦିଆଯାଇ ଥିବାର ଦେଖାଯାଏ । ଏତ ଗଲା ଅଧିକାର କଥା । ଆମ୍ଭେମାନେ ଦେଖିବାକୁ ପାଉଁ, ଖାଲି ଟଙ୍କା କଉଡ଼ି କି ଘର ବିଷୟର ଅଧିକାର ନେଇ ନୁହେଁ, ମତାନ୍ତର, ମନାନ୍ତର ହେଲେ ପତ୍ନୀ ପତିଠାରୁ ପ୍ରହାର ଓ ଅପମାନ ଲାଞ୍ଛନା ଭୋଗ କରିଥାଏ । ପତ୍ନୀର ଦାୟିତ୍ୱ ସମାଜରେ ଯାହା ଅଛି, ତାହା କାହାରିକୁ ଅଜଣା ନୁହେଁ । ସଂସାର ରକ୍ଷୟିତ୍ରୀ ସେ, ପାଳୟିତ୍ରୀ ସେ, ଜାତି ତାହାକୁ କେନ୍ଦ୍ର କରି ଗଠିତ ହୋଇ ବିବୃଦ୍ଧ ହୋଇ ଚାଲିଛି, କିନ୍ତୁ ଏହି ଗୁରୁତର ଦାୟିତ୍ୱ ପରିବର୍ତ୍ତରେ ସେ ଦାବୀ କରେ କେବଳ କେଉଁଥିରେ ? –ଅଭିଭାବକ ବା ପତିଙ୍କଠାରୁ କେବଳ ‘‘ଖୋରାକ ପୋଷାକ’’ । ସେ ସମାଜକୁ ଯେତିକି ମୂଲ୍ୟର ସଉଦା ଦେଉଛି ତା ଅନୁପାତରେ ମୂଲ୍ୟ ପାଉଛି କି ଅକିଞ୍ଚିତକର । ଆଇନରେ ମଧ୍ୟ ତାହାପାଇଁ ସେତିକି ବ୍ୟବସ୍ଥା । ଆଇନ ତ ସ୍ୱର୍ଗରୁ ଖସି ନାହିଁ ? ତାକୁ ତିଆରିଛନ୍ତି ଆମ ଦେଶର ହିନ୍ଦୁଜାତୀୟ ପୁରୁଷମାନେ !

 

 

 

 

 

ତାର ସମାଜରେ କି ଆର୍ଥିକ କି ପରମାର୍ଥିକ କେଉଁଥିରେ ଅଧିକାର ନାହିଁ, ଯାହା ବା ଅଛି, ତାହା ଅଧିକାର ପଦବାଚ୍ୟ ନୁହେଁ ।

 

 

 

 

(ଚ)

ମାତୃରୂପରେ–ପତ୍ନୀର ବିଷୟ ଯାହା, ମାତାର ବିଷୟ ପ୍ରାୟ ସେଇୟା । ତେବେ ସ୍ୱାଭାବିକ ସ୍ନେହ ଓ ମମତା ମାତାଠାରେ ପୁତ୍ରଙ୍କର ଥାଏ ବୋଲି, ପତ୍ନୀକୁ ଯେତେ କୁତ୍ସିତ ଭାବରେ ବ୍ୟବହାର କରାଯାଏ, ମାତା ପ୍ରତି ତା ଠାରୁ ଉଣାଇଶ ବିଶ ଊଣା ହେବ । ତଥାପି ଅଧିକାର କଥା ଦେଖିଲେ, ତାହାର ଅଦୃଷ୍ଟ ମଧ୍ୟ ପତ୍ନୀର ଅଦୃଷ୍ଟ ପରି ଫଟା । ସ୍ଥଳବିଶେଷରେ ଯେ ଦୁର୍ବୃତ୍ତ ପୁତ୍ରମାନଙ୍କଦ୍ୱାରା ମାତା ପ୍ରହାର ନ ଖାଏ ବା ଅପମାନ ଲାଞ୍ଛନା ନ ଶୁଣେ, କିମ୍ବା ଉପବାସାଦିରେ ନ ପଡ଼େ, ଏକଥା ନୁହେ । ଆହୁରି ମଧ୍ୟ ବିବାହପରେ ପୁତ୍ରମାନେ ଅନେକ ସ୍ଥଳରେ ମାତାପ୍ରତି ଘୋର ଅବହେଳା ଦେଖାଇ ଥାଆନ୍ତି । ସ୍ଥାନେ ସ୍ଥାନେ ଅବିଚାର ମଧ୍ୟ କରି ମାତାଠାରୁ ପୃଥକ୍‌ ଅନ୍ନରେ ପତ୍ନୀ ସହିତ ବାସ କରିଥାନ୍ତି । ଏହି ତ ଆମ ସମାଜରେ ମାତୃପୂଜାରେ ଉଦାହରଣମାନ । ତେବେ ଅଶିକ୍ଷିତ ଲୋକେ, ମଫସଲରେ ଏପରି ଭାବରେ ମାତା ସହିତ ବ୍ୟବହାର ଯେତେ ପରିମାଣରେ କରନ୍ତି, ସହରର ଶିକ୍ଷିତ ଲୋକେ ତା ଅପେକ୍ଷା ବେଶି କରିଥାନ୍ତି । ତେବେ ମାତାଙ୍କର ସେବା ସୁଶ୍ରୂଷା ଯେ ପୁତ୍ରମାନେ ମୋଟେ ନ କରନ୍ତି ଏହା ନୁହେଁ, କିନ୍ତୁ ଗର୍ଜ୍ଜନ ଯେତେ ବର୍ଷଣ ତାଠାରୁ କମ୍‌, ଏହି ପ୍ରଭେଦ ।

 

 

 

 

(ଛ)

ବିଧବାରୂପରେ–ପୂର୍ବକାଳରେ ବିଧବାମାନଙ୍କୁ ଯେପରି ସମ୍ମାନ କରୁଥିଲେ ଓ ମାତୃରୂପରେ, ଭଗିନୀରୂପରେ ଦେଖୁଥିଲେ ବର୍ତ୍ତମାନ ତାହାର ସମ୍ପୂର୍ଣ୍ଣ ପରିବର୍ତ୍ତିତ ଅବସ୍ଥା ଦେଖୁଛୁଁ । ବିଧବାର ସମାଜରେ ସ୍ଥାନ କେଉଁଠି ? ରୋଷାଇଘରେ, ଢିଙ୍କିଶାଳେ । ଘରେ ଘରେ କେତେ ବିଧବା ଅସମ୍ମାନରୁ, ଅପମାନରୁ ମୁକ୍ତି ନିମନ୍ତେ, ତାଙ୍କର ଯନ୍ତ୍ରଣାମୟ ଜୀବର ଉପସଂହାର କରିବା ପାଇଁ ବିଷଖାଇ ଆତ୍ମହତ୍ୟା କରୁଛନ୍ତି, ଏହାର ଖବର ସମାଜ ରଖେ କି ? ଏହି ବିଧବାଗଣ ମାନବୋଚିତ ବ୍ୟବହାର ପାଆନ୍ତି କି ? ସମାଜରେ ଏମାନଙ୍କର ଉନ୍ନତିପାଇଁ ଲୋକେ କି ବ୍ୟବସ୍ଥା କରିଛନ୍ତି ? ଏମାନେ ସମାଜର ଗଳଗ୍ରହରୂପେ କେବଳ ପରିଗଣିତ ହୋଇ ନାହାଁନ୍ତି, ଶୁଭାଶୁଭ କର୍ମ୍ମରେ ସେମାନଙ୍କର ମୁହଁ ଚାହିଁବା କିମ୍ବା ସେମାନଙ୍କୁ ଛୁଇଁବାରେ ଅମଙ୍ଗଳ ଆଶଙ୍କାକରା ହୋଇଥାଏ । ସେମାନଙ୍କର ଭଲ ଲୁଗା ପିନ୍ଧିବା, ଭଲ ଖାଇବା ଓ ଲଗାଇବା ସମାଜ ଜବରଦସ୍ତିକରି ନିଷେଧ କରିଛି । ତାଙ୍କପାଇଁ ଯେ ସାମାଜିକ କଠୋର ଦଣ୍ଡମାନ ରହିଅଛି ଓ ସେହି ଦଣ୍ଡରେ ଦଣ୍ଡିତା ବିଧବାମାନଙ୍କର ପରିଣାମ ଯେ କଅଣ ହୁଏ, ତାହା ଯେ ଚକ୍ଷୁଥିଲା ବ୍ୟକ୍ତି ସେହି ଦେଖୁଥିବ, ଯେ ହୃଦୟବାନ ସେ ଅନୁଭବ କରିପାରୁଥିବ । ତାଙ୍କର ଜୀବନ କି ହତାଶାପୂର୍ଣ୍ଣ ଓ ଯନ୍ତ୍ରଣାମୟ ।

 

 

 

 

 

କେବଳ ଭାରତବର୍ଷରେ ନୁହେଁ, ପ୍ରାଚ୍ୟ ଓ ପଶ୍ଚାତ୍ୟ ଦେଶର ନାନା ସ୍ଥାନରେ ନାରୀମାନଙ୍କ ସ୍ଥାନ ନେଇ ତୁମୂଳ ଆନ୍ଦୋଳନ ଓ ଆଲୋଚନା ହେଉଅଛି । ପଶ୍ଚାତ୍ୟ ଦେଶର ଓ ପ୍ରାଚ୍ୟର ଜାପାନ, ତୁର୍କି ପ୍ରଭୃତି ଦେଶରେ କି ସରକାରୀ କି ବେସରକାରୀ ସବୁ ଶ୍ରେଣୀର ଲୋକମାନେ ନାରୀର ଉପଯୁକ୍ତ ସ୍ଥାନ ସମାଜରେ ଏବଂ ରାଷ୍ଟ୍ରକ୍ଷେତ୍ରରେ ସ୍ୱୀକାର କରି ସାରିଲେଣି; ଏବଂ ନାରୀମାନେ ମଧ୍ୟ ତାଙ୍କର ନ୍ୟାଯ୍ୟାଧିକାରକୁ ଉପଭୋଗ କରୁଛନ୍ତି । ସେମାନେ ନିଜକୁ ଶିକ୍ଷିତ, ଉପଯୁକ୍ତ କରିବାପାଇଁ ଯେଉଁସବୁ ଆନ୍ଦୋଳନ କରୁଛନ୍ତି, ସେଥିରେ ସରକାରୀ, ବେସରକାରୀ ସକଳ ପ୍ରକାର ସାହାଯ୍ୟ ସେମାନେ ପାଉଛନ୍ତି । ୧୦-୧୫ ବର୍ଷ ତଳେ ନାରୀ ଆନ୍ଦୋଳନ ବିପକ୍ଷରେ ଯେଉଁ ସବୁ ପୁରୁଷମାନେ ବାଧାବିଘ୍ନ ଘଟାଉଥିଲେ ସେ ସବୁ ବାଧା ବିଘ୍ନ ଏକପ୍ରକାର ଲୋପ ପାଇଲାଣି, କହିଲେ ଚଳେ । ଦିନଥିଲା, ଯେତେବେଳେ ନାରୀ-ପ୍ରଗତି-ପନ୍ଥୀମାନେ ଏହି ବିପକ୍ଷବାଦୀମାନଙ୍କର ସବୁପ୍ରକାର ନିର୍ଯ୍ୟାତନା ଭୋଗ କରୁଥିଲେ, ଆଜି ଭାରତର ହିନ୍ଦୁ ସମାଜରେ ସେହି ଦୁର୍ଦ୍ଦଶା ଉପସ୍ଥିତ ହୋଇଛି । ଜନ୍ମଗତ ଅଧିକାର ଯାହା, ମାନବୋଚିତ ଅଧିକାର ଯାହା, ତାହା ପାଇବା ପାଇଁ ଯେଉଁ ନାରୀମାନେ ଆନ୍ଦୋଳନ କରୁଛନ୍ତି ଏବଂ ଯେଉଁ କେତେକ ମୁଷ୍ଟିମେୟ ପୁରୁଷ ସେମାନଙ୍କୁ ଏଥିରେ ସହାୟତା କରୁଛନ୍ତି, ସେମାନେ ଯେଉଁ ବିଦ୍ରୂପ, ଓ ଶ୍ଳେଷ ବାକ୍ୟ ସହ୍ୟ କରୁଛନ୍ତି, ତାହା ବର୍ଣ୍ଣନା କରିବାର ନୁହେଁ । ସମଗ୍ର ଭାରତର କଥା ଛାଡ଼ିଦେଲେ ଆମ୍ଭର ଏହି ଉତ୍କଳ ଦେଶରେ ମଧ୍ୟ ଅନେକ ଲୋକ ଅଛନ୍ତି, ଯେଉଁମାନେ କି ନାରୀମାନଙ୍କର ନ୍ୟାଯ୍ୟ ସ୍ଥାନ ପାକଶାଳା ଓ ସୂତିକା ଗୃହରେ କେବଳ ରହିଛି ବୋଲି ଦୃଢ଼ ବିଶ୍ୱାସ କରନ୍ତି ଏବଂ ସେଥିପାଇଁ ଦରକାର ପଡ଼ିଲେ ଅନ୍ୟମାନଙ୍କର ଜଘନ୍ୟ ପ୍ରକାରର କୁତ୍ସା ଆଦି ରଟନା କରିବାକୁ ପଶ୍ଚାତ୍‌ପଦ ହେଉ ନାହାନ୍ତି । ଯେଉଁ ମୁଷ୍ଟିମେୟ ମହିଳାମାନେ ସେମାନଙ୍କର ଶକ୍ତି ଅନୁସାରେ ନାରୀ-ଜାତିର ଜାଗରଣ ପାଇଁ ଚେଷ୍ଟା କରୁଅଛନ୍ତି, ସେମାନଙ୍କ ପ୍ରତି ହେଉଥିବା ନିର୍ଯ୍ୟାତନା କମ୍‌ ନୁହେଁ । ଆମଦେଶରେ ଅନେକ ତଥା-କଥିତ ଉଚ୍ଚ ଡିଗ୍ରୀଧାରୀ ପଦସ୍ଥ ଓ ଉଚ୍ଚଶିକ୍ଷିତ ବ୍ୟକ୍ତିର ଅଭାବ ନାହିଁ, ଯେଉଁମାନେ କି ନାରୀ ଆନ୍ଦୋଳନକୁ ଏବଂ ଦେଶର ନାରୀ କର୍ମ୍ମୀବୃନ୍ଦଙ୍କ ନାନାପ୍ରକାର କୁତ୍ସିତ ଅପବାଦ ଓ ବିନା କାରଣରେ ଏବଂ ଅନାୟାସରେ ଅପମାନ ଦେବାକୁ ଲଜ୍ଜା ଓ ଅଗୌରବଜନକ ବୋଲି ବୋଧ କରନ୍ତି ନାହିଁ । ଯେଉଁମାନେ ଅଳ୍ପ ମୁଣ୍ଡ ଟେକି ଛିଡ଼ାହେଲେ ସେମାନଙ୍କ ଉପରେ ଠେଙ୍ଗାର ପାହାର ପଡ଼ୁଅଛି । କେବଳ ଏହି ଅପବାଦ ଭୟରେ, ନିର୍ଯ୍ୟାତନା ଭୟରେ ଅନେକ ଉତ୍ସାହୀ ବାଳିକା ଓ ମହିଳାମାନେ ଉପଯୁକ୍ତ ଭାବରେ ଶିକ୍ଷିତ ହେବାକୁ ଇଚ୍ଛାଥିଲେ ସୁଦ୍ଧା, ତାହା କାର୍ଯ୍ୟରେ ପରିଣତ କରି ପାରୁନାହାନ୍ତି । ଗୀତ, ବାଦ୍ୟ, ସଙ୍ଗୀତ, ସାହିତ୍ୟ, କଳା କାରୁ ଶିଳ୍ପାଦିରେ ସେମାନେ ଯଥେଷ୍ଟ କୃତିତ୍ୱ ଅର୍ଜନ କରି ପାରୁଥାନ୍ତେ ଓ ସେଥିପାଇଁ ଉତ୍କଳ କି ଗୌରାବାନ୍ୱିତ ହେଉ ନ ଥାଆନ୍ତା । ଦେଶରେ ଏହିପରି ଅବସ୍ଥା ଯେତେକାଳ ପର୍ଯ୍ୟନ୍ତ ଚାଲିଥିବ, ସେତେକାଳ ପର୍ଯ୍ୟନ୍ତ ଏ ସମାଜ ଯଥାର୍ଥ ଭାବରେ ଉନ୍ନତି ଲାଭକରି ସଚଳ, ସକ୍ରିୟ, ଓ ସଜୀବ ଭାବରେ ବଞ୍ଚି ରହିବା ସମ୍ଭବପର ହୋଇ ପାରେ କି ? ତା ଛଡ଼ା ଯେଉଁ ସମାଜରେ ନାରୀର ସ୍ଥାନ ନାହିଁ ଓ ନାରୀକୁ କୌଣସି ପ୍ରକାର ନ୍ୟାଯ୍ୟ ମୂଲ୍ୟ ଦିଆ ନ ଯାଏ, ସେହି ସମାଜକୁ ସଭ୍ୟ ଏବଂ ଉତ୍କୃଷ୍ଟ ସମାଜ ବୋଲି କୁହାଯାଇ ନ ପାରେ । ପ୍ରତିବେଶୀ ପ୍ରଦେଶ ବଙ୍ଗଳାରେ ମଧ୍ୟ ନାରୀର ଦୁର୍ଦ୍ଦଶା କହିଲେ ନ ସରେ । ସମାଜରେ ନାରୀ ରକ୍ଷା କରିବାର ଶକ୍ତି ନାହିଁ କିନ୍ତୁ ନାରୀ ବହିଷ୍କାର କରି ସମାଜର ତଥାକଥିତ ପବିତ୍ରତା ରଖିବାର କ୍ଷମତା ରହିଛି । ତଥାପି ସେଠାକାର ଧୀମାନ୍ ଉଚ୍ଚମନା ବ୍ୟକ୍ତିଗଣ ଗୋଟିଏ ନାରୀରକ୍ଷା ସମିତି ସ୍ଥାପନ କରିଛନ୍ତି । ଶିକ୍ଷାର ବିସ୍ତାର ପାଇଁ ସେଠାରେ ଶ୍ରୀଯୁକ୍ତ ଗୁରୁ ସଦୟ ଦତ୍ତ ଆଇ,ସି,ଏସ୍‌, ଙ୍କ ଆନୁକୂଲ୍ୟରୁ ତାଙ୍କର ମହତ୍‌ହୃଦୟା ପତ୍ନୀଙ୍କ ସ୍ମୃତିକୁ ଜାତିରେ ଅମର କରିବା ନିମନ୍ତେ ‘‘ସରୋଜନଳିନୀ ନାରୀ ସମିତି’’ ଗଠିତ ହୋଇ ବଙ୍ଗଦେଶର ପୁରପଲ୍ଲୀ ଓ ସହର ଆଦିରେ ଶତ ଶତ ଦରିଦ୍ର ନାରୀ ଓ ବାଳିକାମାନଙ୍କର ଶିକ୍ଷା ଦୀକ୍ଷା ଓ ସ୍ୱାବଲମ୍ବନଶୀଳତାର ଶିକ୍ଷା ଦିଆ ଯାଉଛି-। କ୍ରମଶଃ ଭାରତର ଅନ୍ୟ ପ୍ରଦେଶମାନ ଏହି ଦିଗରେ ଉନ୍ନତି ଆଡ଼କୁ ଅଗ୍ରସର ହେଉଥିବା ସ୍ଥଳେ ଆମ ଉତ୍କଳର ହିନ୍ଦୁସମାଜରେ ନାରୀର ଦୁର୍ଦ୍ଦଶା କଥା ଭାବିଲେ ଭବବିଷ୍ୟତରେ ଆଶାର କ୍ଷୀଣ ରଶ୍ମିରେଖା ଦିଶେ ନାହିଁ । ପୁରୁଷ ନାରୀକୁ ତାର ଉଚିତ ସ୍ଥାନ ଯେତେଦିନ ପର୍ଯ୍ୟନ୍ତ ଦେବାକୁ ସ୍ୱତଃପ୍ରବୃତ୍ତ ଭାବରେ ପ୍ରଣୋଦିତ ହୋଇନାହିଁ, ସେତେଦିନ ଯାଏ, ସମାଜରେ ନାରୀର ସ୍ଥାନ ନିର୍ଣ୍ଣୟ କରିବା କଠିନ ହେବ, ଏହା ନିଶ୍ଚିତ ସତ୍ୟକଥା । ନାରୀର ଏ ଦିଗରେ ଯେ କର୍ତ୍ତବ୍ୟ ରହିଛି, ଏହା ସ୍ୱୀକାର କଲେ ମଧ୍ୟ ଅନେକ ଗୁଡ଼ିଏ ଦାୟିତ୍ୱ ଯେ ଦେଶର ଶିକ୍ଷିତ, ଉଦାରମନା ପୁରୁଷମାନଙ୍କ ଉପରେ ନିର୍ଭର କରୁଅଛି, ଏହା ଧ୍ରୁବ ସତ୍ୟ ।

 

ସମାଜରେ ଅନେକ ଶିକ୍ଷିତ ପୁରୁଷଙ୍କର ଧାରଣା ନାରୀକୁ ତାର ଅଧିକାର ପଥ ମୁକ୍ତ କରିଦେଲେ ଓ ତାର ଶିକ୍ଷାର ବ୍ୟବସ୍ଥା କଲେ, ସେ ଉଚ୍ଛୃଙ୍ଖଳା ଓ ଦୁର୍ବୃତ୍ତା ହୋଇ ସମାଜ ନଷ୍ଟ କରିବ, ତାର ତଥାକଥିତ କର୍ତ୍ତବ୍ୟ କରିବ ନାହିଁ । ଏହା ଯେ ଭ୍ରମ ଧାରଣା, ତାହା କହିବା ଅନାବଶ୍ୟକ । ପ୍ରକୃତ ଶିକ୍ଷା ଯାହାକୁ ଯେଉଁ ଶିକ୍ଷା ନାରୀର ପ୍ରାତ୍ୟହିକ ଆଚରଣରେ ବ୍ୟବହାରରେ ଏବଂ କର୍ତ୍ତବ୍ୟ କର୍ମ୍ମାଦିରେ ଫୁଟି ଉଠେ, ସେହି ଶିକ୍ଷାରେ ନାରୀ ପ୍ରକୃତ ‘ଦେଶର ସମ୍ପତ୍ତି’ ହୋଇ ଉଠିବ, ସମାଜ ତାହାର ଦାନଦ୍ୱାରା କୃତାର୍ଥ ହେବ, ସନ୍ଦେହ ନାହିଁ । ଆଧୁନିକ ଶିକ୍ଷାର କୁଫଳ ହେତୁ ଯେ ବିଳାସପ୍ରିୟତା ଓ ସ୍ୱାଚ୍ଛନ୍ଦ୍ୟଲିପ୍‌ସାଦି କେତେକ ଶିକ୍ଷିତା ଓ ଅର୍ଦ୍ଧଶିକ୍ଷିତା ନାରୀଙ୍କଠାରେ ଦେଖାଯାଏ, ସେହି ମାନଦଣ୍ଡରେ ସାରା ଦୁନିଆର ନାରୀଗୋଷ୍ଠିକୁ ଯେଉଁମାନେ ବିଚାର କରିବେ, ସେମାନେ ବଡ଼ ଆତ୍ମଘାତୀ ଭ୍ରମରେ ପଡ଼ୁଥିବେ ସନ୍ଦେହ ନାହିଁ । ସମାଜରେ ନାରୀର ସ୍ଥାନ ସ୍ୱୀକାର କରିବାପାଇଁ ଉତ୍କଳରେ କେବେ ସୁଦିନ ଆସିବ ତାହା ଭଗବାନଙ୍କୁ କେବଳ ଗୋଚର ।

 

ଯେତେବେଳେ ପୃଥିବୀରେ ବର୍ବର ଯୁଗର ରାଜତ୍ୱ ଚଳୁଥିଲା ଯେତେବେଳେ ଲୋକେ ଅସ୍ତ୍ର ଶସ୍ତ୍ରର ବ୍ୟବହାର ଜାଣି ନ ଥିଲେ, ଯେତେବେଳେ ଅଗ୍ନିର ବ୍ୟବହାର ଏବଂ ଉପଯୋଗିତା ଲୋକେ ବୁଝି ନ ଥିଲେ, ଯେତେବେଳେ ଲୋକଙ୍କର ଘର ତିୟାର କରି ରହିବାର ଧାରଣା ଜନ୍ମି ନ ଥିଲା, ଯେତେବେଳେ ବର୍ବରଲୋକମାନଙ୍କ ସମାଜ ନିୟନ୍ତ୍ରଣ କରିବାର କୌଣସି ନୀତିରୀତି ଓ ହିତ ଅହିତ ମୂଳକ ଶାସ୍ତ୍ର ପୁରାଣ ପ୍ରଭୃତି ଲେଖା ହୋଇ ନ ଥିଲା, ସେତେବେଳେ ସେ ଅପଥଯାତ୍ରୀ ପଥିକମାନଙ୍କୁ ଯେଉଁମାନେ କିମ୍ବା ଯେଉଁ ବ୍ୟକ୍ତି ପଥ ଦେଖାଇଥିବେ ସମାଜରେ ନୂଆକଥା ଓ ଭଲକଥା ଚଳାଇବାକୁ ଚେଷ୍ଟା କରିଥିବେ, ସେମାନେ କି ତୀବ୍ର ଉପହାସ, ଅପମାନ ପାଇ ନ ଥିବେ-? ସେମାନଙ୍କୁ କି ଜୀବନ ସଂକଟରେ ପଡ଼ିବାକୁ ହୋଇ ନ ଥିବ ? ସେମାନେ ବର୍ବରଙ୍କର ସମାଲୋଚନାକୁ ଶିରୋଧାର୍ଯ୍ୟ କରି ଖ୍ରୀଷ୍ଟଙ୍କ ପରି ଭାବିଥିବେ ‘‘ହେ ଭଗବାନ୍ । ଏମାନେ କଅଣ କରୁଛନ୍ତି, ତାହା ବୁଝିବାର ଓ ବିଚାର କରିବାର ଶକ୍ତି ଏମାନଙ୍କଠାରେ ନାହିଁ, ଏହି ଅବୋଧମାନଙ୍କୁ କ୍ଷମା କର ।’’

 

ସେହିପରି ଯେଉଁମାନେ ଯୁଗଦେବତାର ଆହ୍ୱାନ ଅନ୍ତରରେ ଶୁଣିବେ, ଯେଉଁମାନେ ନିଜର ନ୍ୟାୟବୁଦ୍ଧି ଏବଂ ବିବେକ ବିଚାରପାଇଁ ସତ୍ୟ ଓ ଆତ୍ମବିଶ୍ୱାସ ଯୋଗୁଁ ପୃଥିବୀରେ ନିନ୍ଦା, ଅପମାନ ଅସମ୍ମାନ, ଅନାଦର ଓ ନାନାଦି କଷ୍ଟକୁ ତୁଚ୍ଛ ମଣି ପ୍ରଜ୍ଞାନିର୍ଦ୍ଦେଶିତ ପଥର ଅନୁସରଣ କରିବେ, ସେହିମାନେ ତ ଜଗତରେ ସତ୍ୟର ପୂଜାରୀରୂପରେ ସଂସାରରେ ନିଜର କର୍ମପନ୍ଥା ଏବଂ ଦୃଢ଼ବିଶ୍ୱାସର ଅମର କୀର୍ତ୍ତିସ୍ତମ୍ଭ ସ୍ଥାପନ କରିଯାଇ ପାରିବେ ।

 

ଦୁଃଖିନୀ ଉତ୍କଳରେ ଏହିପରି ବୀର, ସାହସୀ, ଅଟକ ଧୈର୍ଯ୍ୟସମ୍ପନ୍ନ ନର ନାରୀ ‘‘ମାତୃପୂଜା’’ ନିମିତ୍ତ ଆବଶ୍ୟକ ବୋଲି ମନେ ହୁଏ ।

Image

 

ବାଲ୍ୟବିବାହ

 

ହିନ୍ଦୁ ଜାତି ଭିତରେ ଯେତେଗୁଡ଼ିଏ ବିବାହ ପ୍ରଥା ପ୍ରଚଳିତ ଅଛି, ସେମାନଙ୍କ ମଧ୍ୟରେ ବାଲ୍ୟବିବାହ ନିତାନ୍ତ ଘୃଣ୍ୟ ଓ କଦର୍ଯ୍ୟ ଅଟେ, ଏଥିରେ ସନ୍ଦେହ ନାହିଁ । ଯେଉଁମାନେ ଆଜି ବାଲ୍ୟବିବାହ ପ୍ରଥାକୁ ସମର୍ଥନ କରୁଛନ୍ତି, ସେମାନଙ୍କର ପ୍ରଧାନ ଯୁକ୍ତି ଏହି ଯେ, ଏପରି ବିବାହଦ୍ୱାରା ନାରୀ ଓ ନର ମଧ୍ୟରେ ପ୍ରଗାଢ଼ ପ୍ରେମ ରହେ ଏବଂ ତା ସଙ୍ଗେ ସଙ୍ଗେ ଚରିତ୍ର ଦୃଢ଼ତା ମଧ୍ୟ ରହେ । ଏହା କହିବାଦ୍ୱାରା ସେମାନେ ଯେ କେଡ଼େ ମିଥ୍ୟା ଯୁକ୍ତି ଉପରେ ନିର୍ଭର କରୁଛନ୍ତି, ତାହା ସେମାନେ ବୁଝି ପାରୁ ନାହାନ୍ତି । ଯେଉଁ ପ୍ରଗାଢ଼ ପ୍ରେମର କଥା ଏଠାରେ ଉଠୁଛି, ତାହା ଆଲୋଚନା କଲେ ଜଣାଯିବ ଯେ, ବାଲ୍ୟବିବାହଦ୍ୱାରା ପ୍ରେମର ପ୍ରଗାଢ଼ତା ହେବା ବଡ଼ ଦୁର୍ଲ୍ଲଭ କଥା । ପ୍ରେମର ପ୍ରଗାଢ଼ତା ହୁଏ ସେତେବେଳେ, ଯେତେବେଳେ ନାରୀ ଓ ପୁରୁଷ ଉଭୟେ ପରସ୍ପରକୁ ଉତ୍ତମରୂପେ ଚିହ୍ନିଥାନ୍ତି ଏବଂ ପସନ୍ଦ ମଧ୍ୟ କରିଥାନ୍ତି । କିନ୍ତୁ ଏହି ବାଲ୍ୟବିବାହଦ୍ୱାରା ଏହି ଦୁଇଟି ପ୍ରାଣୀର ବନ୍ଧନ ହୁଏ, ଯେତେବେଳେ ସେମାନେ ପରସ୍ପରକୁ ଚିହ୍ନି ନ ଥାନ୍ତି ଏବଂ ପ୍ରେମ କଣ ତାହା ମଧ୍ୟ ଜାଣି ନ ଥାନ୍ତି । ଏପରି ଅବସ୍ଥାରେ ପ୍ରେମର ବିକାଶ, ଚରିତ୍ରର ଶୁଦ୍ଧି ଓ ସ୍ଥିରତା ଇତ୍ୟାଦି କଳ୍ପନା କରିବା ପ୍ରଳାପ ଛଡ଼ା ଅନ୍ୟ କିଛି ନୁହେଁ । ଏହି ବିବାହ ପ୍ରଥାଦ୍ୱାରା ସମାଜର ଅନେକଗୁଡ଼ିଏ ଯୁବକ ଓ ଯୁବତୀଙ୍କର ଜୀବନ ସଙ୍କଟାପନ୍ନ ହୁଏ ଏବଂ ଅନେକ ସମୟରେ ସେମାନେ ଅକର୍ମଣ୍ୟ ହୋଇ ପଡ଼ନ୍ତି । ସ୍ୱାସ୍ଥ୍ୟ ଦିଗରୁ ଦେଖ, ନୈତିକତା ଦିଗରୁ ଦେଖ, ଆର୍ଥିକ ଦିଗରୁ ଦେଖ, ଏହି ବିବାହ ପ୍ରଥାଦ୍ୱାରା ସମାଜର ଯେ ଘୋର କ୍ଷତି ହେଉଅଛି, ଏଥିରେ କୌଣସି ସନ୍ଦେହ ନାହିଁ । ହିନ୍ଦୁ ଜାତିର ଉନ୍ନତି ପଥରେ ଏ ଗୋଟିଏ ପ୍ରଧାନ ଅନ୍ତରାୟ, ଏକଥା କହିବା ବାହୁଲ୍ୟ ମାତ୍ର । ଏହି ପ୍ରଥାକୁ ହିନ୍ଦୁ ସମାଜର ଗୋଟିଏ ଆଚାରମୂଳକ ଅତ୍ୟାଚାର କହିଲେ ଅତ୍ୟୁକ୍ତି ହେବ ନାହିଁ ।

 

ଏହି କୁପ୍ରଥା ଯେତେ ଶୀଘ୍ର ସମାଜରୁ ଅନ୍ତର୍ହିତ ହୁଏ, ସମାଜର ତେତେ ମଙ୍ଗଳ । ଯେଉଁଦିନୁ ଏହି କୁସଂସ୍କାର ସମାଜ ଭିତରେ ପ୍ରବେଶ ଲାଭ କରିଛି, ସେହିଦିନୁ ସମାଜର ଅବନତି ଆରମ୍ଭ ହୋଇଛି ।

 

ଶାରଦା ଆଇନ ପୂର୍ବରୁ ବାଲ୍ୟ ବିବାହ ଦେଶରେ ଯେପରି ଭାବରେ ପ୍ରଚଳିତ ଥିଲା, ଶାରଦାଆଇନ ଜାରି ହେବା ପରେ ଦେଶବ୍ୟାପୀ ପ୍ରତିକ୍ରିୟା ଫଳରେ ତାହାଠାରୁ ଅଧିକ ମାରାତ୍ମକ ଭାବରେ ପ୍ରଚଳିତ ହୋଇଛି । ସରକାର ଏହି ସାମାଜିକ କୁସଂସ୍କାର ଓ ବାଳକ ବାଳିକାଙ୍କ ଉପରେ ହେଉଥିବା ଦୁର୍ନୀତିମୂଳକ ଅନାଚାରକୁ ନିବାରଣ କରିବା ଭାର ନିଜ ଉପରେ ନେଇ ନଥିବାରୁ ଦେଶରେ ଏହି ଦଶା ଉପସ୍ଥିତ ହୋଇଛି । ୧୯୩୧ ସାଲର ଜନଗଣନା ରିପୋର୍ଟ ଦେଖିଲେ ଜଣାଯାଏ ଯେ ୨୬ ମାର୍ଚ୍ଚ ୧୯୩୧ର ବିବାହିତ ବାଳକ ବାଳିକାଙ୍କ ସଂଖ୍ୟା କେତେ ଥିଲା, ଗଲା ଦଶବର୍ଷ ଭିତରେ ଏହି ସଂଖ୍ୟା କେତେ ବଢ଼ିଛି ବା କମିଛି, ଭାରତର କେଉଁ କେଉଁ ଅଞ୍ଚଳରେ ଏହି ପ୍ରଥାର ବେଶୀ ପ୍ରଚଳ, ‘‘କେଉଁ କେଉଁଠାରେ କମ୍‌ ପ୍ରଚଳ’’ ଓ କେଉଁ କେଉଁ ଜାତି ଏ ପ୍ରଥା ଚଳାଇ ସମାଜର ଖରାପ କରିଛନ୍ତି ଓ କେଉଁମାନେ ଏ ପ୍ରଥା ବନ୍ଦ କରିବାକୁ ଯାଇ ସମାଜର ମଙ୍ଗଳ କରିଛନ୍ତି, ତାହା ବୁଝାପଡ଼େ ।

 

ଫେବୃୟାରୀ ୧୯୩୧ ରେ ଭାରତରେ ୨୦ ବର୍ଷରୁ କମ୍ ବୟସ୍କ ବିବାହିତ ଯୁବକ ଓ ୧୪ ବର୍ଷରୁ କମ୍ ବୟସ୍କା ବାଳିକାଙ୍କ ସଂଖ୍ୟା ନିମ୍ନରେ ଦିଆଗଲା ।

 

Image

 

ଉପର୍ଯୁକ୍ତ ସଂଖ୍ୟାମାନଙ୍କରୁ ଜଣାପଡ଼େ, ଭାରତରେ ବାଲ୍ୟବିବାହ ପ୍ରଥାର ପ୍ରଭାବ କି ତୀବ୍ର । ଭୂମଣ୍ଡଳରେ ଏପରି କେଉଁ ଦେଶ ଅଛି, ଯେଉଁଠାରେ ୫ ବର୍ଷରୁ କମ୍ ବୟସ୍କ ବାଳକବାଳିକାମାନଙ୍କୁ ବିବାହ ଦିଆଯାଏ ?

 

୫ ବର୍ଷରୁ କମ୍ ବୟସରେ ବିବାହ କରିଥିବା ବାଳକମାନଙ୍କର ସଂଖ୍ୟା ୧୯୩୧ରେ ୪ ଲକ୍ଷ ୨୯ ହଜାର, ୧୯୨୧ ରେ ୧ ଲକ୍ଷ ୧୦ହଜାର, ବାଳିକାମାନଙ୍କର ସଂଖ୍ୟା ୧୯୩୧ରେ ୮ ଲକ୍ଷ ୨ ହଜାର, ୧୯୨୧ରେ ୨ ଲକ୍ଷ ୧୮ ହଜାର ।

 

ଏହି ସଂଖ୍ୟାରୁ ଜଣାଯାଏ ୧୯୨୧ରେ ବାଲ୍ୟବିବାହ ପ୍ରଥା ଅନୁସାରେ ବିବାହିତ ବାଳକ-ବାଳିକାଙ୍କ ସଂଖ୍ୟାଠାରୁ ୧୯୩୧ର ସଂଖ୍ୟା ତିନିଗୁଣ ଅଧିକ ହୋଇଯାଇଛି । ଏହାର କାରଣ ଶାରଦା ଆଇନର ତୀବ୍ର ପ୍ରତିକ୍ରିୟା । ଲେଜିସ୍‌ଲେଟିଭ୍ ଆସେମ୍ୱ୍ଳିରେ ଏହି ଆଇନ ୧୯୨୭ରେ ମଞ୍ଜୁର ହୋଇଥିଲା, ପୁଣି ୧୯୩୦ ଅପ୍ରେଲ ପହିଲାଠାରୁ ଭାରତସରକାର ଏ ଆଇନ କାର୍ଯ୍ୟକାରୀ କରିଥିଲେ । ଏହି ଆଇନ ଦାଉରୁ ବଞ୍ଚିବା ପାଇଁ ସେପ୍‌ଟେମ୍ବର ୧୯୨୬ ଓ ୩୧ ମାର୍ଚ୍ଚ ୧୯୩୦ ସାଲରେ ସାରା ଭାରତରେ ଅସଂଖ୍ୟ ବାଲ୍ୟବିବାହ ହୋଇଯାଇଥିଲା । ସେହିବର୍ଷ ମାର୍ଚ୍ଚରେ ଏତେ ବାଲ୍ୟବିବାହ ହୋଇଥିଲା ଯେ, ବିବାହ କରାଇବାପାଇଁ ପୁରୋହିତ ମିଳୁ ନ ଥିଲେ-। ଗୋଟିଏ ଗୋଟିଏ ପୁରୋହିତ ବିଭିନ୍ନ ସ୍ଥାନରେ ଏକାଦିନକେ ଏକାଧିକ ବିବାହ କରାଇଥିଲେ । ୧୯୩୧ ରେ ୫ ବର୍ଷରୁ କମ୍ ବୟସ୍କ ଛୁଆଙ୍କ ବିବାହର ସଂଖ୍ୟା ନିମ୍ନରେ ଦିଆଗଲା ।

 

(୧୯୩୧ ସାଲର ଗଣନା ଅନୁସାରେ)

 

ବୟସ (ବର୍ଷ)

ବିବାହିତ ବାଳକ ସଂଖ୍ୟା

ବିବାହିତ ବାଳିକା ସଂଖ୍ୟା

୦–୧

୩୭,୮୮୨

୪୪, ୦୮୨

୧–୨

୪୧,୨୨୮

୬୩, ୯୫୪

୨–୩

୬୩,୩୭୫

୧,୧୪,୦୯୯

୩–୪

୧,୧୮,୮୪୪

୨,୩୨,୮୧୩

୪–୫

୧,୬୮,୮୯୭

୩,୪୬,୯୦୪

 

ଫେବୃୟାରୀ ୧୯୩୧ରେ ଏକ ବର୍ଷରୁ କମ୍ ବୟସ୍କ ଛୁଆଙ୍କର ବିବାହ କ୍ରମଶଃ ୩୬,୮୮୨ ଠାରୁ ୪୪,୦୮୨ ଯାଏ ବୃଦ୍ଧି ହୋଇଥିଲା । ୫ ବର୍ଷରୁ କମ୍ ବୟସ୍କ ଛୁଆଙ୍କ ବିବାହ ଶାରଦା ଆଇନକୁ ଉପହାସ କରିବାକୁ ହୋଇଥିଲା । ଯେଉଁମାନେ ଏହି ବିବାହରେ ଉଦ୍ୟୋକ୍ତା ଥିଲେ, ସେମାନଙ୍କ ବୁଦ୍ଧି, ବିଦ୍ୟା, ମନୁଷ୍ୟତ୍ୱ ଉପରେ ଯଦି କାହାରି ସନ୍ଦେହ ହୁଏ, ତେବେ ସନ୍ଦେହକାରୀ ଦୋଷୀ ହେବେ କି ?

 

ଭାରତର ବିଭିନ୍ନ ପ୍ରଦେଶରେ ପ୍ରତି ଶତ ହିନ୍ଦୁ କୁମାରକୁମାରୀଙ୍କ ସଂଖ୍ୟା ୧୯୩୧ରେ ନିମ୍ନଲିଖିତ ଭାବରେ ଥିଲା :–

 

ପ୍ରଦେଶ ବା ଦେଶ

ଶତକଡ଼ା କେତେ ବାଳକ
ବିବାହିତ ଥିଲେ

ଶତକଡ଼ା କେତେ ବାଳିକା
ବିବାହିତା ଥିଲେ

 

୫-୧୦ ବର୍ଷ

୧୦-୧୫ ବର୍ଷ

୫-୧୦ ବର୍ଷ

୧୦-୧୫ ବର୍ଷ

ବିହାର ଓଡ଼ିଶା

୧୭.୦୦

୨୮.୫

୧୮.୧

୪୮.୫

ମଧ୍ୟପ୍ରଦେଶ

୧୬.୨

୨୯.୫

୩୩.୯

୫୬.୬

ହାଇଦରାବାଦ୍

୧୪୭

୨୯.୭

୩୭.୦

୬.୬

ଯୁକ୍ତପ୍ରଦେଶ

୧୪.୦

୨୫.୫

୨୪.୪

୪୮.୭

ବରୋଦା

୮.୬

୧୯.୭

୨୧.୫

୪୪.୧

ବମ୍ବେ

୭.୩

୧୪.୭

୨୫.୦

୪୬.୧

ଗ୍ୱାଲିଅର

୬.୦

୧୭.୩

୨୧.୨

୪୬.୧

ରାଜପୁତନା

୬.୨

୧୫.୦

୧୮.୪

୪୨.୦

ବଙ୍ଗଳା

୪.୪

୯.୦

୨୬.୦

୫୦.୫

ପଞ୍ଜାବ

୩.୮

୧୦.୭

୧୧.୯

୩୧.୩

କାଶ୍ମୀର

୩.୦

୫.୯

୬.୯

୨୮.୦

ମାନ୍ଦ୍ରାଜ

୨.୦

୪.୪

୧୦.୧

୨୩.୭

ଆସାମ

୦.୯

୨.୭

୬.୬

୨୨.୮

ସୀମାନ୍ତ

୦.୯

୩.୦

୦.୫

୧୭.୯

ମହୀଶୂର

୦.୧

୦.୬

୫.୧

୧୯.୭

ତ୍ରୀବାଙ୍କୁର

୦.୧

୦.୬

୦.୭

୭.୩

ସମଗ୍ର ଭାରତ

୯.୩

୧୭.୨

୨୧.୫

୪୧.୭

 

ଉପର୍ଯୁକ୍ତ ସଂଖ୍ୟାରୁ ଜଣାଯାଏ–

 

୧–ବିହାର ଓଡ଼ିଶା, ମଧ୍ୟପ୍ରଦେଶ, ହାଇଦ୍ରାବାଦ ରାଜ୍ୟ ଯୁକ୍ତପ୍ରଦେଶ ଓ ମଧ୍ୟଭାରତରେ ବାଲ୍ୟବିବାହ ପ୍ରଥା ପ୍ରବଳ । ୧୦-୧୫ ବର୍ଷ ବୟସର ଏକପଞ୍ଚମାଂଶ ବାଳକମାନେ ବିବାହିତ । ପୁଣି ବଙ୍ଗଳା, ବମ୍ବେ ଅଞ୍ଚଳ, ମଧ୍ୟଭାରତ, ବରୋଦା, ଗୁଆଲିୟର ରାଜ୍ୟ ଓ ଅନ୍ୟ ସ୍ଥାନମାନଙ୍କରେ ୫ ଠାରୁ ୧୦ ବର୍ଷ ବୟସ୍କା ବାଳିକାଙ୍କ ଭିତରୁ ଏକ ପଞ୍ଚମାଂଶରୁ ଅଧିକ ବାଳିକା ବିବାହିତା । କିନ୍ତୁ ବରୋଦାରେ ବାଲ୍ୟବିବାହ ନିଷେଧ ଆଇନ କରି ଏ ପ୍ରଥା କେତେବର୍ଷ ମଧ୍ୟରେ ପୂର୍ଣ୍ଣ ଭାବରେ ବନ୍ଦ କରାଯାଇଛି । ତଥାପି ସେଠାର ଦଶା ପୂରା ଭଲ ହୋଇ ପାରି ନାହିଁ ।

 

୨–ମଧ୍ୟପ୍ରଦେଶ, ହାଇଦ୍ରାବାଦ, ରାଜ୍ୟ, ଯୁକ୍ତପ୍ରଦେଶ ବଙ୍ଗ, ମଧ୍ୟଭାରତ ଓ ବିହାର-ଓଡ଼ିଶା ପ୍ରଦେଶରେ ୧୦ ଠାରୁ ୧୫ ବର୍ଷ ବୟସର ଅଧେ କୁମାରୀ ବିବାହିତା ।

 

୩–ତ୍ରିବାଙ୍କୁର, ମହୀଶୂର, ଊତ୍ତରପଶ୍ଚିମ, ସୀମାନ୍ତ ପ୍ରଦେଶ, ଆସାମ, ମାନ୍ଦ୍ରାଜ ପ୍ରେସିଡେନ୍‌ସି, କାଶ୍ମୀର ଓ ପଞ୍ଜାବରେ ବାଲ୍ୟବିବାହ ଅଳ୍ପ ହେଉଛି । ତ୍ରିବାଙ୍କୁର, କୋଚୀନ ଓ ମହୀଶୂର ରାଜ୍ୟରେ ୫ ଠାରୁ ୧୦ ବର୍ଷର କୁମାରୀ ବିବାହିତାଙ୍କ ସଂଖ୍ୟା ଅତି ଅଳ୍ପ ।

 

ବର୍ତ୍ତମାନ ଦେଖାଯାଉ, ବିଭିନ୍ନ ଧର୍ମ୍ମାବଲମ୍ବୀ ଲୋକଙ୍କ ଭିତରେ ବାଲ୍ୟବିବାହର ପ୍ରଚାର କେତେଦୂର ଅଗ୍ରସର ହୋଇଛି । ନିମ୍ନଲିଖିତ ସଂଖ୍ୟାରୁ ଜଣାଯାଏ ଯେ, ଶତକଡ଼ା କେତେଜଣ ବାଳକବାଳିକା ୧୯୩୧ ସାଲରେ ବିବାହିତ ଥିଲେ :–

 

ଧର୍ମ

ଶତକଡ଼ା ବିବାହିତ ବାଳକ ସଂଖ୍ୟା

ଶତକଡ଼ା ବିବାହିତା ବାଳିକା ସଂଖ୍ୟା

 

୫-୧୦ ବର୍ଷ

୧୦-୧୫ ବର୍ଷ

୧୫-୨୦ ବର୍ଷ

୫-୧୦ ବର୍ଷ

୧୦-୧୫ ବର୍ଷ

ସନାତନ ହିନ୍ଦୁ

୯.୩

୧୭.୨

୪୬.୨

୨୧.୫

୪୧.୭

ମୁସଲମାନ

୬.୬

୧୨.୫

୪୨.୫

୧୯.୮

୩୯.୪

ଖ୍ରୀଷ୍ଟାନ୍

୧.୩

୩.୧

୨୩.୩

୨.୯

୧୧.୧

ଶିଖ

୧.୮

୬.୩

୩୩.୨

୬.୧

୨୦.୬

ଜଙ୍ଗଲୀ

୪.୩

୧୦.୪

୪.୨୦

୮.୭

୨୩.୨

 

ଏହି ସଂଖ୍ୟାରୁ ଜଣାଯାଏ ଯେ, ଖ୍ରୀଷ୍ଟାନ ଓ ଶିଖ୍ ଜାତି ଭିତରେ ବାଲ୍ୟବିବାହ ବହୁତ ଅଳ୍ପ ହୋଇଛି ଏବଂ ହିନ୍ଦୁ ଜାତିରେ ସବୁଠାରୁ ଅଧିକ ହୋଇଛି । ମୁସଲମାନ ଜାତିରେ ମଧ୍ୟ ବାଲ୍ୟବିବାହର ବହୁଳ ପ୍ରଚାର ଥିଲେ ସୁଦ୍ଧା ସନାତନୀ ହିନ୍ଦୁମାନେ ସମସ୍ତଙ୍କ ଠାରୁ ଉପର କ୍ଳାସବାଲାଙ୍କ ଗୌରବରେ କେବଳ ଏକା ହୋଇ ଭାଗୀଦାର ଅଟନ୍ତି ।

 

ଏହା ଦେଖାଯାଉଛି କି ବାଲ୍ୟବିବାହ ପ୍ରଥା କୌଣସି କୌଣସି ଜାତି-ପାଟକରେ ଅଧିକ ଓ କେଉଁ କେଉଁ ଜାତିରେ ଊଣା ।

 

ସାଧାରଣତଃ ଦେଖାଯାଏ ଯେ, ଚମାର, ତେଲି, ଗୌଡ଼, ଭଙ୍ଗୀ (ହାଡ଼ୀ)ମାନଙ୍କ ଭିତରେ ବାଲ୍ୟବିବାହ ପ୍ରଥା ବେଶୀ ଚଳେ ଓ ବ୍ରାହ୍ମଣ ଜାତିରେ ତ ଧରାବନ୍ଧା । ରାଜପୁତ ଜାତିରେ ବାଳିକାଙ୍କ ବାଲ୍ୟବିବାହ ଅଧିକ ଚଳେ, କିନ୍ତୁ ବାଳକଙ୍କର ସେତେ ଶୀଘ୍ର ବିବାହ ହୁଏ ନାହିଁ । ଜାଠ, ପଠାଣ ଓ କାୟସ୍ଥ ଜାତିରେ ବାଲ୍ୟବିବାହ କମ୍‍ ହୋଇଥାଏ ।

 

ଭାରତରେ ପ୍ରତିଦେଶରେ ଗୋଟିଏ ଗୋଟିଏ ଦୃଢ଼ବନ୍ଧ ବାଲ୍ୟବିବାହ ସଂସ୍କାରକ କମିଟିମାନ ସ୍ଥାପିତ ହୋଇ ସରକାରୀ ସହାୟତାଦ୍ୱାରା ଏହି ଘୋର ନିନ୍ଦନୀୟ ଓ ଘୃଣାର୍ହ ପ୍ରଥାର ମୂଳ ଭାଙ୍ଗି ନ ଦେଲେ ଏହାର ବୀଜ ଏ ଦେଶ ମାଟିରୁ ଲୋପ ପାଇବା ଅଳୀକ ସ୍ୱପ୍ନ ପ୍ରାୟ ମନେ ହୁଏ ।

 

ଏ କୁସଂସ୍କାର କିପରି ସମାଜରେ ପ୍ରବେଶ ଲାଭ କଲା, ତାର ଇତିହାସ ସମ୍ବନ୍ଧରେ ଐତିହାସିକ ଓ ସମାଜ ତତ୍ତ୍ୱବେତ୍ତାମାନଙ୍କର ମତ ବିଭିନ୍ନ ପ୍ରକାର ଦେଖାଯାଏ । ଏହାର ସଂକ୍ଷିପ୍ତ ସୂଚନା ନିମ୍ନରେ ପ୍ରଦତ୍ତ ହେଲା ।

 

୧–ବୈଦିକ ଯୁଗ ପରେ ହିନ୍ଦୁ ଜାତି ଧୀରେ ଧୀରେ ଆଧ୍ୟାତ୍ମିକ ଭାବ ତ୍ୟାଗ କରି ସାଂସାରିକ ବିଷୟରେ ମନୋଯୋଗ ଅର୍ପଣ କଲେ । ସଂସ୍କୃତ ଭାଷା ଓ ସାହିତ୍ୟ ବଦଳରେ ବିଭିନ୍ନ ପ୍ରାଦେଶିକ ଭାଷାର ପ୍ରଚଳନ ହେଲା । ଏହାରି ଫଳରେ ଲୋକେ ସଂସ୍କୃତ ଭାଷାର ଶାସ୍ତ୍ରଗୁଡ଼ିକ ଉତ୍ତମରୂପେ ବୁଝିବାକୁ ଅକ୍ଷମ ହେଲେ । କେତେ ଅଳ୍ପବୁଦ୍ଧି ସ୍ୱାର୍ଥପର ପଣ୍ଡିତ ନିଜର ମତାନୁଯାୟୀ ବାଲ୍ୟବିବାହ ସପକ୍ଷରେ ଅନେକ ଗୁଡ଼ିଏ ଶ୍ଳୋକର ଅର୍ଥ ଭିନ୍ନ ପ୍ରକାର କରିଦେଲେ । ସେହି ଦିନଠାରୁ ଭାରତର ଅଧୋଗତି ଆରମ୍ଭ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ ।

 

୨–ଭାରତର ବିଭବ ଦେଖି ଅନ୍ୟାନ୍ୟ ପ୍ରତିବେଶୀ ରାଜାମାନେ ଭାରତକୁ ଆକ୍ରମଶ କରିବାକୁ ବସିଲେ । ଏହାର ଫଳରେ ଦେଶରେ, ଜାତି ମଧ୍ୟରେ ନାନା ବୈଷମ୍ୟ ଦେଖାଗଲା । ତତ୍କାଳୀନ ବୈଷମ୍ୟ ସମାଧାନ ନିମନ୍ତେ ଅନେକଗୁଡଫିଏ ଉପାୟ ଅବଲମ୍ବନ କରାଯାଇଥିଲା । ତହିଁ ମଧ୍ୟରୁ ବାଲ୍ୟବିବାହ ଗୋଟିଏ ଉପାୟ ବୋଲି ମନେ ହୁଏ ।

 

୩–ବିଦେଶରୁ ଯେଉଁମାନେ ଭାରତକୁ ଆକ୍ରମଣ କରୁଥିଲେ । ସେମାନଙ୍କ ମଧ୍ୟରୁ ଅନେକ ସୁନ୍ଦରୀ ହିନ୍ଦୁ ନାରୀଙ୍କୁ ବଳପୂର୍ବକ ହରଣ କରି ନେଉଥିଲେ । ସେମାନଙ୍କ ଅତ୍ୟାଚାର କବଳରୁ ରକ୍ଷା ପାଇବା ନିମିତ୍ତ ବାଲ୍ୟକାଳରୁ କନ୍ୟାର ବିବାହ ଦେଇ ବରପକ୍ଷ ଓ କନ୍ୟାପକ୍ଷ ବିଶେଷ ଭାବରେ ସତର୍କ ରହୁଥିଲେ ।

 

୪–ପ୍ରାୟ ଆଠଶହ ବର୍ଷ ପର୍ଯ୍ୟନ୍ତ ମୁସଲମାନମାନେ ଭାରତକୁ ଆକ୍ରମଣ କରିଥିଲେ । ସେମାନଙ୍କର ଅତ୍ୟାଚାରରେ ହିନ୍ଦୁଜାତି ଅସ୍ତବ୍ୟସ୍ତ ହୋଇ ପଡ଼ୁଥିଲା । ନିମ୍ନଶ୍ରେଣୀର ପଠାଣ ସିପାହୀମାନେ ବଡ଼ କଦର୍ଯ୍ୟ ଥିଲେ । ସେମାନଙ୍କ ଭିତରେ ଅଧିକାଂଶ ଲୋକଙ୍କର ସ୍ତ୍ରୀ ନ ଥିଲେ । ସେମାନେ ଅବିବାହିତା ହିନ୍ଦୁ ରମଣୀମାନଙ୍କୁ ଆକ୍ରମଣ କରୁଥିଲେ । ମୁସଲମାନ ଧର୍ମରେ ବିବାହିତା ନାରୀ ଉପରେ ଅତ୍ୟାଚାର କରିବା ଧର୍ମବିରୁଦ୍ଧ ଥିଲା । ସେହି ହେତୁ ସେମାନେ ଅବିବାହିତାକୁ ଆକ୍ରମଣ କରୁଥିଲେ । ସେଥିପାଇଁ ଅବିବାହିତା କନ୍ୟାଙ୍କୁ ରକ୍ଷା କରିବା ଏକାବେଳକେ କଷ୍ଟକର ହୋଇ ପଡ଼ିଥିଲା । ସେମାନଙ୍କୁ ରକ୍ଷା କରିବା ପାଇଁ ବାଲ୍ୟକାଳରୁ ବିବାହ ଦେବା ଅତି ଆବଶ୍ୟକ ହୋଇପଡ଼ିଥିଲା । ବର୍ତ୍ତମାନ ସେପରି ପରିସ୍ଥିତି ଆଉ ନାହିଁ । ଅତଏବ ବାଲ୍ୟ ବିବାହ ପରି ଗୋଟିଏ କୁପ୍ରଥାର ଆବଶ୍ୟକତା ମଧ୍ୟ ନାହିଁ ।

 

ବର୍ତ୍ତମାନ ଯୁଗର ଅନେକ ଗଣ୍ୟମାନ ବ୍ୟକ୍ତି ଏ କୁପ୍ରଥାର ବିପକ୍ଷରେ ନିଜର ସ୍ପଷ୍ଟ ମତ ବ୍ୟକ୍ତ କରିଛନ୍ତି । ବାହୁଲ୍ୟ ଭୟରୁ ସମସ୍ତଙ୍କ ମତ ଉଦ୍ଧାର କରି ନ ପାରି ଏ ଯୁଗର ଶ୍ରେଷ୍ଠ ମାନବ ମହାତ୍ମା ଗାନ୍ଧୀ ଖଣ୍ଡେ ବହିରେ ଯେଉଁ ମର୍ମ୍ମସ୍ପର୍ଶୀ ବାଣୀ ପ୍ରକାଶ କରିଛନ୍ତି, ତାହା ନିମ୍ନରେ ଦିଆଗଲା-:–

 

‘‘ଯେଉଁ ପିତାମାତାମାନେ ଏହି ପରିଚ୍ଛେଦ ପଢ଼ିବେ, ସେମାନଙ୍କୁ ମୋର ଅନୁରୋଧ ସେମାନଙ୍କର ପିଲାମାନଙ୍କୁ ଅଳ୍ପ ବୟସରେ ବିବାହ କରିଦେଇ ତାଙ୍କ ବେକରେ ପଥର ବାନ୍ଧି ଦେବେ ନାହିଁ । ସେମାନେ ଜାତିର ଉଦୀୟମାନ ବଂଶଧରମାନଙ୍କର ଉନ୍ନତି ପ୍ରତି ଦୃଷ୍ଟି ଦେବା ଉଚିତ । କେବଳ ସେମାନଙ୍କର ବୃଥା ଅଭିମାନକୁ ସନ୍ତୁଷ୍ଟ କରିବା ନିମିତ୍ତ ଏହା କରିବା ଉଚିତ ନୁହେଁ । ସେମାନଙ୍କୁ ସବୁ ରକମର ପାରିବାରିକ ଅଭିଜାତ୍ୟମର୍ଯ୍ୟାଦାର କଦର୍ଯ୍ୟ ଭାବ ଦୂର କରିବାକୁ ହେବ ଏବଂ ଏପରି ହୃଦୟହୀନ ନିର୍ଦ୍ଦୟ ଅସଭ୍ୟତାକୁ ପ୍ରଶ୍ରୟ ଦେବାକୁ ହେବ ନାହିଁ । ଯଦି ସେମାନେ ନିଜର ପିଲାମାନଙ୍କର ଉନ୍ନତି କାମନା କରନ୍ତି, ତେବେ ସେମାନଙ୍କର ଶାରିରୀକ, ମାନସିକ ଓ ନୈତିକ ଉନ୍ନତିକୁ ଦୃଷ୍ଟି ଦିଅନ୍ତୁ । ଯେତେବେଳେ ସେମାନଙ୍କ ସନ୍ତାନସନ୍ତତି ବର୍ଗ ଖୁବ୍ ଅଳ୍ପବୟସ୍କ, ଯେତେବେଳେ କି ବିବାହ ପରି ଗୋଟିଏ ଗୁରୁଦାୟିତ୍ୱ ବହନ କରିବାର ଶକ୍ତି ସେମାନଙ୍କର ନ ଥାଏ, ସେତେବେଳେ ସେମାନଙ୍କୁ ବାଧ୍ୟବାଧକତାରେ ବିବାହ-ରଜ୍ଜୁରେ ବନ୍ଧନ କରିବାଦ୍ୱାରା ସେମାନେ ସନ୍ତାନମାନଙ୍କର କି ଘୋର କ୍ଷତି କରୁ ନାହାନ୍ତି ?’’

Image

 

ଯୁବତୀ ବିବାହ

 

ଆଜି ଏହି ବିଂଶଶତାବ୍ଦୀର ଜ୍ଞାନ ବିଜ୍ଞାନ ଯୁଗରେ ଯୁବତୀ ବିବାହର ଉପକାରିତା ଓ ବାଲ୍ୟବିବାହର ଅପକାରୀତା ସମ୍ବନ୍ଧରେ ବୁଝାଇ କହିବା ଅନାବଶ୍ୟକ ବୋଲି ମନେ ହୁଏ । ବାଲ୍ୟବିବାହର ବିଷମୟ ଫଳ ସମ୍ବନ୍ଧରେ ରାଶି ରାଶି ପୁସ୍ତକ ପୁସ୍ତିକା ଗ୍ରନ୍ଥାଦି ପ୍ରଣୀତ ହୋଇ ସାରିଛି । ଶତସହସ୍ର ରଙ୍ଗମଞ୍ଚରେ ସେ ବିଷୟରେ ବକ୍ତୃତା ହୋଇଛି । ପ୍ରତ୍ୟେକ ବ୍ୟକ୍ତି, ଯାହାଠାରେ କଣିକାଏ ହେଲେ ଜ୍ଞାନର ବିକାଶ ହୋଇଛି, ସେ ଉତ୍ତମ ରୂପେ ହୃଦୟଙ୍ଗମ କରି ପାରିଛି, ଏହି କାଳରୂପୀ ବାଲ୍ୟବିବାହର ପରିଣତି କେଉଁଠାରେ ! ଜାତିର କେଉଁ ଦୁର୍ଭାଗ୍ୟକୁ ଏହି ରାକ୍ଷସ ତାକୁ ଗ୍ରାସକରି ରହିଛି । ଜାତିର ଅବସାନ ଦିନରେ ଏହି ଦୁର୍ବୁଦ୍ଧି ଜାତ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ଯେତେବେଳେ ଦେଶ ସମୃଦ୍ଧ ଥିଲା, ଜ୍ଞାନ ଗାରିମାରେ ଜାତିର ବକ୍ଷ ସ୍ଫୀତ ହେଉଥିଲା, ସେତେବେଳେ ଏହି କୁପ୍ରଥାର ଚିହ୍ନ ଲକ୍ଷିତ ହେଉ ନ ଥିଲା । ଆର୍ଯ୍ୟଜାତିର ଗୌରବରସ୍ଥଳ ସେହି ବେଦ ସଂହିତା ପ୍ରଭୃତିରେ ଯୁବତୀ ବିବାହର ପ୍ରମାଣ ମିଳେ । ଆଜି ଅଶିକ୍ଷିତ ଅର୍ଦ୍ଧଶିକ୍ଷିତ କେତେକ ସ୍ୱାର୍ଥାନ୍ୱେଷୀ ତଥାକଥିତ ଧର୍ମ୍ମଯାଜକମାନଙ୍କର ମୂର୍ଖତା ହେତୁ ପ୍ରକୃତ ସତ୍ୟ ଭସ୍ମଭିତରେ ଲୁକ୍କାୟିତ ହୋଇ ପଡ଼ିଛି । ପ୍ରକୃତ ଜିନିସକୁ କଦର୍ଯ୍ୟ କରି ଲୋକ ସମ୍ମୁଖରେ ଉପସ୍ଥାପିତ କରାଯାଇଛି । ଦୁରଭିସନ୍ଧି ଓ ସ୍ୱାର୍ଥାନ୍ୱେଷଣ ଯାହାଙ୍କର ପ୍ରଧାନ ବ୍ୟବସାୟ, ସେମାନେ ଇଚ୍ଛାକରି ସୁନ୍ଦର ଜିନିସକୁ କଦର୍ଯ୍ୟ ରୂପରେ ତିୟାର କରି ପାରୁଛନ୍ତି । ଶାସ୍ତ୍ର ଓ ସଂହିତାମାନଙ୍କରୁ ଯୁବତୀ ବିବାହ ସପକ୍ଷରେ ଯେଉଁ ସବୁ ସ୍ପଷ୍ଟ ଦୃଢ଼ ପ୍ରମାଣମାନ ମିଳୁଛି, ତାର ବିକୃତାର୍ଥ ବାହାର କରି ଲୋକ ସମ୍ମୁଖରେ ରଖିବାକୁ ଛାଡ଼ୁ ନାହାନ୍ତି । କିନ୍ତୁ ଧୀର ସ୍ଥିର ଭାବରେ ଆଲୋଚନା କଲେ ହିନ୍ଦୁସମାଜରେ ଯୁବତୀ ବିବାହ ହିଁ ପ୍ରାଚୀନ ଦିନରେ ପ୍ରଚଳିତ ଥିଲା, ଏଥିରେ ସନ୍ଦେହ ନାହିଁ । ଏହାର ଭୂରି ଭୂରି ପ୍ରମାଣ ଖୋଜି ବସିଲେ ମିଳିବ । କେବଳ କେତେକ ଅତି ପ୍ରଧାନ ପ୍ରମାଣ ଏଠାରେ ଉଲ୍ଲେଖ କରାଯାଉଅଛି :–

ବୈଦିକ ଯୁଗରେ ଯୁବତୀ ବିବାହ ବ୍ରାହ୍ମଣ କୁଳରେ ନ ଥିଲା ବୋଲି ସନାତନୀମାନେ ଚିତ୍କାର କରି ଥାଆନ୍ତି, କିନ୍ତୁ ଋକ୍‌ବେଦରେ ଯେଉଁ ଶ୍ଳୋକ ଦିଓଟି ରହିଛି, ତାହା ପଢ଼ିଲେ ସେ ପ୍ରଶ୍ନର ନିରାକରଣ ହୁଏ ।

ଋକ୍‌ବେଦରେ ବିବାହର ଏହି ମନ୍ତ୍ରଟି ଦେଖାଯାଏ

‘‘ଗୃହଂ ଗଚ୍ଛ ଗୃହପତ୍ନୀ ଯଥାହସୌ,

ବସିନୀତ୍ୱଂ ବିଦଥ ମାବଦାସୀ ।’’

ଭାବାର୍ଥ–ଗୃହକୁ ଯାଅ, ସେଠାକୁ ଯାଇଁ ଗୃହର ସ୍ୱାମିନୀ ହୁଅ । ସେଠାରେ ସ୍ୱାମିନୀ ହୋଇ ସବୁ ଧର୍ମ୍ମ କର୍ମ୍ମ ପରିଚାଳିତ କର ।

‘‘ସାମ୍ରାଜ୍ଞୀ ଶ୍ୱଶୁରେ ଭବ ସାମ୍ରାଜ୍ଞୀ ଶ୍ୱଶୃଥାଂ ଭବ,

ନନନ୍ଦରୀ ସାମ୍ରାଜ୍ଞୀ ଭବ ସାମ୍ରାଜ୍ଞୀ ଅଧିଦେବେଷୁ ।’’

ଶ୍ୱଶୁର, ଶାଶୁ, ନଣନ୍ଦ, ଦେବର ସମସ୍ତଙ୍କ ଉପରେ ତୁମ୍ଭେ ସାମ୍ରାଜ୍ଞୀ ହୁଅ । ଏହି ଶ୍ଳୋକ ଗୁଡ଼ିକରୁ ଜଣାଯାଉଛି ପ୍ରାଚୀନ ବୈଦିକ ଯୁଗରେ ବାଲ୍ୟବିବାହ ପ୍ରଥା ପ୍ରଚଳିତ ନ ଥିଲା । ଯଦି ଥାଆନ୍ତା, ଏପରି ଶ୍ଳୋକରେ ଅପୋଗଣ୍ଡ କନ୍ୟାର ବିବାହ ପ୍ରତି ଏ ଉପଦେଶ ଦିଆ ହୋଇ ନଥାନ୍ତା-। ଏ ଉପଦେଶ କେବଳ ଜ୍ଞାନପ୍ରାପ୍ତା ବୟସ୍କା କନ୍ୟାପ୍ରତି ପ୍ରଯୋଜ୍ୟ, କନ୍ୟାପିତା ବରକୁ ବିବାହ ସମୟରେ କହନ୍ତି ‘‘ମୋର ଏହି ଅବିବାହିତା କନ୍ୟା ମୁଁ ଆପଣଙ୍କୁ ଅର୍ପଣ କରୁଛି, ସେ ସର୍ବଗୁଣାଳଂକୃତା–ତାକୁ ଆପଣଙ୍କୁ ଦେଉଛି ଏହାର ପାଣିଗ୍ରହଣ କରି ଗୃହାଗ୍ନି ନେଇ ଯାଆନ୍ତୁ । ହେ ବ୍ରହ୍ମଚାରୀ ! ଆପଣ ଘରକୁ ଆସନ୍ତୁ ।’ ଆହୁରି ମଧ୍ୟ କନ୍ୟାପିତା କହନ୍ତି ମୋହର ଅନୁପମ ଗୁଣବତୀ କନ୍ୟା ଆପଣଙ୍କର ସହଧର୍ମିଣୀ ହେବାଯୋଗ୍ୟା, ଧର୍ମ୍ମ, ଅର୍ଥ, କାମ ଓ ମୋକ୍ଷ ଏ ଚତୁବର୍ଗ ପ୍ରାପ୍ତି ନିମନ୍ତେ ଆପଣଙ୍କର ଏହି କନ୍ୟା ସହକର୍ମୀ ହୋଇ ରହିବ ।’’ ଏହାର ଉତ୍ତରରେ ବର ତାର ଅଙ୍ଗୀକାର ଜଣାଇ କହେ ‘‘ଆପଣଙ୍କର ଏହି ଆଜ୍ଞାକୁ ମୁଁ ଅମାନ୍ୟ କରୁନାହିଁ ।’’ ତାପରେ ବରକନ୍ୟା ଉଭୟେ ମିଶି କହନ୍ତି ‘‘ଆମ୍ଭମାନଙ୍କୁ ଯଜନ ଯାଜନ ଓ ସନ୍ତାନ ଉତ୍ପତ୍ତି କରିବାକୁ ହେବ ।’’ ପତି ପତ୍ନୀକୁ କହେ, ‘‘ମୁଁ ତୁମ୍ଭର ସ୍ୱାମୀ, ମୋତେ ତୁମ୍ଭର ଅଙ୍ଗ ସମର୍ପିବାକୁ ହେବ । ତୁମ୍ଭେ ମୋର ଗୃହକୁ ଆସ । ମୋର ପତ୍ନୀ ହୁଅ । ମୋର ଗୃହର ସମସ୍ତ ବିଷୟ ଶାସନ କର । ଯଜ୍ଞ ବିଧିରେ ସବୁ ପ୍ରକାର ଉପଚାର କର । ପ୍ରଥମରେ ସୋମ, ଦ୍ୱିତୀୟରେ ଗନ୍ଧର୍ବ, ତୃତୀୟରେ ଅଗ୍ନି ତୁମ୍ଭଙ୍କୁ ପ୍ରାପ୍ତ ହୋଇଅଛନ୍ତି; ପରେ ମୁଁ ତୁମ୍ଭଙ୍କୁ ପାଇଛି । ପ୍ରଥମେ ସୋମ ତୁମ୍ଭଙ୍କୁ ପାଇ ଗନ୍ଧର୍ବଙ୍କୁ ଦେଲେ ପରେ ଅଗ୍ନି ମୋତେ ଦେଲେ, ମୁଁ ତୁମ୍ଭଙ୍କୁ ପାଇ ସନ୍ତାନ ଓ ସମ୍ପତ୍ତି ଲଭିବି’ । ଏ ମନ୍ତ୍ରରେ ସୋମ ଅଗ୍ନି ଗନ୍ଧର୍ବଙ୍କର ଯେଉଁ ଉଲ୍ଲେଖ ଅଛି ଏ ସମ୍ବନ୍ଧରେ ମହର୍ଷି ଅତ୍ରିଙ୍କର ମତାନୁସାରେ କନ୍ୟାକୁ କୁମାରୀ ଅବସ୍ଥାରେ ସୋମ ରକ୍ଷା କରନ୍ତି । ଗନ୍ଧର୍ବ ଯୌନବୁଦ୍ଧି ଏବଂ ଋତୁସମ୍ବନ୍ଧୀୟ ସାହାଯ୍ୟ କରନ୍ତି । କନ୍ୟାର ଏଥିପାଇଁ ଚାରୋଟି ପତି ବୋଲି କଥିତ । ଏହି ସବୁ ଉକ୍ତିରୁ ଜଣାପଡ଼େ, ବିବାହ ସମୟରେ ବରକନ୍ୟାଙ୍କର ଦାମ୍ପତ୍ୟ ଜୀବନର କର୍ତ୍ତବ୍ୟ ସମ୍ବନ୍ଧରେ ଯଥେଷ୍ଟ ଜ୍ଞାନ ହୋଇ ସାରିଥାଏ-। ଯଦି ବାଲ୍ୟ ସମୟରେ କନ୍ୟାର ବିବାହ ହେଉଥାନ୍ତା ତେବେ ଏପରି ବାକ୍ୟର ଆବଶ୍ୟକତା ଥିଲା ବୋଲି ମନେ ହୁଏ ନାହିଁ । ପୂର୍ବକାଳରେ ସେଥିପାଇଁ ଯେ ବାଲ୍ୟବିବାହ ନ ଥିଲା, ଏହା ପୂର୍ବୋକ୍ତ ବାକ୍ୟମାନଙ୍କରୁ ପ୍ରମାଣିତ ହୁଏ ।

ଆର୍ଯ୍ୟମାନଙ୍କର ପ୍ରାଚୀନ ଗ୍ରନ୍ଥ ଋକ୍‌ବେଦରେ ବାଲ୍ୟବିବାହର କୌଣସି ବିବରଣ ଦେଖାଯାଏ ନାହିଁ । ଋକ୍‌ବେଦ ଯୁଗରେ ଯୁବତୀ ବିବାହର ପ୍ରଚଳନ ଥିଲା । ସେ ଯୁଗରେ କେତେକ କନ୍ୟା ପିତୃଗୃହରେ ଋତୁମତୀ ହୋଇ ଅବିବାହିତା ଭାବରେ ଆଜୀବନ ରହୁଥିଲେ ।

‘‘ଅମାପୁରଶ୍ଚି ଭବଥୋ ଯୁବଂ ଭଗୋନାସୋଶ୍ଚି ଦବିତାରା ।

ତାମସ୍ୟଚିତ୍ ଅନ୍ଧସ୍ୟ ଚିନ୍ୱାସତ୍ୟା କୃଷସ୍ୟ ବିଦ୍ୟୂବାମୀଦାହୁ ର୍ଭିଷଜା ଋତସ୍ୟଚିତ୍ ।’’

ଋକ୍‍ବେଦ ୧୦-୩୯-୩

 

ଏହାର ଅର୍ଥ–

ହେ ନାସତ୍ୟମାନେ ! ତୁମ୍ଭେ ଦୁଇଜଣ ପିତୃଗୃହରେ ବୃଦ୍ଧାବସ୍ଥା ପ୍ରାପ୍ତ ହେଉଥିବା ଦୁର୍ଭାଗିନୀ ସ୍ତ୍ରୀକୁ (ଯୋଷାକୁ) ସୁନ୍ଦର ପରାଣୟଯୋଗ୍ୟ ପତି ଦାନ କରିଥିଲ ।

‘‘ଅମାପୂରିବ ପିତ୍ରୋଃ ସଚ୍ଚାସତୀ ସମାନାଦା ସ୍ୟସସ୍ତ୍ୱ ମିୟେ ଭଗଂ ।

କୃଦ୍ଧି ପ୍ରକେତମୂପବାସ୍ୟା ଭର ଦତ୍ୱେ ଭାଗଂ ତର୍ନୋଯେନ ମାମହା ।’’

ଋକ୍‌ବେଦ ୨।୧୭।୧

 

ଏହାର ଅର୍ଥ–

 

ଯାବଜ୍ଜୀବନ ପିତୃଗୃହରେ ଅବସ୍ଥିତା ପିତୃମାତୃ ଶୁଶ୍ରୂଷା ପରାୟଣା ଅବିବାହିତା ଦୁହିତା ଯେପରି ପୈତୃକ ଧନ ପ୍ରାର୍ଥନା କରେ, ହେ ଇନ୍ଦ୍ର ! ମୁଁ ସେହିପରି ଭଜନୀୟ ଧନ ପ୍ରାର୍ଥନା କରୁଅଛି-। ଏଥିରୁ ସ୍ପଷ୍ଟଭାବରେ ଜଣାପଡ଼ୁଛି ଯେ କନ୍ୟାମାନେ ସ୍ୱେଚ୍ଛାକୃତ ଭାବରେ ଅବିବାହିତା ହୋଇ ପିତା ଗୃହରେ ଆଜୀବନ ରହି ପାରୁଥିଲେ ଏବଂ ତାହା ସଙ୍ଗେ ସଙ୍ଗେ ପିତାର ସମ୍ପତ୍ତିରୁ କିଛି ପାଇବା ପାଇଁ ପ୍ରାର୍ଥନା କରି ପାରୁଥିଲେ ।

 

ଉଦୀର୍ଷାତଃ ପତିବତୀ ହ୍ୟେଷାଂ ବିଶ୍ୱାବସୁଂ ନମସା ଗାର୍ଭରୀଳେ ।

ଅନ୍ୱାମିଚ୍ଛ ପିତୃଷଦଂ ବ୍ୟକ୍ତାଂ ସତେଭାଗୋ ତନୁଷାତସ୍ୟବିଦ୍ଧି ।।

ଋକ୍‌ବେଦ ୧୦।୮୫।୨୧

 

ହେ ବିଶ୍ୱାବସୁ, ଏହି କନ୍ୟା ନିକଟରୁ ଉତ୍ଥାନ କର । ସେ ପତିମତୀ ହୋଇ ସାରିଛି । ବିଶ୍ୱାବସୁଙ୍କୁ ସ୍ତୁତିଦ୍ୱାରା ସ୍ତବ କରୁଅଛି । ଆଉ ଯେଉଁ କନ୍ୟା ପିତୃକୁଳରେ ଥାଇ ବିବାହଲକ୍ଷଣଯୁକ୍ତା ହୋଇଅଛି ଜନ୍ମରୁ ତାଦୃଶ ପଦାର୍ଥ ତୁମ୍ଭର ଭାଗ କଳ୍ପନା ହୋଇଅଛି, ତାହାକୁ ଲାଭକର ।

 

ଏତେ ଗୁଡ଼ିଏ ଦୃଢ଼, ବଳିଷ୍ଠ ପ୍ରମାଣ ଥାଉଁ ଥାଉଁ ଯେଉଁମାନେ ଏହାର କଦର୍ଥ କରିବାକୁ ଯାଉଛନ୍ତି ସେମାନେ ସମାଜର ଆଖିରେ ଧୂଳି ମାରୁ ନାହାଁନ୍ତି କି ? ଯେତେଦିନ ପର୍ଯ୍ୟନ୍ତ ହିନ୍ଦୁସମାଜରେ ଯୁବତୀ ବିବାହର ପ୍ରଚଳନ ଜ୍ଞାନର ପ୍ରେରଣାରେ ଓ ଶୁଭବୁଦ୍ଧିର ପ୍ରେରଣାରେ ହୋଇନାହିଁ, ସେତେଦିନ ପର୍ଯ୍ୟନ୍ତ ଏ ଜାତିର ଜୀବନଧାରା ସୁଚାରୁରୂପେ ସଭ୍ୟତାର ଅନନ୍ତସାଗର ବକ୍ଷରେ ପରିସମାପ୍ତି ଲାଭ କରିବା ସମ୍ଭବ ନୁହେଁ ।

Image

 

ବିଧବା ବିବାହ

 

ବାଲ୍ୟ ବିବାହ ଓ ବିଧବାର ପୁନର୍ବିବାହ ନିଷେଧ ଏ ଦୁଇଟି ହିନ୍ଦୁସମାଜର ଘୋର କଳଙ୍କ ହୋଇ ରହିଛି । ଅସହାୟା ବିଧବାର କରୁଣ ଅଶ୍ରୁବିନ୍ଦୁ ଦେଶବକ୍ଷରେ ପଡ଼ି ଜାତିକୁ ଛାରଖାର କରି ଦେଇଛି । ମାନବୋଚିତ ଯାହା, ଧର୍ମ୍ମାନୁମୋଦିତ ଯାହା, ବିବେକାନୁମୋଦିତ ଯାହା, ସେଥିରୁ ଆମ୍ଭେମାନେ ଏହି ଅବଳା ଅସହାୟା ବିଧବା ଜାତିକୁ ବଞ୍ଚିତ କରି ଯେଉଁ ଘୋର ପାପର ଭାଗୀ ହେଉଛୁଁ, ତାର ପ୍ରାୟଶ୍ଚିତ୍ତର ଫଳ ଭୋଗିବ କିଏ ? ପୁଣ୍ୟଭୂମି ଭାରତ, ଜ୍ଞାନ ଗରିମାର ଭାରତ ଆଜି କଳଙ୍କିତ ହୋଇ ପଡ଼ିଛି । ବିଧବାର କରୁଣ ରୋଦନରେ ଭାରତଗଗନ ବିଦୀର୍ଣ୍ଣ ହୋଇ ଯାଉଛି, ପାଷଣ୍ଡ ନରାଧମ କେତେକ କୁସଂସ୍କାରମନା ବ୍ୟକ୍ତିଙ୍କ ଦୁରଭିସନ୍ଧିରୁ ବିନା କାରଣରେ ବିନା ଦୋଷରେ ଏହି ନିରାଶ୍ରୟା ବିଧବାଜାତି ଅନ୍ଧକୂପରେ ପଡ଼ି ଜୀବନ ତ୍ୟାଗ କରୁଛନ୍ତି । ଆମର ଆଖି ଥାଇ ଆମେ ଅନ୍ଧ, ଜ୍ଞାନ ଥାଇ ପାଗଳ । ଜାତିକୁ ବଞ୍ଚାଇବାକୁ ହେଲେ, ସତ୍ୟପଥକୁ ଅନୁସରଣ କରିବାକୁ ହେଲେ, ଧର୍ମ୍ମକୁ ରକ୍ଷା କରିବାକୁ ହେଲେ ଆମ୍ଭମାନଙ୍କୁ ଏହି ହତଭାଗିନୀ ବିଧବାମାନଙ୍କର ଦୁଃଖ ସର୍ବପ୍ରଥମେ ଦୂର କରିବାକୁ ହେବ । ଦେଶରେ ଯେପରି ବିଧବା ବିବାହର ପ୍ରଚଳନ ହୁଏ, ତାର ବ୍ୟବସ୍ଥା କରିବାକୁ ହେବ । ତା ନହେବା ପର୍ଯ୍ୟନ୍ତ ଜାତିର ଉନ୍ନତି ଅସମ୍ଭବ । ବିଧବାମାନଙ୍କର ପୁନର୍ବିବାହ ସମ୍ବନ୍ଧରେ ଆଜି ଆମ୍ଭେମାନେ ନୂତନ ଭାବରେ ଆଲୋଚନା କରିବାକୁ ଯାଉନାହୁଁ । ସତ୍ୟ ଅସତ୍ୟ ହୋଇ ପଡ଼ିଛି ବୋଲି, ଧର୍ମ୍ମ ଅଧର୍ମ୍ମ ହୋଇ ପଡ଼ିଛି ବୋଲି, ଦେଶର ହିତୈଷୀ ଯେଉଁମାନେ, ସତ୍ୟାନୁସନ୍ଧିଚ୍ଛୁ ଯେଉଁମାନେ ସେମାନେ ନିଜର ପ୍ରାଣ ପର୍ଯ୍ୟନ୍ତ ପ୍ରାୟଶ୍ଚିତ କରି ଏହି ହତଭାଗିନୀ ବିଧବା ଜାତିର ଦୁଃଖମୋଚନ କରିବାକୁ ବହୁପ୍ରୟାସ କରିଅଛନ୍ତି । ଭାରତବର୍ଷରେ ଏ ମଧ୍ୟରେ ଅନେକ ରକମର ଆନ୍ଦୋଳନ ହୋଇ ଯାଇଛି, ଖୁବ୍‌ ସୁଖର କଥା । ବିଧବା-ବିବାହର ପ୍ରସାର ଦିନୁଁ ଦିନ ବୃଦ୍ଧି ପାଉଛି । ଅତ୍ୟନ୍ତ କଠୋର ଯେଉଁମାନେ, ଅତ୍ୟନ୍ତ ରକ୍ଷଣଶୀଳ ଯେଉଁମାନେ, ସେମାନେ ସୁଦ୍ଧା ଆଜି ବିଧବା ବିବାହର ଆବଶ୍ୟକତା ମର୍ମ୍ମେ ମର୍ମ୍ମେ ଅନୁଭବ କରୁଅଛନ୍ତି ।

 

ହିନ୍ଦୁଶାସ୍ତ୍ର ଓ ସଂହିତାରେ ବିଧବା ବିବାହ ସପକ୍ଷରେ ଅନେକ ଗୁଡ଼ିଏ ଅକାଟ୍ୟ ପ୍ରମାଣ ଥିଲେ ସୁଦ୍ଧା କେବଳ ଦେଶାଚାର ଓ ଲୋକଚାର ଭୟରେ ଅନେକ ଲୋକ ଏହି ବିବାହ ପ୍ରଚଳନ ସପକ୍ଷରେ ମତବ୍ୟକ୍ତ କରୁ ନାହାଁନ୍ତି । ଦେଶାଚାର ଓ ଲୋକାଚାର ଯେ ସବୁ ସ୍ଥାନରେ ସବୁ ଯୁଗରେ ସମାନ ହୋଇ ରହେ, ଏହା କେହି କହି ନ ପାରନ୍ତି । ଦେଶାଚାର ଓ ଲୋକାଚାର ଜାତିର ଜୀବନର ଅନେକ ଗୁଡ଼ିଏ ଘଟଣା ଉପରେ ନିର୍ଭର କରେ, ସେଥିପାଇଁ ଆଜି ଦେଶାଚାର ବୋଲି ପ୍ରକଟିତ ହେଉଛି, କାଲି ତାର ପରିବର୍ତ୍ତନ ମଧ୍ୟ ସମ୍ଭବପର ହେଉଛି । ଏପରି ଅବସ୍ଥାରେ ଧର୍ମ୍ମାନୁମୋଦିତ ଯାହା ସତ୍ୟାନୁମୋଦିତ ଯାହା, ତାକୁ ଯଦି କେବଳ ଦେଶାଚାର ଓ ଲୋକାଚାର ଭୟରେ, (ଯେଉଁ ଦେଶାଚାର ଓ ଲୋକାଚାର ବାରମ୍ବାର ପରିବର୍ତ୍ତନ ହୋଇଥାଏ) ଗ୍ରହଣ ନ କରୁଁ, ତେବେ ଆମ୍ଭେମାନେ ପାପର ଭାଗୀ ନୋହୁଁ କି ? ବିଧବା ବିବାହ ଶାସ୍ତ୍ରସମ୍ମତ, ନ୍ୟାୟାନୁମୋଦିତ ହୋଇଥିଲେ ସୁଦ୍ଧା ତାକୁ କେବଳ ଗୋଟିଏ ପୁରାତନ ଦେଶାଚାର ଓ କୁସଂସ୍କାରକୁ ରକ୍ଷା କରିବାକୁ ଯାଇ ଯଦି ଏହାର ପ୍ରଚଳନ ନ କରୁଁ ତେବେ ଆମ୍ଭମାନଙ୍କୁ ମୂର୍ଖ ବୋଲି ସଭ୍ୟ ଜଗତ କାହିଁକି ବା ଗଣନା ନ କରିବ ?

 

ବର୍ତ୍ତମାନ ଭାରତରେ ବିଧବା ବିବାହର ପ୍ରଚଳନ ନିମନ୍ତେ ଯେଉଁସବୁ ଆନ୍ଦୋଳନ ହେଉଛି, ତାହାର ଜନ୍ମଦାତା ହେଉଛନ୍ତି ପଣ୍ଡିତ ଈଶ୍ୱରଚନ୍ଦ୍ର ବିଦ୍ୟାସାଗର । ସେ ବିଧବା ବିବାହ ସପକ୍ଷରେ ଯେଉଁ ସବୁ ଯୁକ୍ତି ଗୁଡ଼ିକ ଦେଖାଇ ଯାଇଛନ୍ତି, ତାହା ଆଜି ପର୍ଯ୍ୟନ୍ତ ସଂସ୍କାରକ ମାନଙ୍କର ପ୍ରଧାନ ପ୍ରମାଣ୍ୟ ହୋଇ ରହିଅଛି । ସେ ଯେଉଁ ମର୍ମ୍ମସ୍ପର୍ଶୀ ନିବେଦନ ଦେଶବାସୀଙ୍କ ସମ୍ମୁଖରେ ଉପସ୍ଥାପିତ କରିଥିଲେ ତାହା ଆଜି ପାଠକଲେ ମନରେ ଯେଉଁ କରୁଣ ଭାବ ଜାତହୁଏ ତାହା ବର୍ଣ୍ଣନା କରି ହେଉନାହିଁ । ବିଧବାର ଦୁଃଖ ମୋଚନ ପାଇଁ ଆଉ ଅନ୍ୟ କେହିଜଣେ ସେହିପରି କରୁଣ ଅଥଚ ଦୃଢ଼ ଭାବରେ ସେ ଯୁଗରେ ଲେଖିଛନ୍ତି ବୋଲି ଧାରଣା ହେଉନାହିଁ । ସେହି ମହାପୁରୁଷଙ୍କର ସେହି ଅମର ଲେଖନୀନିଃସୃତ ପଂକ୍ତିଗୁଡ଼ିକରୁ କିୟଦଂଶ ଉଦ୍ଧୃତ ନ କରି ରହି ପାରିଲୁ ନାହିଁ ।

 

ସେ ଲେଖିଛନ୍ତି ‘‘ହା ଭାରତୀୟବର୍ଷୀୟ ମାନବଗଣ ! ଆଉ କେତେକାଳ ତୁମ୍ଭେମାନେ ମୋହ ନିଦ୍ରାରେ ଅଭିଭୂତ ହୋଇ ପ୍ରମାଦ ଶଯ୍ୟାରେ ଶୟନ କରିଥିବ ? ଥରେ ଜ୍ଞାନ ଚକ୍ଷୁ ଉନ୍ମୀଳନ କରି ଦେଖ, ତୁମ୍ଭମାନଙ୍କର ପୁଣ୍ୟଭୂମି ଭାରତବର୍ଷ ବ୍ୟଭିଚାର, ଓ ଭୃଣହତ୍ୟା ପାପ ସ୍ରୋତରେ ଉଚ୍ଛୁଳିତ ହୋଇ ଯାଉଅଛି । ଆଉ କାହିଁକି ? ଯଥେଷ୍ଟ ହୋଇଛି । ଏହିପରି ନିବିଷ୍ଟ ଚିତ୍ତରେ ଶାସ୍ତ୍ରରେ ଯଥାର୍ଥ ତାତ୍ପର୍ଯ୍ୟ ଓ ମର୍ମ୍ମ ଅନୁଧାବନରେ ମନୋନିବେଶ କର ଏବଂ ତଦନୁଯାୟୀ ଅନୁଷ୍ଠାନରେ ପ୍ରବୃତ୍ତ ହୁଅ । ତାହାହେଲେ ସ୍ୱଦେଶର କଳଙ୍କ ବିମୋଚନ କରିପାରିବ । କିନ୍ତୁ ଦୁର୍ଭାଗ୍ୟ କ୍ରମେ, ତୁମ୍ଭେମାନେ ଚିରସଞ୍ଚିତ କୁସଂସ୍କାରର ଯେପରି ବଶୀଭୂତ ହୋଇଛ, ଦେଶାଚାରର ଯେପରି ଦାସ ହୋଇଛି, ଦୃଢ଼ ସଂକଳ୍ପ କରି ଲୌକିକ ରକ୍ଷା ବ୍ରତରେ ଯେପରି ଦୀକ୍ଷିତ ହୋଇଅଛି, ତହିଁରେ ଏପରି ପ୍ରତ୍ୟାଶା କରାଯାଇ ପାରେ ନାହିଁ, ତୁମ୍ଭେମାନେ ହଠାତ୍ କୁସଂସ୍କାର ବିସର୍ଜ୍ଜନ, ଦେଶାଚାରର ଅନୁଗତ୍ୟ ପରିତ୍ୟାଗ, ଓ ସଂକଳ୍ପିତ ଲୌକିକ ରକ୍ଷାବ୍ରତର ଉଦ୍ୟାପନ କରି ଯଥାର୍ଥ ସତ୍‌ପଥର ପଥିକ ହୋଇପାରିବ । ଅଭ୍ୟାସ ଦୋଷରେ ତୁମ୍ଭମାନଙ୍କର ବୁଦ୍ଧି ବୃତ୍ତି ଓ ଧର୍ମପ୍ରବୃତ୍ତି ସକଳ ଏପରି କଳୁଷିତ ହୋଇ ଯାଇଛି, ଓ ଅଭିଭୂତ ହୋଇ ରହିଛି ଯେ ହତଭାଗୀ ବିଧବାମାନଙ୍କ ଦୁରବସ୍ଥା ଦର୍ଶନରେ ତୁମ୍ଭମାନଙ୍କ ଚିରଶୁଷ୍କ ନୀରସ ହୃଦୟରେ କାରୁଣ୍ୟ ରସର ସଞ୍ଚାର ହେବା କଠିନ ଏବଂ ବ୍ୟଭିଚାର ଦୋଷର ଓ ଭୃଣହତ୍ୟାପାପର ପ୍ରବଳ ସ୍ରୋତରେ ଦେଶ ଉଚ୍ଛ୍ୱଳିତ ହେବା ଦେଖି ମଧ୍ୟ ମନରେ ଘୃଣା ଉଦୟ ହେବା ଅସମ୍ଭାବିତ । ତୁମ୍ଭେମାନେ ପ୍ରାଣତୁଲ୍ୟ କନ୍ୟାମାନଙ୍କ ଅସହ୍ୟ ବୈଧବ୍ୟ ଯନ୍ତ୍ରଣାନଳରେ ଦଗ୍ଧ କରିବାକୁ ସମ୍ମତ ଅଛ, ସେମାନେ ଦୁର୍ନିବାର ରିପୁର ବଶୀଭୂତ ହୋଇ ବ୍ୟଭିଚାର ଦୋଷରେ ଦୂଷିତ ହେଲେ ତାର ପୋଷକତା କରିବାକୁ ସମ୍ମତ ଅଛ, ଧର୍ମଲୋପ ଭୟରେ ଜଳାଞ୍ଜଳିଦେଇ କେବଳ ଲୋକଲଜ୍ଜା ଭୟରେ ସେମାନଙ୍କ ଭୃଣହତ୍ୟାର ସହାୟତା କରି ସ୍ୱୟଂ ସପରିବାରେ ପାପପଙ୍କରେ କଳଙ୍କିତ ହେବାକୁ ସମ୍ମତ ଅଛ । କିନ୍ତୁ କି ଆଶ୍ଚର୍ଯ୍ୟ ! ଶାସ୍ତ୍ରବିଧି ଅବଲମ୍ବନ କରି ପୁନରାୟ ବିବାହ ଦେଇ ସେମାନଙ୍କୁ ଦୁଃସହ ବୈଧବ୍ୟ ଯନ୍ତ୍ରଣାରୁ ପରିତ୍ରାଣ କରିବାକୁ ଏବଂ ନିଜ ନିଜକୁ ସକଳ ବିପଦରୁ ମୁକ୍ତକରିବାକୁ ସମ୍ମତ ନୁହଁ । ତୁମ୍ଭେମାନେ ମନେକର ପତି ବିୟୋଗ ହେଲେହେଁ ସ୍ତ୍ରୀଜାତିର ଶରୀର ପାଷାଣମୟ ହୋଇଯାଏ, ଦୁଃଖ ଆଉ ଦୁଃଖ ବୋଲି ବୋଧ ହୁଏ ନାହିଁ, ଯନ୍ତ୍ରଣା ଆଉ ଯନ୍ତ୍ରଣା ହୋଇ ରହେ ନାହିଁ ଦୁର୍ଜ୍ଜୟରିପୁ ଏକାବେଳକେ ନିର୍ମୂଳ ହୋଇଯାଏ । କିନ୍ତୁ ତୁମ୍ଭମାନଙ୍କର ଏହି ସିଦ୍ଧାନ୍ତ ଯେ ନିତାନ୍ତ ଭ୍ରାନ୍ତିମୂଳକ, ପଦେ ପଦେ ତାର ଉଦାହରଣ ପ୍ରାପ୍ତ ହେଉଅଛି । ଭାବି ଦେଖ ଏହି ଅନବଧାନତା ଦୋଷରେ ସଂସାର ତ୍ୟାଗର କି ବିଷମୟ ଫଳ ଭୋଗ କରୁଛ ! ହାୟ ହାୟ, କି ପରିତାପର ବିଷୟ ! ଯେଉଁ ଦେଶର ପୁରୁଷ ଜାତିଙ୍କର ଦୟା ନାହିଁ, ଧର୍ମ୍ମ ନାହିଁ, ନ୍ୟାୟ ଅନ୍ୟାୟ ବିଚାର ନାହିଁ ହିତାହିତ ବୋଧ ନାହିଁ, ସଦ୍‌ବିବେଚନା ନାହିଁ, କେବଳ ଲୌକିକ ରକ୍ଷାହିଁ ପ୍ରଧାନ ଧର୍ମ୍ମ ଓ ପରମ କର୍ମ, ଆଉ ଯେପରି ସେ ଦେଶରେ ହତଭାଗା ଅବଳା ଜାତି ଜନ୍ମଗ୍ରହଣ ନ କରନ୍ତି ।

 

ହା ଅବଳାଗଣ ! ତୁମ୍ଭେମାନେ କି ପାପରେ, ଭାରତବର୍ଷରେ ଆସି ଜନ୍ମଗ୍ରହଣ କର, କହିପାରେ ନାହିଁ ।’’

 

ଭିନ୍ନ ଭିନ୍ନ ହିନ୍ଦୁଶାସ୍ତ୍ରରେ ବିଧବାବିବାହ ସପକ୍ଷରେ ଯେଉଁସବୁ ଶ୍ଳୋକ ଗୁଡ଼ିକ ଅଛି, ସେ ଗୁଡ଼ିକ ଉଦ୍ଧାର ନକରି କେବଳ ସେ ଗୁଡ଼ିକର ଅର୍ଥ ନିମ୍ନରେ ଉଦ୍ଧୃତ କରାଗଲା ।

 

(୧)

ପୁରୁଷମାନଙ୍କପରି ନାରୀମାନେ ଅନେକବାର ବିବାହ କରି ପାରନ୍ତି, ପୁରୁଷ ଯେପରି ସ୍ତ୍ରୀର ମୃତ୍ୟୁପରେ ପୁନରାୟ ବିବାହ କରେ ସ୍ତ୍ରୀ ମଧ୍ୟ ସ୍ୱାମୀର ମୃତ୍ୟୁପରେ ସେହିପରି ବିବାହ କରିପାରିବ । (ବୈଶମ୍ପାୟନ)

(୨)

ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର ସବୁ ଶ୍ରେଣୀର ଲୋକ ନିଜ ନିଜ କୁଳାଙ୍ଗନାମାନେ ବିଧବା ହେଲେ ସେମାନଙ୍କର ପୁନର୍ବିବାହ ଦେବେ । ପୁନର୍ବାର ବିବାହ ନ ଦେଲେ ପାପ ହୁଏ । (ଜାବାଳୀ)

(୩)

ବିଧବା ପୁନର୍ବିବାହ କଲେ ସେ ତାର ନବପତି ସହ ପତିଲୋକ ପ୍ରାପ୍ତହେବ । (ଅଥର୍ବବେଦ)

(୪)

ଯେଉଁ କନ୍ୟା ପାଣିଗ୍ରହଣ ପରେ ବିଧବା ହୋଇଛି ସେ ଯଦି ଅକ୍ଷତଯୋନି ହୋଇଯାଏ ତା ହେଲେ ତାର ପୁନର୍ବିବାହ ସଂସ୍କାର ହେବ ଏବଂ ତାହାକୁ ତିନିପ୍ରକାର ପୁନର୍ଭୂ ମଧ୍ୟରେ ପ୍ରଥମ ପ୍ରକାର ପୁନର୍ଭୂ ବୋଲିବାକୁ ହେବ । (ନାରଦ)

(୫)

ଅକ୍ଷତଯୋନି ବିଧବା ପୁନର୍ବିବାହ ହେଲେ ତାହାକୁ ପୂନର୍ଭୂ ବୋଲାଯାଏ । (ବିଷ୍ଣୁପୁରାଣ)

(୬)

ଅକ୍ଷତଯୋନି ବିଧବା ପୁନର୍ବିବାହ କଲେ ତାକୁ ପୂନର୍ଭୂ ବୋଲାଯାଏ । (ଯାଜ୍ଞବଲ୍କ୍ୟ)

(୭)

ପରିତ୍ୟକ୍ତା ବା ବିଧବାନାରୀ ଯଦି ଅକ୍ଷତଯୋନି ହୋଇଥାଏ ତେବେ ତାକୁ ପୁନର୍ବିବାହ ଦେବା ଉଚିତ । ସେ ତାର ନବପତିର ପୁନର୍ଭୂ ପତ୍ନୀ ହେବ ।

(୮)

ସ୍ୱାମୀ ସହିତ ମୈଥୁନ ପୂର୍ବରୁ ଯେଉଁ ସ୍ତ୍ରୀ ବିଧବା ହୁଏ ପିତା ଦଶଦିନ ମଧ୍ୟରେ ତାକୁ ପୁନର୍ବିବାହ ଦେବେ । (ଚ୍ୟବନ)

(୯)

ଅକ୍ଷତଯୋନି ନାରୀମାନେ ବିଧବା ହୋଇ ପୂନର୍ବିବାହକୁ ଇଚ୍ଛୁକା ହେଲେ ସେମାନଙ୍କୁ ବିବାହ ଦେବା ଉଚିତ । (ବୃହସ୍ପତି)

(୧୦)

ସ୍ୱାମୀ ସହିତ ସହବାସ ପୂର୍ବରୁ ଯଦି କୌଣସିନାରୀ ବିଧବା ହୁଏ ତେବେ ପିତା ସେହି କନ୍ୟାକୁ ପୁନର୍ବିବାହ ଦେବେ । (ମହା ନିର୍ବାଣ ତନ୍ତ୍ର)

(୧୧)

ସ୍ୱାମୀ ନଷ୍ଟ, ସନ୍ନ୍ୟାସୀ ବା ବ୍ୟାଧିଗ୍ରସ୍ତ ହେଲେ ନାରୀମାନେ କଳିକାଳରେ ମଧ୍ୟ ପୁନର୍ନିବାହ କରିବେ । (ବୋଧାୟନ)

(୧୨)

ଷୋଳବର୍ଷ ବୟସ ପର୍ଯ୍ୟନ୍ତ ବିଧବାର ପୁନର୍ବିବାହ ଏକାନ୍ତ ଆବଶ୍ୟକ । ସେଥିରେ କୌଣସି ସଂଶୟ ନାହିଁ । (କାଶ୍ୟପ)

(୧୩)

ପୁରୁଷଙ୍କ ସହ ମିଳନ ପୂର୍ବରୁ ନାରୀ ବିଧବା ହେଲେ ସେହି ବିଧବା ପୁନର୍ବାର ବିବାହ କରି ପାରିବେ । ଏହିପରି ପ୍ରଥା ସବୁ ଯୁଗରେ ପ୍ରଚଳିତ ଅଛି । (ବିଶ୍ୱାମିତ୍ର)

(୧୪)

ପତି ନିରୁଦ୍ଦେଶ ହେଲେ, ମୃତ ହେଲେ, ସନ୍ନ୍ୟାସୀହେଲେ କ୍ଳୀବ ହେଲେ, କିମ୍ବା ପତିତହେଲେ ଏ ପଞ୍ଚପ୍ରକାର ଆପଦରେ ନାରୀମାନେ ପୁନର୍ବିବାହ କରିବେ । (ପରାଶର)

(୧୫)

ସ୍ୱାମୀ ନିରୁଦ୍ଦେଶ ହେଲେ ପୁତ୍ରବତୀ ବ୍ରାହ୍ମଣୀ ଆଠବର୍ଷ ଅପେକ୍ଷା କରି, ପୁତ୍ରହୀନା ବ୍ରାହ୍ମଣୀ ଚାରିବର୍ଷ ଅପେକ୍ଷା କରି ଅନ୍ୟପତି ଗ୍ରହଣ କରିବେ । ଏପରି ପୁତ୍ରବତୀ କ୍ଷତ୍ରିୟନାରୀ ଛଅବର୍ଷ ଅପେକ୍ଷା କରି ଓ ପୁତ୍ରହୀନା କ୍ଷତ୍ରିୟନାରୀ ତିନିବର୍ଷ ଅପେକ୍ଷା କରି ବିବାହ କରିବ । ପୁତ୍ରବତୀ ବୈଶ୍ୟା ଚାରିବର୍ଷ ଓ ପୁତ୍ରହୀନା ବୈଶ୍ୟା ଦୁଇବର୍ଷ ଅପେକ୍ଷା କରି ପୁନର୍ବିବାହ କରିବ । ଶୂଦ୍ର, ନାରୀ ପକ୍ଷରେ କାଳକାଳର ବିଚାର ନାହିଁ-। (ନାରଦ)

(୧୬)

ପତିର ମୃତ୍ୟୁପରେ ବିଧବାମାନଙ୍କର ପୁନର୍ବିବାହ ଶାସ୍ତ୍ର ସମ୍ମତ; ଏଥିରେ କୌଣସି ପାପ ନାହିଁ । ପୁନର୍ବିବାହ ବ୍ୟତୀତ ବିଧବାମାନଙ୍କର ଅନ୍ୟ ଗତି ନାହିଁ ।

 

ବିଧବାମାନଙ୍କ ସମ୍ବନ୍ଧରେ ଅଧିକା କଣ ଆଉ ଲେଖିବୁଁ ? ଆଧୁନିକ ଯୁଗର ମହାମନିଷୀ ମହାତ୍ମା ଗାନ୍ଧିଙ୍କର ଲେଖନୀରୁ ଏ ସମ୍ବନ୍ଧରେ ଯାହା ନିଃସୃତ ହୋଇଅଛି, ତାହା ନିମ୍ନରେ ଊଦ୍ଧୃତ ହେଲା ।

 

ବିଧବାମାନଙ୍କ ଅବସ୍ଥାକୁ ଲକ୍ଷ୍ୟ କରି ମହାତ୍ମା ଗାନ୍ଧି ‘‘ନବ ଜୀବନ’’ ରେ ଲେଖିଛନ୍ତି–‘‘ଦଶବର୍ଷରେ କନ୍ୟାକୁ ବିବାହ ଦେଇ ପିତାର କୌଣସି ପୁଣ୍ୟ ହୋଇ ପାରିବ ନାହିଁ । ଯେଉଁ କନ୍ୟାର ଆଜି ବିବାହ ହୋଇ ଆଜିହିଁ ପତି ମରିଗଲା, ତାକୁ ବିଧବା ବୋଲାଯାଇ ପାରିବ ନାହିଁ । ବୈଧବ୍ୟ ସମ୍ବନ୍ଧରେ ବାଡ଼ିଆ ବାଡ଼େଇକରି ଆମେ ମହାପାପ କରୁଅଛୁଁ । ଯଦି ବିଧବାମାନଙ୍କୁ ସୁରକ୍ଷିତ କରିବାକୁ ହେବ ତାହା ହେଲେ ପୁରୁଷମାନଙ୍କର ମଧ୍ୟ କି ନିଜ ଧର୍ମ୍ମର ବିଚାର କରିବା ଆବଶ୍ୟକ ନୁହେଁ ? ଯାହାର ମନ ବିଧବା ହୋଇନାହିଁ, ତାହାର ଶରୀର ବିଧବା ହେଲା କିପରି ? ତା ପ୍ରତି ତା ପିତାର କର୍ତ୍ତବ୍ୟ କଅଣ ? ତା’ ହେଲେ ପୁରୁଷମାନଙ୍କର ମଧ୍ୟ କି ନିଜ ଧର୍ମ୍ମର ବିଚାର କରିବା ଆବଶ୍ୟକ ନୁହେଁ ? ଯାହାର ମନ ବିଧବା ହୋଇନାହିଁ, ତାହାର ଶରୀର ବିଧବା ହେଲା କିପରି ? ତା ପ୍ରତି ତା ପିତାର କର୍ତ୍ତବ୍ୟ କଅଣ ? ତା’ ଗଳାରେ ଛୁରି ମାରିଲେ କଣ ପିତାରକର୍ତ୍ତବ୍ୟ ପାଳନ କରାଗଲା ?’’

Image

 

ପର୍ଦାପ୍ରଥା

 

ପର୍ଦାପ୍ରଥାର ଇତିହାସ ଆଜିକାଲି ସମସ୍ତେ ଆଲୋଚନା କରିବାର ଶୁଣିବାକୁ ପାଉଥାଇଁ-। କେହି କେହି କହନ୍ତି ଯେ ପର୍ଦାପ୍ରଥା ଆମ୍ଭମାନଙ୍କର ହିନ୍ଦୁ ଜାତିର ସାମାଜିକ ପ୍ରଥାର ଗୋଟିଏ ଅବିଛେଦ୍ୟ ଅଙ୍ଗ ସ୍ୱରୂପ; କେହି କହନ୍ତି, ଏହା ଆଦିମ କାଳରୁ ଏ ଦେଶରେ ପ୍ରଚଳିତ ଅଛି; କେହି କହନ୍ତି, ପର୍ଦା ନାରୀର ସମ୍ମାନ ସ୍ୱରୂପ, ବେ ପର୍ଦା ହେଲେ ନାରୀର ସମ୍ଭ୍ରମମାନ ସବୁ ଦାଣ୍ଡରେ ପଡ଼ିବ । ସୁତରାଂ ବିଧି ବିଧାନରେ ଯେଉଁ ପର୍ଦାପ୍ରଥା ଆମ ସମାଜରେ ଚଳୁଅଛି, ତାହା ଅନନ୍ତ କାଳ ରହିଲେ ମଙ୍ଗଳ ।

 

ଏହା ଛଡ଼ା ଯେଉଁମାନେ ଶିକ୍ଷିତ ଓ ସମ୍ଭ୍ରାନ୍ତ ବୋଲି ସମାଜରେ ପରିଚିତ, ସେମାନଙ୍କ ଭିତରୁ କେହି କେହି କହିଥାନ୍ତି ଯେ, ମୁସଲମାନ ରାଜତ୍ୱକାଳରେ ହିନ୍ଦୁ ନାରୀମାନଙ୍କର ସମ୍ମାନ ହାନିର ଭୟ ନିଶ୍ଚିତ ଥିବା ହେତୁ ଯେଉଁ ପ୍ରଥା ମୁସଲମାନ ସମାଜର ଅନୁକରଣରେ ଆମ୍ଭମାନଙ୍କର ହିନ୍ଦୁ ସମାଜରେ ପ୍ରଚଳିତ ରହି ଯାଇଅଛି, ସେହି ପ୍ରଥାର ଉପଯୋଗିତା ଆଜି ଯାଏ ମଧ୍ୟ ରହିଅଛି, କାରଣ ନାରୀର ସମ୍ମାନ ରକ୍ଷା କରିବାପାଇଁ ଓ ନାରୀକୁ ସମ୍ଭ୍ରମ କରିବାପାଇଁ ଯେଉଁ ମନୋଭାବର ପ୍ରୟୋଜନ, ସେହି ମନୋଭାବ ଏ ଯାବତ୍ ସମାଜରେ ଗଢ଼ି ଉଠିନାହିଁ–ସୁତରାଂ ପର୍ଦାର ସ୍ଥାୟୀତ୍ୱ ବାଞ୍ଛନୀୟ ।

 

ଉପରେ ସାଧାରଣ ଜନ ମତର ଯେଉଁ ନମୁନା ଗୁଡ଼ିକ ଲିଖିତ ହେଲା, ସେ ବିଷୟ ଯେ ସତ୍ୟ ଅଧିକାଂଶ ଜନମତର ପରିଚାୟକ ଏ ବିଷୟରେ ଆମ୍ଭେମାନେ ନିଃସନ୍ଦେହ । କଥା ହେଉଛି, ଯଦି ଏହିପରି ଜନମତ (ପୃଥିବୀର ଯେଉଁ ଭୂଭାଗମାନଙ୍କରେ ପର୍ଦାର ରାଜତ୍ୱ ଚଳୁଥିଲା) ସେହି ଅଞ୍ଚଳ ଲୋକେ ଦୃଢ଼ ଭାବରେ ବିଶ୍ୱାସ କରି ରହି ଥାଆନ୍ତେ, ତେବେ ଆଜି ଆମ୍ଭେମାନେ କେତେକ ଜଗତବନ୍ଦ୍ୟା ନାରୀମାନଙ୍କୁ ଦେଖିବାକୁ ପାଇ ନ ଥାନ୍ତୁ ? ଯେଉଁ ଜାତି ପର୍ଦାକୁ ଚିରକାଳ ଧର୍ମ୍ମ ନାମରେ ପୂଜାକରି ଆସୁଥିଲା, ପର୍ଦାବାହାରେ ଚାହିଁଲେ ଯେଉଁମାନଙ୍କର ନରକଗତି ହେଉଥିଲା, ଧର୍ମ୍ମନାମରେ ଲୋକାଚାର ଓ ଦେଶାଚାର ବିଭୀଷିକା ପାର ହୋଇ, ସେହି ସ୍ଥାନର ରମଣୀମାନେ ଆଜି ଦେଶର ଘରକରଣାଠାରୁ ଆରମ୍ଭ କରି ବାହାର କଥା ଜଗିବା ଯାଏ ସବୁ କାର୍ଯ୍ୟର ଦାୟିତ୍ୱ ନେଇ ନୂଆକରି ଜାତି ଗଢ଼ି ବସିଛନ୍ତି । ସେହି, ସମାଜର ପୁରୁଷମାନେ ଆଜି ପର୍ଦାକୁ ଦେଶର ଓ ନାରୀ ସମାଜର ଶତୃ ବୋଲି ବର୍ଜ୍ଜନ କରି ଛାଡ଼ିଛନ୍ତି ।

 

ଯେଉଁ ମୁସ୍‍ଲିମ ସଭ୍ୟତାର ଅନୁକରଣ ଫଳରୁ ଆମ ହିନ୍ଦୁସମାଜରେ ପର୍ଦା ଗୋଟିଏ ବ୍ୟାଧିରେ ପରିଣତ ହୋଇଛି, ସେହି ଜଗତକୁ ଆମ୍ଭମାନେ ଆଜି ଦୃଷ୍ଟିପାତ୍ କଲେ ଦେଖିବୁଁ ଯେ, ସେମାନେ ଆମ୍ଭମାନଙ୍କୁ ବହୁ ଦୂରରେ ନିକ୍ଷିପ୍ତ କରି ଅଗ୍ରସର ହୋଇ ଚାଲିଛନ୍ତି, –ଗୋଟିଏ ନୂତନ ପଥରେ, ଯେଉଁ ପଥରେ ଗଲେ ସେମାନଙ୍କର ଉନ୍ନତି ହେବ ବୋଲି ସେମାନେ ବିଶ୍ୱାସ କରିଛନ୍ତି । କିନ୍ତୁ ହାୟ ! ଆମ୍ଭମାନଙ୍କର ସନାତନ ଜଡ଼ତା ! ଓଢ଼ଣା ନ ଦେଲେ ନାରୀରମାନ ମହତ୍‌ ସବୁ ହଜି ଯିବ ବୋଲି, କି ପୋଲା ବିଶ୍ୱାସକୁ ସତ୍ୟ ମଣି ଏ ସମାଜ ପଡ଼ି ରହିଛି ! ପୁଣି ଏ ଜୀର୍ଣ୍ଣ ବିଶ୍ୱାସର ଭିତ୍ତିକୁ ଏ ଯୁଗରେ ଏ ଦିନେ ପୁଣି ଆହୁରି କୁଯୁକ୍ତି ଓ କୁସଂସ୍କାରର ଚୂନ ମସଲା ଦେଇ ଦୃଢ଼ କରିବାକୁ ଚାହୁଁଛି !

 

ଭାରତବର୍ଷରେ ଦକ୍ଷିଣାତ୍ୟ, ମହାରାଷ୍ଟ୍ର, ବମ୍ବେ ଓ ଉତ୍ତରାଞ୍ଚଳରେ କେତେଆଡ଼େ ପର୍ଦା ନାହିଁ, ତହିଁରେ ନାରୀ ମର୍ଯ୍ୟାଦା କିଛି ହ୍ରାସ ହୋଇଥିଲା ପରି ଜଣା ପଡ଼ୁନାହିଁ–ବରଂ ସେହି ସମାଜର ପ୍ରଥା ଯେ ଅନୁକରଣୀୟ, ତାହା କ୍ରମଶଃ ଜଣା ପଡ଼ୁଅଛି । ଯେଉଁ ବିହାର ପ୍ରଦେଶରେ ପର୍ଦାର ଏତେ ଖାତିରୀ ସେହି ଖାତିରୀର ଦାମ ଦେଇଛନ୍ତି ୧୯୩୪ ସାଲର ଭୂମିକମ୍ପ ସମୟରେ ହଜାର ହଜାର ନାରୀ ଓ ତାଙ୍କ ପାଖରେ ଲାଳିତ ଶିଶୁଗଣ ! ଯେଉଁମାନେ କେବେ ପଦାକୁ ପାଦ ପକାଇବାର ସୁଯୋଗ ପାଇ ନ ଥିଲେ, ସେମାନେ ଜୀବନ ସଙ୍କଟ କାଳରେ ମଧ୍ୟ ସେହି ଘରକଣକୁ ଆଶ୍ରୟ କରି ପ୍ରାଣତ୍ୟାଗ କରିଅଛନ୍ତି !

 

ଆଜିକାଲି ବଡ଼ ବଡ଼ ଡାକ୍ତରମାନେ ନାରୀ ସମାଜରେ କ୍ଷୟଯକ୍ଷ୍ମା ରୋଗାଦିର ପ୍ରାବଲ୍ୟ ଦେଖି କହୁଛନ୍ତି ଯେ, ଯେଉଁ ନାରୀମାନେ ଅଧିକାଂଶ ସମୟ ଅସ୍ୱାସ୍ଥ୍ୟକର ଘର ଭିତରେ ଆବଦ୍ଧ ହୋଇ ରହିଥାନ୍ତି ଓ ସୂର୍ଯ୍ୟକିରଣ ଓ ପରିଷ୍କାର ବାୟୁର ସଦ୍‌ବ୍ୟବହାର କରି ପାରନ୍ତି ନାହିଁ, ସେମାନଙ୍କର ଏ ରୋଗ ଅଧିକ ହୁଏ ।’’ କେବଳ ଯେ ଦେହ ନିଜୋର ହୁଏ କି ରୋଗର ଭୟଥାଏ, ଏହା ନୁହେଁ, କହିବାକୁ ଗଲେ, ଆମ୍ଭମାନଙ୍କ ସମାଜରେ ଯଦି କୌଣସି ରକମର ଅନୈତିକ ମନୋଭାବର ଅସ୍ତିତ୍ୱ ଅଜ୍ଞାତରେ ବା ସଜ୍ଞାତରେ ହେଉ ଅବସ୍ଥିତ ହୋଇଥାଏ, ତେବେ ତାର ଜନ୍ମଦାତ୍ରୀ ପର୍ଦା ପ୍ରଥା-ପର୍ଦା ନାରୀକୁ ସଲଜ୍ଜ କରିଛି ସତ୍ୟ, କିନ୍ତୁ ଏହି ଅତିମାତ୍ର ଲଜ୍ଜ୍ୟାଶୀଳତା ବିନିମୟରେ ତାର ଆତ୍ମରକ୍ଷା ଶକ୍ତି ଟିକକ ଏହି ବିଭତ୍ସ ପ୍ରଥାଦ୍ୱାରା ଅପହୃତ ହୋଇ ଯାଇଛି । ତାହାଦ୍ୱାରା ନାରୀ ସମାଜର ସମ୍ମାନ ରହିନାହିଁ, ଯାଇଛି; ତାହାଦ୍ୱାରା ତାର ପ୍ରକୃତ ସମ୍ଭ୍ରମ ରକ୍ଷା ହୋଇନାହିଁ, ମିଥ୍ୟା ସମ୍ଭ୍ରମର ଆଭିଜାତ୍ୟ ଆରୋପ କରା ହୋଇଛି ମାତ୍ର ! ସମାଜ ଦିଗରୁ ଦେଖିଲେ, ମଧ୍ୟ ବହୁ କ୍ଷତି ହୋଇଅଛି । ଯେଉଁ ସମାଜର ନାରୀ ଦୁର୍ବଳା ଭୀରୁ ଓ ଅବଳା, ପର୍ଦାର ଲଜ୍ଜା ତାର ଭୂଷଣ ହେଲେହେଁ ପ୍ରକୃତ ଭୂଷଣ ସ୍ନେହ ପର୍ଦାର ଭୂଷଣକୁ ଉପହାସ କରିଥାଏ !

 

ଆଦିମ କାଳରୁ ପର୍ଦା ଚଳୁଛି, ତାହା ଭଲ ବୋଲି ଯେଉଁମାନେ କହନ୍ତି, ତାଙ୍କ ଯୁକ୍ତି ଅତୀବ ହାସ୍ୟାସ୍ପଦ । ଏହି ପର୍ଦାପ୍ରଥା ହେତୁ ଆମଦେଶରେ ନାରୀ ଶିକ୍ଷାର ବିସ୍ତାର ହୋଇ ପାରୁନାହିଁ, ନାରୀ ରୁଗ୍ଣା ହେଲେ ଚିକିତ୍ସିତା ବି ହୋଇପାରୁ ନାହାନ୍ତି । ସେମାନଙ୍କ ମନରେ ନୈତିକ ସାହସ ଆସୁନାହିଁ, ହୃଦୟରେ ଦୃଢ଼ତା, ବିବେଚନା କରିବାର ଶକ୍ତି, ଚିନ୍ତା କରିବାର ଶକ୍ତି ଫୁଟି ଉଠୁନାହିଁ । ତେଣୁ ଏହି ରୋଗରେ ସାରା ସମାଜ ସଂକ୍ରମିତ ହୋଇ ଦେଶ ଗୋଟାକ ଯାକକୁ ଆଡ଼ଜଷ୍ଟ କରି ପକାଇ ଅଛି ! ଏହାର ପ୍ରତିକାର ଆଗେ ଲୋଡ଼ା । ପର୍ଦାପ୍ରଥାଦ୍ୱାରା ଆମ ସମାଜରେ ପ୍ରଧାନତଃ ଯାହା ଅନିଷ୍ଟ ଘଟିଛି ଓ ଘଟୁଛି ତାହା ନିମ୍ନରେ ବିବୃତ୍ତ ହେଲା ।

 

୧.

ନାରୀଶିକ୍ଷା ସମ୍ପୂର୍ଣ୍ଣ ଭାବରେ ଆମ ଦେଶରେ ଘଟିବା ଅସମ୍ଭବ ହୋଇ ପଡ଼ିଛି, କାରଣ ବାଲ୍ୟାବସ୍ଥା ନ ଯାଉଣୁ କନ୍ୟାମାନଙ୍କ ଅନ୍ଦର ମହଲରେ, ଆବଦ୍ଧ ରଖିବା ହେତୁ ସେମାନେ ଯେ ଶିକ୍ଷା ପାଆନ୍ତି, ତାହା ନା’କୁ ଶିକ୍ଷା ହୋଇ ରହୁଛି ଓ ସେମାନଙ୍କ ଶିକ୍ଷା ଜୀବନ-ସଂଗ୍ରାମରେ କାର୍ଯ୍ୟକାରୀ ହୋଇ ପାରୁନାହିଁ ।

୨.

ନାରୀମାନେ ଦୁର୍ଦିନରେ ଶିକ୍ଷାକୁ ଆଶ୍ରୟ କରି ପାରୁ ନାହାଁନ୍ତି, ତାଙ୍କର ଆଉ ଚେତନ-ଭାବ ଆସୁନାହିଁ ।

୩.

ନାରୀମାନେ ସୁମାତା ହୋଇ ପାରୁ ନାହାନ୍ତି–ସନ୍ତାନର ଦାୟିତ୍ୱ ବହନ କରିବାର ଶକ୍ତି ସମର୍ଥ୍ୟ ଓ ନିପୁଣତା ସେମାନଙ୍କର ଆଦୌ ଆସୁନାହିଁ ।

୪.

ସେମାନେ ପ୍ରତ୍ୟୁତ୍‌ପନ୍ନମତୀ ହୋଇ ପାରୁନାହାନ୍ତି ।

୫.

ସେମାନେ ଘରୁ ବାହାରକୁ ଗଲେ ଚାଲି ପାରୁନାହାନ୍ତି ।

୬.

ନାନାରକମ ରୋଗ ମଧ୍ୟ ହେଉଛି, ଯଥା–ଯକ୍ଷ୍ମା ଅଜୀର୍ଣ୍ଣ, ବାତ ଓ ସୂତିକାଦି ।

୭.

ନାରୀମାନଙ୍କର ନୈତିକ ସାହସ, ଆତ୍ମରକ୍ଷା ଶକ୍ତି ଗଠିତ ହୋଇ ପାରୁନାହିଁ; ତେଣୁ ସମାଜର ପୁରୁଷମାନଙ୍କର ମନ ସ୍ୱାସ୍ଥ୍ୟକର ଭାବରେ ବିକାଶ ପ୍ରାପ୍ତ ହୋଇ ପାରୁନାହିଁ-। ସେମାନଙ୍କର ଚିନ୍ତାର ବୈଶିଷ୍ଟ୍ୟ ଲକ୍ଷିତ ହେଉନାହିଁ ।

୮.

ଜାତିର ସାହସ ଓ ଶକ୍ତି ଏହା ଦ୍ୱାରା ନିମ୍ନଦିଗକୁ ଯାଉଛି ।

୯.

ନାରୀମାନଙ୍କର ଜୀବନର ଅଭିଜ୍ଞତା ବୃଦ୍ଧି ହୋଇପାରୁ ନ ଥିବାରୁ ସେମାନଙ୍କୁ କ୍ଷୁଦ୍ର ଇର୍ଷା, ହିଂସା, ପରଶ୍ରୀକାତରତା, ପରନିନ୍ଦା ଓ କୁତ୍ସାଦିରେ ବ୍ୟାପୃତ ରଖୁଅଛି, ଓ ଏହି ଗୁଣ ପୁରୁଷ ସମାଜକୁ ସଂଚକ୍ରମିତ କରୁଅଛି ।

୧୦.

ଧର୍ମାଧର୍ମ ଜ୍ଞାନ ଓ ଧର୍ମ ପ୍ରବଣତା ଓ ଦେଶ ହିତୈଷିତା ତଥା ଜାତୀୟ ଭାବ ଦେଶରେ ବୃଦ୍ଧି ପାଉନାହିଁ ।

 

ସେଥିପାଇଁ ପର୍ଦାର ଅପକାରୀତା ଯେ ଦାୟୀ ଏହା ଏ ଯୁଗରେ ସମସ୍ତେ ଏକମୁଖରେ ସ୍ୱୀକାର କରୁଅଛନ୍ତି ସତ୍ୟ, କିନ୍ତୁ ମାନସିକ ଓ ନୈତିକ ଶକ୍ତିର ନ୍ୟୂନତା ହେତୁ ସମାଜରେ ଏହି ପ୍ରଥାର ଆମୂଳ ଉଚ୍ଛେଦ କରିବାକୁ ଶକ୍ତି ଓ ସାହସ ଆସୁନାହିଁ । କିନ୍ତୁ ଏହି ପ୍ରଥା ଦୂର କରିବା ଯେ ପ୍ରତ୍ୟେକ ବୁଦ୍ଧିମାନ ବ୍ୟକ୍ତି ଓ ଦେଶ ହିତାକାଂକ୍ଷୀଙ୍କର କର୍ତ୍ତବ୍ୟ ଏଥିରେ ସନ୍ଦେହ ନାହିଁ । ଦେଶର ଅଧଃପତନ ମୂଳରେ ଯେତେ ଗୁଡ଼ିଏ କାରଣ ଅଛି, ପର୍ଦା ତହିଁ ମଧ୍ୟରୁ ଗୋଟିଏ କାରଣ ବୋଲି ଆମ୍ଭେମାନେ ମନେ କରୁ ।

 

ପର୍ଦା ପ୍ରଥା ଆମ୍ଭମାନଙ୍କ ସମାଜରେ ଗୁରୁତୁଲ୍ୟ ନାରୀମାନଙ୍କୁ ପଥ ନିର୍ଦ୍ଦେଶ କରୁଥିବାରୁ ସମାଜର ପୁରୁଷ ସଂଘ କେବଳ ନୁହନ୍ତି, ନାରୀମାନଙ୍କର ସାହସିକତା, ବୁଦ୍ଧିର ବିକାଶ, ନୈତିକଭାବର ପ୍ରାଚୂର୍ଯ୍ୟ ଆସି ପାରୁନାହିଁ । ବୃଦ୍ଧା ନାରୀମାନେ ସେମାନଙ୍କର ପୁତ୍ର ପୌତ୍ରାଦି ସ୍ଥାନୀୟ ପୁରୁଷମାନଙ୍କୁ ଯେତେବେଳେ ‘‘ଆଡ଼’’ ହୋଇ ଚପିଯାନ୍ତି, କିମ୍ବା ବାଧ୍ୟରେ ପଡ଼ିଲେ ପର୍ଦା ସେ ପଟରୁ ମଧ୍ୟସ୍ଥ ଛିଡ଼ାକରି ଯେପରି ଅସ୍ପଷ୍ଟ ଭାବରେ କଥା କହିଥାନ୍ତି, ସେହି ଆଚରଣ ଯେଉଁ ମନୋବୃତ୍ତିର ସଂଜ୍ଞା ନିର୍ଣ୍ଣୟ କରେ, ତାହା ବାସ୍ତବରେ କରୁଣାକର ଉଦ୍ରେକ କରେ । ଲୁଚିବା ମନୋବୃତ୍ତି ପଛରେ ଅଜ୍ଞାତ ଭାବରେ ଯେଉଁ ଆତଙ୍କ କାର୍ଯ୍ୟ କରିଥାଏ, ତାହାକୁ ଯଦି ଅସ୍ୱାସ୍ଥ୍ୟକର ଯୌବନ ଭାବର ଆତଙ୍କ ବା ବିଭିଷିକା କୁହାଯାଏ, ତେବେ ତାହା କଣ ଭୁଲ ହେବ କି ? ଏପରି ଅସ୍ୱାଭାବିକ ମନୋବୃତ୍ତି ସମାଜରେ ଆଜି ପନ୍ଦରଅଣା ତିନିପଇସା ଅଧଲାଏ କହିଲେ କଣ ବାହୁଲ୍ୟ ହେବ ?

Image

 

ଭାରତରେ ନାରୀ ଜାଗରଣ

 

ଅତି ପ୍ରାଚୀନ ଯୁଗରେ ଅର୍ଥାତ୍ ବୈଦିକ ଯୁଗରେ ଆର୍ଯ୍ୟ-ନାରୀଙ୍କର ସାମାଜିକ ଅବସ୍ଥା କଥା ଆଲୋଚନା କଲେ ଜଣାଯାଏ ଯେ, ସେମାନଙ୍କର ପଦ ମର୍ଯ୍ୟାଦା ଓ ସମାଜରେ ସେମାନଙ୍କର ଆସନ ଖୁବ୍‌ ଉଚ୍ଚ ଥିଲା । ପାରିବାରିକ ବିଷୟରେ ସେମାନଙ୍କର ପୂର୍ଣ୍ଣ ଅଧିକାର ଥିଲା । କେବଳ ଭୋଗ ବିଳାସର ସାମଗ୍ରୀରୂପେ ସେମାନେ ବ୍ୟବହୃତ ହେଉ ନ ଥିଲେ । ଆଜି ‘ରମଣୀ’ ‘କାମିନୀ’ ପ୍ରଭୃତି ଶବ୍ଦର ଯେ ଘୃଣ୍ୟ ଅର୍ଥ ବର୍ତ୍ତମାନ ଦେଖା ଯାଉଛି ସେ ସବୁ ସେ ବୈଦିକ ଯୁଗରେ ବ୍ୟବହୃତ ହେଉଥିବାର ଜଣାଯାଏ ନାହିଁ । ପତ୍ନୀ ଯଜ୍ଞରେ ଅଧିକାର ପ୍ରାପ୍ତା-ଜାୟା ନାରୀମାନେ ବ୍ରହ୍ମଚାରିଣୀ, ମନ୍ତ୍ରରଚୟତ୍ରୀ ଓ ଦେବପୂଜକ ହୋଇ ପାରୁଥିଲେ । ଯୁଦ୍ଧକ୍ଷେତ୍ରରେ ମଧ୍ୟ ସେମାନେ ଲିପ୍ତ ଥିବାର ଦୃଷ୍ଟାନ୍ତ ମିଳେ । ବାଲ୍ୟବିବାହ ଓ ବାଧ୍ୟବୈଧବ୍ୟର ବିଷମୟ ଫଳ ସମାଜକୁ ତେତେ ଭୋଗିବାକୁ ପଡ଼ୁ ନ ଥିଲା । ନାରୀମାନେ ନିଜ ଇଚ୍ଛାନୁସାରେ ଅଧିକ ବୟସରେ ବିବାହ କରି ପାରୁଥିଲେ ଏବଂ ଇଚ୍ଛା କଲେ ବହୁକାଳ କୁମାରୀ ମଧ୍ୟ ରହି ପାରୁଥିଲେ । ପୁରୁଷମାନେ ସାଧାରଣତଃ ଏକପତ୍ନୀ ଗ୍ରହଣ କରୁଥିଲେ ଏବଂ ଏହା ମଧ୍ୟ ଆଦର୍ଶ ଥିଲାପରି ଜଣା ପଡ଼େ, କିନ୍ତୁ ସ୍ଥଳବିଶେଷରେ ଏକାଧିକ ପତ୍ନୀ ଯେ ନ ଥିଲେ ଏହା ନୁହେଁ । କୌଣସି କୌଣସି ଋଷିମାନଙ୍କର ମଧ୍ୟ ଏକାଧିକ ପତ୍ନୀ ଥିଲେ ଏବଂ ରାଜାମାନଙ୍କର ଶତ ଶତ ପତ୍ନୀ ଥିବାର ଉଲ୍ଲେଖ ଅଛି । କିନ୍ତୁ ସେମାନଙ୍କ ମଧ୍ୟରୁ ଯେ ପ୍ରଥମେ ପୁତ୍ରବତୀ ହୁଏ ତାର ନାମ ହେଉଥିଲା ମହିଷୀ, ଦ୍ୱିତୀୟାର ନାମ ପରିବୃକ୍ତି, ତୃତୀୟାର ନାମ ବାବ୍ୟତା, ଚତୁର୍ଥାର ନାମ ପାକାଗଳୀ । ସେ ଯୁଗରେ ସମାଜର ଦୃଢ଼ ଧାରଣା ଥିଲା ସ୍ତ୍ରୀ ବ୍ୟତୀତ ପୁରୁଷ ଅସପୂର୍ଣ୍ଣ, ସ୍ତ୍ରୀ ପୁରୁଷ ସଂଯୋଗ ବିନା ମନୁଷ୍ୟର ପୂର୍ଣ୍ଣ ବିକାଶ ସମ୍ଭବ ନୁହେଁ । ସମ୍ପତ୍ତିରେ ଓ ଅର୍ଥରେ ମଧ୍ୟ ନାରୀର ଅଧିକାର ଥିଲା । କୁମାରୀ ଅବସ୍ଥାରେ ସେମାନେ ଯାହା ରୋଜଗାର କରୁଥିଲେ ଏବଂ ବିବାହବେଳେ ସେମାନେ ଯାହା ଉପହାର ପାଉଥିଲେ ସେମାନଙ୍କର ତାହା ନିଜସ୍ୱ ସମ୍ପତ୍ତି ଥିଲା । ସେମାନେ ନୃତ୍ୟ ଓ ଗୀତ ଶିକ୍ଷା କରୁଥିଲେ । ପୁତ୍ର ଓ ସ୍ୱାମୀ ନିକଟରେ ନାରୀର ସମ୍ମାନ ବେଶୀ ଥିଲା ।

 

ବୈଦିକ ଯୁଗରେ ନାରୀମାନଙ୍କର ଯେପରି ସ୍ୱଚ୍ଛଳ ଅବସ୍ଥା ଥିଲା, ପୌରାଣିକ ଓ ମଧ୍ୟଯୁଗରେ ସେମାନଙ୍କର ଅବସ୍ଥା କ୍ରମଶଃ ଶୋଚନୀୟ ହୋଇଥିବା ପରି ଜଣାପଡ଼େ । ଶିକ୍ଷାରେ, ଜ୍ଞାନରେ, ସବୁ କ୍ଷେତ୍ରରେ ସେମାନଙ୍କର ଶକ୍ତି ଖର୍ବ ହୋଇଥିଲା । ମଧ୍ୟଯୁଗରେ ଏକାବେଳକେ ସବୁ ଓଲଟପାଲଟ ହୋଇଥିଲା । ବାଲ୍ୟ ଓ ବିଧବା ବିବାହ ପରାଧୀନତା ଓ ଦାସତ୍ୱ ସବୁ ବୈଷମ୍ୟ ସବୁ ଏକ ସଙ୍ଗରେ ଚନ୍ଦ୍ରକୁ ରାହୁ ଗ୍ରାସିଲା ଭଳି ନାରୀ ସମାଜକୁ ଗ୍ରାସିଗଲା । ସମଗ୍ର ନାରୀଜାତି ଏକାବେଳକେ ଦେହ ମନରେ ପଙ୍ଗୁ ହୋଇଗଲା କହିଲେ ଅତ୍ୟୁକ୍ତି ହେବ ନାହିଁ । କେଉଁ ଶହ ଶହ ବର୍ଷ ଧରି ଏପରି ଅନାଚାର ଓ ଅତ୍ୟାଚାର ଓ ଅତ୍ୟାଚାରରେ ପ୍ରପୀଡ଼ିତ ହୋଇ ନାରୀଜାତି ସଢ଼ି ପଚି ରହିଛି ବୋଲି ଆଜି ସେମାନଙ୍କ ଦୁଃଖ ଦୂରକରି ପ୍ରାଚୀନ ଗୌରବ ଫେରାଇ ଆଣିବାର ଆୟୋଜନ ଚାଲିଛି । ତାର ପଥ ଯେତେ ସୁଚିନ୍ତିତ ହେଉ ନା କାହିଁକି ସୁଗମ୍ୟ ହୋଇ ପାରୁନାହିଁ ।

 

ବର୍ତ୍ତମାନ ସମୟରେ ମାନବ ଜୀବନରେ ପୃଥିବୀରେ ଯେଉଁ ତୁମୁଳ ଆନ୍ଦୋଳନ ଚାଲିଛି, ତାହା ଦେଖିଲେ ବାସ୍ତବିକ ଆଶ୍ଚର୍ଯ୍ୟ ହେବାକୁ ହୁଏ । ଏହା ବୋଲି ଯେ କିଛି ଅତର୍କିତ ଭାବରେ ଅସମ୍ଭବ ଭାବରେ ସବୁ ଘଟି ଯାଇଛି, ଏହା କୁହାଯାଇ ନ ପାରେ, ଅନେକ ପଣ୍ଡିତଙ୍କ ମତରେ ମାନବ ସମାଜର ଏ ପରିବର୍ତ୍ତନ କ୍ରମ ବିକାଶର ଗୋଟିଏ ସ୍ତର ମାତ୍ର, ଏ ତୁମୁଳ ଆନ୍ଦୋଳନର ପ୍ରଭାବ ପୃଥିବୀର ସଭ୍ୟଦେଶମାନଙ୍କରେ ଖୁବ୍‌ ତୀବ୍ର ଗତିରେ ଚାଲିଛି ବୋଲି ତୀବ୍ରଭାବରେ ଅନୁଭୂତ ହେଉଛି ଏବଂ ଅନୁନ୍ନତ ଅଞ୍ଚଳମାନଙ୍କରେ ଏହାର କ୍ଷୀଣ ଆଭାସ ମଧ୍ୟ ମିଳୁଛି । ଭାରତବର୍ଷ ଉପରେ ଏହାର ପ୍ରଭାବ ଯଥେଷ୍ଟ ପରିମାଣରେ ପଡ଼ିଛି ବୋଲି କହିବାକୁ ହେବ । ଏହି ପରିବର୍ତ୍ତନର ସ୍ୱରୂପ ଯେ ମୁହୁର୍ମୁହୁଃ ପରିବର୍ତ୍ତିତ ହେଉଛି, ଏଥିରେ କୌଣସି ସନ୍ଦେହ ନାହିଁ ।

 

ଭାରତରେ ଯେଉଁ ପ୍ରାଚୀନ ରୀତି ନୀତି ଆଚାର ବିଚାର ପ୍ରଚଳନ ହୋଇ ଆସୁଥିଲା, ଆଜି ସେଥିରେ କେତେକ ପରିବର୍ତ୍ତନ ଦେଖିବାକୁ ମିଳୁଛି । ପ୍ରାଚୀନତା ଯେ ଏକାବେଳକେ ପରିବର୍ତ୍ତିତ ହୋଇ ଗୋଟିଏ ନୂତନ ଆକାର ଧାରଣ କରିଛି; ଏହା କୁହାଯାଇ ନ ପାରେ । ପ୍ରାଚୀନତାକୁ ଭାଙ୍ଗି ଚୁରି ଏକାବେଳକେ ନୂତନ କରିବା ପାଇଁ କେତେ ଅଛନ୍ତି, ଯେଉଁମାନେ କି ଏଥିପାଇଁ ଲାଗି ପଡ଼ିଛନ୍ତି ଏବଂ ଆଉ କେତେ ମଧ୍ୟ ଅଛନ୍ତି, ଯେଉଁମାନଙ୍କ ମତରେ ପ୍ରାଚୀନତା ମଧ୍ୟରେ ସବୁ ଦୋଷ ରହିଛି, ତାକୁ ସୁଧାରିବାହିଁ ବିବେକର କାର୍ଯ୍ୟ । ମତଭେଦ ନେଇ ଆଜି ପର୍ଯ୍ୟନ୍ତ ଆଲୋଚନା ଚାଲିଛି । କେବେ ଯେ ଶେଷ ହେବ ଏହା କେହି କହି ପାରିବ ନାହିଁ । ତେବେ ପରିବର୍ତ୍ତନ ଯେ ଆବଶ୍ୟକ ଏଥିରେ ସନ୍ଦେହ ନାହିଁ ।

 

ହିନ୍ଦୁ ସମାଜରେ ନାନାଦି ରକମର କୁସଂସ୍କାର ପୂର୍ଣ୍ଣ ହୋଇ ରହିଛି । ସେ ଗୁଡ଼ିକର ନିରାକରଣ ଯେ ନିତାନ୍ତ ଦରକାର ଏଥିରେ ସନ୍ଦେହ ନାହିଁ । ସମାଜର ଏକ ଅର୍ଦ୍ଧାଂଶର ଅବସ୍ଥା ଏକାବେଳକେ ଶୋଚନୀୟ ହୋଇ ପଡ଼ିଛି । ତାର ସମସ୍ତ ଶକ୍ତି, ସମସ୍ତ ବୈଶିଷ୍ଟ ଭାଙ୍ଗି ରୁଜି ଚୂର୍ଣ୍ଣ ହୋଇଯାଇଛି, ଏଥିପାଇଁ ସମାଜ ଜଡ଼ ହୋଇ ପଡ଼ିଛି । ତାକୁ ସଚଳ ସତେଜ ତଥା ସକ୍ରିୟ କରିବାକୁ ହେଲେ ସେ ଅର୍ଦ୍ଧଅଙ୍ଗକୁ ଜୀବନ ଦାନ କରିବାକୁ ହେବ । ଯେତେଦିନ ପର୍ଯ୍ୟନ୍ତ ଭାରତୀୟ ନାରୀଜାତିର ଅବସ୍ଥା ଅନୁନ୍ନତ ଭାବରେ ରହିଥିବ, ସେତିଦନ ସେମାନଙ୍କର ଦୁଃଖ ଦୁର୍ଦ୍ଦଶା ଲୋପ ପାଇନାହିଁ । ସମଗ୍ର ସମାଜର ଅଗ୍ରଗତି ସେତେଦିନ ଅସମ୍ଭବ ।

 

ଭାରତରେ ନାରୀଜାତିର ଉନ୍ନତି ପାଇଁ ଯେଉଁ ସବୁ ଆନ୍ଦୋଳନ ହୋଇଛି, ତାର ପ୍ରକୃତ ଇତିହାସ କହିବାକୁ ଗଲେ ୫୦/୬୦ ବର୍ଷରୁ ବେଶି ହେବ ନାହିଁ । ୟୁରୋପ ଓ ଅନ୍ୟାନ୍ୟ ପାଶ୍ଚାତ୍ୟ ଦେଶଗୁଡ଼ିକରେ ଯେପରି ନାରୀ ଆନ୍ଦୋଳନର ଗତି ଆରମ୍ଭ ହୋଇଥିଲା, ଭାରତରେ ଠିକ୍ ସେହିପରି ନ ହେଲେହେଁ ତାର କେତେକ ଅଂଶକୁ ଆଦର୍ଶ ଭାବରେ ରଖି କାର୍ଯ୍ୟାରମ୍ଭ ଘଟିଥିଲା । ଏଠାରେ ନାରୀ ଆନ୍ଦୋଳନ କେବଳ ଶିକ୍ଷିତା ନାରୀମାନଙ୍କଦ୍ୱାରା ଆରମ୍ଭ ହୋଇନାହିଁ । କେତେ ଜଣ ସମାଜ ଶୁଭକାଂକ୍ଷୀ ଉଚ୍ଚମନା ପୁରୁଷ ଏହାର ଅଗ୍ରଣୀ ହୋଇ ବରାବର କାର୍ଯ୍ୟ କରିଛନ୍ତି । ଇଂଲଣ୍ଡର ସଫ୍ରେଜିଷ୍ଟ ଆନ୍ଦୋଳନଠାରୁ ଭାରତର ନାରୀ ଆନ୍ଦୋଳନର ଗତି ପୃଥକ ବୋଲି କହିବାକୁ ହେବ । ରାଜା ରାମମୋହନ ରାୟ, ଈଶ୍ୱରଚନ୍ଦ୍ର ବିଦ୍ୟାସାଗର, ପଣ୍ଡିତା ରାମାବାଈ, ବିବେକାନନ୍ଦ, ବୀରେଶଲିଙ୍ଗମ୍ ପ୍ରଭୃତି ସଂସ୍କାରକମାନେ ଏହି ଆନ୍ଦୋଳନର ଭିତ୍ତି ସ୍ଥାପନ କରୁଛନ୍ତି କହିଲେ ଅତ୍ୟୁକ୍ତି ହେବନାହିଁ । ପଞ୍ଜାବର ଆର୍ଯ୍ୟସମାଜ, ବଙ୍ଗଳାର ବାହ୍ମସମାଜ, ଖ୍ରୀଷ୍ଟାନ ମିଶନାରୀ ସମ୍ପ୍ରଦାୟ, ଏହି ଆନ୍ଦୋଳନର ବହୁ କାର୍ଯ୍ୟ କରିଅଛନ୍ତି । ଶିକ୍ଷିତା ନାରୀ ଓ ଶିକ୍ଷିତ ପୁରୁଷ ଉଭୟେ ମିଳି ମିଶି ଆନ୍ଦୋଳନର ଗତିକୁ ନିୟନ୍ତ୍ରିତ କରିଛନ୍ତି । ଏହା ଯେ ଗୋଟିଏ ସମାଜ ପକ୍ଷରେ ମଙ୍ଗଳ ବିଷୟ, ଏଥିରେ ସନ୍ଦେହ ନାହିଁ ।

 

କେତେକ ପ୍ରାଚୀନ କୁରୀତିକୁ ଧ୍ୱଂସ କରିବା ଯେ ନିତାନ୍ତ ଦରକାର ଏଥିରେ ଦ୍ୱିରୁକ୍ତି ନାହିଁ-। ଘରେ, ପରିବାରର ସାମାଜିକ, ଅର୍ଥନୈତିକ ଓ ଆଧ୍ୟାତ୍ମିକ ବିଷୟରେ ନାରୀ ଜାତିର କୌଣସି ଉଲ୍ଲେଖ ଯୋଗ୍ୟ ଅଧିକାର ନାହିଁ କହିଲେ ଚଳେ । ପରଦା ନାରୀର ଭୂଷଣ ବୋଲି ବିବେଚିତ ହେଉଛି । ବିଧବା ବିବାହ ଓ ଯୁବତୀବିବାହ ତ ଏକପ୍ରକାର ବ୍ୟଭିଚାରର ବିଷୟ ! ଏହିସବୁ କୁରୀତି ବିପକ୍ଷରେ ଯେଉଁମାନେ ପ୍ରଥମେ ଅଭିଯାନ ଆରମ୍ଭ କରିଥିଲେ, ସେମାନଙ୍କ ପ୍ରତି ସମାଜର ଉତ୍ପୀଡ଼ନ, କିଛି କମ୍ ନ ଥିଲା । ଅଧୀରା ନ ହୋଇ ସେମାନେ ନିଜର କର୍ମପନ୍ଥା ପରିତ୍ୟାଗ କରି ନଥିଲେ ବୋଲି ଆଜି ଦେଶର ଶତ ଶତ ସହସ୍ର ସହସ୍ର ନରନାରୀ ସେହି ପଥର ପଥିକ ହେବାକୁ ସାହସ ହେଉଛନ୍ତି ।

 

ଯେଉଁସବୁ ଅନୁଷ୍ଠାନଗୁଡ଼ିକ ନାରୀ ଆନ୍ଦୋଳନ ଦିଗରେ କାର୍ଯ୍ୟ କରିଛନ୍ତି, ସେମାନଙ୍କର ଇତିହାସ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଥିବ । ନାରୀମାନଙ୍କର ବିଭିନ୍ନ କ୍ଷେତ୍ରରେ ନାର୍ଯ୍ୟ ଅଧିକାର ପାଇଁ ଯେଉଁସବୁ ଆନ୍ଦୋଳନ ହୋଇଥିଲା ତାର ସଂକ୍ଷିପ୍ତ ଇତିହାସ ନିମ୍ନରେ ପ୍ରଦତ୍ତ ହେଲା ।

Image

 

ମତାଧିକାର ଆନ୍ଦୋଳନର ଇତିହାସ

 

ପଶ୍ଚିମୀୟ ଶିକ୍ଷା ଓ ପାଶ୍ଚାତ୍ୟ ଦେଶ ଭ୍ରମଣର ସୁଯୋଗ ଯେଉଁ କାଳରେ ଭାରତନାରୀ ମନରେ ଗୋଟିଏ ଅପୂର୍ବ ଉଦ୍‍ବେଗ ଓ ଅଦ୍ଭୁତ ପୂର୍ବ ସଂକଳ୍ପକୁ ଜନ୍ମ ଦେଇଥିଲା, ସେହି କାଳରେ ସେହି ଯୁଗ ସନ୍ଧି ସମୟରେ ଭାରତନାରୀ ଚାହିଁଥିଲା, ସେ ମଧ୍ୟ ସାର୍ବଜନୀନ କାର୍ଯ୍ୟରେ ଦେଶର ଭାଗ୍ୟ ନିୟନ୍ତ୍ରିଣୀ ହେବାର ଗୁରୁ ଦାୟିତ୍ୱ ବହନ କରିବ । ଭାରତବର୍ଷ କେବଳ ଯେ ପ୍ରାଚୀନ କାଳରେ ନାରୀ ସମ୍ମାନର ପ୍ରମାଣ ଦେଖାଇଥିଲା, ତାହା ନୁହେଁ, ବିଗତ ଶତାବ୍ଦୀରେ ଭାରତବର୍ଷର ରାଷ୍ଟ୍ରୀୟ ସଂଘ ବା କଂଗ୍ରେସ ମହାସଭା ନାରୀକୁ ଅନୁଷ୍ଠାନର ସଂଗଠନ କାର୍ଯ୍ୟରେ ଯୋଗଦାନ କରିବାର ସୁବିଧା ଦେଇ ସମ୍ମାନିତ କରିଥିଲେ । ସୁଯୋଗ୍ୟ ନାରୀମାନେ ସେ ସମୟରେ କଂଗ୍ରେସ ପ୍ରତିନିଧି ହୋଇ ପାରୁଥିଲେ ଏବଂ ସେମାନଙ୍କୁ ମଧ୍ୟ କଂଗ୍ରେସ ଭୋଟ ଦେଇ ପ୍ରତିନିଧି କରିପାରୁ ଥିଲେ । ତାହାର ପ୍ରମାଣ ଆନି ବେଶାନ୍ତ ଓ ସରୋଜିନୀ ନାଇଡ଼ୁଙ୍କୁ କଂଗ୍ରେସ ସଭାପତିତ୍ୱରେ ବରଣ କରା ଯାଇଥିଲା ।

 

ହୋମରୁଲ୍ ଆନ୍ଦୋଳନ କାଳରେ ମଣ୍ଟେଗୁ ଯେତେବେଳେ ଭାରତ ଶାସନ ସଂସ୍କାର ପାଇଁ ଆସିଥିଲେ, ସେତେବେଳେ ନିଖିଳ ଭାରତ ମହିଳା ସମାଜ ନାରୀର ଭୋଟାଧିକାର ଦାବୀ ଜଣାଇଥିଲେ ଏବଂ କଂଗ୍ରେସ ମଧ୍ୟ ଏହି ଦାବୀକୁ ସମର୍ଥନ କରିଥିବାର ନଜୀର ଦେଖାଇ ଥିଲେ । କିନ୍ତୁ ମଣ୍ଟେଗୁ ଓ ଚେଲ୍‌ମସ୍‌ଫୋର୍ଡ଼ ଯେ ସଂସ୍କାର ଖସଡ଼ା ବିଲାତ ସରକାରଙ୍କୁ ଦେଇଥିଲେ, ତହିଁରେ ନାରୀଙ୍କ ଦାବୀର ଉଲ୍ଲେଖ ନଥିଲା । ଜୁଲାଇ ୧୯୧୯ ରେ ସରକାରଙ୍କ Government of India Act ପାର୍ଲାମେଣ୍ଟରେ ଦାଖଲ ହେଲା । ପରେ ପାର୍ଲାମେଣ୍ଟର ଜୟେଣ୍ଟ ସିଲେକ୍ଟ କମିଟି ଆଗରେ ଦାବୀ ଉପସ୍ଥାପିତ କରିବା ପାଇଁ ଭାରତ ନାରୀଙ୍କ ତରଫରୁ ଏନି-ବେସାନ୍ତ, ସରୋଜିନୀ ନାଇଡ଼ୁ ଓ ହୀରାବାଇ ଟାଟା ବିଲାତ ଯାଇଥିଲେ । ଏମାନେ ଭାରତୀୟ ନାରୀଙ୍କ ମୌଳିକ ଦାବୀକୁ ଖୁବ୍ ଦୃଢ଼ ଭାବରେ ସମର୍ଥନ କରି କହିଥିଲେ ।

 

କିନ୍ତୁ ଏତେ କାଣ୍ଡପରେ ବି ଅବସ୍ଥା ଯଥାପୂର୍ବ ତଥାପରଂ ରହିଥିଲା । କିନ୍ତୁ ନିର୍ବାଚନ ନିୟମରେ ଯେଉଁ ବ୍ୟବସ୍ଥାପକ ସଭା ଚାହିଁବେ ନାରୀମାନଙ୍କୁ ସେ ପ୍ରଦେଶର ନିର୍ବାଚନରେ ନିଆଯାଇପାରିବ ଏପରି ଗୋଟାଏ ବିଷୟ ଥିବାରୁ ପ୍ରଥମେ ମାନ୍ଦ୍ରାଜ ନାରୀଙ୍କୁ ଏହି ଅଧିକାର ଦେଇଥିଲା । କିନ୍ତୁ ବଙ୍ଗଳାରେ ଏହି ପ୍ରସ୍ତାବରେ ମୁସଲମାନମାନେ ଭୀଷଣ ବିରୋଧ କରିଥିଲେ । ଶେଷରେ ବହୁମତରେ ନାରୀଙ୍କ ଦାବୀ ସେଠାରେ ସ୍ୱୀକୃତ ହୋଇଥିଲା । ତାପରେ ସଂଯୁକ୍ତ ପ୍ରଦେଶ, ଆସାମ, ବିହାର ଓଡ଼ିଶା ପଞ୍ଜାବ ପ୍ରଭୃତି ଅନେକ ବ୍ୟବସ୍ଥାପକ ସଭାମାନେ ନାରୀକୁ ଏହି ଦାବୀ ଦେଇଥିଲେ । ସେହି ସମୟରେ ଆମ ଦେଶରେ ମୋଟେ ୧୦ ଲକ୍ଷ ନାରୀ ଭୋଟର ଥିଲେ-। ସେମାନଙ୍କର ସମ୍ପତ୍ତି ଯୋଗ୍ୟତା ନେଇ ସେମାନେ ଭୋଟ ଅଧିକାର ପାଇଥିଲେ ।

 

ଦାବୀ ତ ମିଳିଲା, କିନ୍ତୁ ସେତେଦିନ ଯାଏ କାଉନ୍‌ସିଲ ପ୍ରବେଶ କରିବାର ସୁବିଧା ନାରୀଙ୍କୁ ମିଳି ନ ଥିଲା । କିନ୍ତୁ ୧୯୨୭ରେ ମୁଡ଼ିମେନ କମିଟିର ସୁପାରିସ୍‌ ନାରୀମାନଙ୍କୁ ସେହି ସୁବିଧା ଦେଇଥିଲା । ପ୍ରଥମେ ମାନ୍ଦ୍ରାଜର ପ୍ରଥମ ମହିଳା ପ୍ରତିନିଧି ମୃଦୁଲକ୍ଷ୍ମୀ ରେଡ଼ି ଏହି ସୁବିଧା ପାଇଥିଲେ । ସେ ଦେବଦାସୀ ପ୍ରଥା, ସ୍ତ୍ରୀ ଓ ପିଲାମାନଙ୍କ କ୍ରୟ ବିକ୍ରୟ ପ୍ରଥା ରଦ କରାଇ ଦେଇଥିଲେ । ସେ ପ୍ରଦେଶର ନାରୀଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ସେ କାର୍ଯ୍ୟକରି ସଫଳ ହୋଇଛନ୍ତି ।

 

ମାନ୍ଦ୍ରାଜ ଓ ବମ୍ବେରେ କରପୋରେଶନ ନିର୍ବାଚନ ଅଧିକାର ବହୁକାଳୁ ନାରୀମାନେ ପାଇଛନ୍ତି । ପୁଣି ମ୍ୟୁନିସିପାଲିଟି ବୋର୍ଡ଼ ନିର୍ବାଚନରେ ପ୍ରତିନିଧି ହେବାର ଅଧିକାର ସେମାନେ ବହୁକାଳୁ ପାଇଛନ୍ତି । ଏବେ ବମ୍ବେ କରପୋରେସନରେ ୧,୩୦୦ ନାରୀମାନେ ନିର୍ବାଚିତ ହେବାର ଅଧିକାର ରଖନ୍ତି । ୧୯୨୨ ରୁ ଆଜି ପର୍ଯ୍ୟନ୍ତ ୧୦୦ରୁ ଅଧିକ ନାରୀ ସେଠାର ମ୍ୟୁନିସିପାଲିଟି କରପୋରେସନ ଆଦିରେ ନିର୍ବାଚିତ ହୋଇ ସାରିଛନ୍ତି । ଯଦିଓ ଅନେକ ସରକାରୀ ମନୋନୀତ, ଆଜି ପୁରୁଷଙ୍କ ସହିତ ପ୍ରତିଯୋଗିତାରେ ଜୟକରି ଅନେକ ସଭ୍ୟ ହୋଇ ପାରିଛନ୍ତି । ଏ କିଛି କମ୍ କଥା ନୁହେଁ, ବିଶେଷତଃ ଏ ଦେଶ ନାରୀଙ୍କ ପକ୍ଷରେ ।

 

ଭାରତରେ ତ୍ରିବାଙ୍କୁଡ଼, ମହୀଶୂର, ରାଜକୋଟ, ଝାଲାକାର, କୋଚୀନ ରାଜ୍ୟରେ ନାରୀମାନଙ୍କୁ ଭୋଟ୍‍ଦେବା ଅଧିକାର ମିଳିଛି ।

 

ଏକଥା କହିବା ବାହୁଲ୍ୟ ମାତ୍ର ଏବଂ ନ କହିଲେ ସତ୍ୟର ଅମର୍ଯ୍ୟାଦା କରାହେବ ଯେ, ଭାରତରେ ଯେଉଁ ୫୦ ବର୍ଷ ହେଲା ନାରୀ ଆନ୍ଦୋଳନ ଚଳି ଆସୁଛି, ଭାରତର ଜାତୀୟ ମହାସଭା କଂଗ୍ରେସ୍‌ ସେହି ଆନ୍ଦୋଳନକୁ ପରୋକ୍ଷରେ ହେଉ, ପ୍ରତ୍ୟକ୍ଷରେ ହେଉ ସାହାଯ୍ୟ କରି ଆସୁଛି । ଅର୍ଥାତ୍ ନାରୀଙ୍କ ଦାବୀକୁ ଜାତୀୟସଭା ବଡ଼ ଆଦର ଓ ଶ୍ରଦ୍ଧାର ସହିତ ଗ୍ରହଣ କରିଅଛି । ତାହାର ପ୍ରମାଣ ବିଗତ ସତ୍ୟାଗ୍ରହ ଆନ୍ଦୋଳନର ଇତିହାସ ଦିଏ । ଦେଶର ଦରିଦ୍ର ଅଶିକ୍ଷିତ, ମୂର୍ଖଙ୍କ ଠାରୁ ଆରମ୍ଭ କରି ଶିକ୍ଷିତ ଜ୍ଞାନୀ ଧନୀ ମହିଳା ଏ ଆନ୍ଦୋଳନରେ ଆସି ଦେଖାଇ ପାରିଛନ୍ତି ଯେ, ଜାତି ତାଙ୍କଠାରୁ କେତେ ଭାବରେ ସାହାଯ୍ୟ ଓ ସହାନୁଭୂତି ଲାଭ କରିପାରେ । ନାରୀମାନେ ଅନେକ ପ୍ରଦେଶରେ ଏହି ଆନ୍ଦୋଳନରେ ନେତ୍ରୀତ୍ୱ ଗ୍ରହଣ କରି ଯେପରି ଭାବରେ କାର୍ଯ୍ୟ କରିଛନ୍ତି, ତାହା ସମସ୍ତଙ୍କର ବିସ୍ମୟର ବିଷୟ ହୋଇ ଥିଲା । ଆଜି ମଧ୍ୟ ଯେ ମହିଳାମାନେ ସବୁପ୍ରକାର ଦାବୀ କରିବାକୁ ସାହସ କରି ପଦାକୁ ଗୋଡ଼ ବଢ଼ାଇଛନ୍ତି, ଏତିକି ସାହସ ଓ ସୁବିଧା ଯଦି କେହି ଦେଇଥାଏ, ତେବେ କେବଳ ବାରଅଣାଯାଏ ପ୍ରଶଂସା ନିଖଳ ଭାରତ କଂଗ୍ରେସ ମହାସଭାର ପ୍ରାପ୍ୟ ଏଥିରେ ସନ୍ଦେହ ନାହିଁ । କିନ୍ତୁ ନାରୀର ଦାବୀ ତ ବର୍ତ୍ତମାନ ଏତିକିରେ ସମାପ୍ତ ନୁହେଁ:–ତାହାର ଗତି ଦୂର ବିସ୍ତୃତ ।

 

ମଣ୍ଟେଗୁ ଶାସନ ସଂସ୍କାର ଶେଷ ହେବାକୁ ବସିଲାଣି । ନୂଆ ଶାସନରେ ମହିଳାମାନଙ୍କୁ ଯେଉଁ ସବୁ ଅଧିକାର ମିଳିବାର ସୂଚନା ମିଳିଛି ତାହା ଆଦୌ ସନ୍ତୋଷଜନକ ନୁହେଁ । ବୟସ୍କାମାନଙ୍କର ମତାଧିକାର ଭାରତୀୟ ନାରୀମାନଙ୍କର ଲକ୍ଷ୍ୟ । ଏହା ନ ହେବା ପର୍ଯ୍ୟନ୍ତ ଅଧିକାର ପୂରା ମାତ୍ରାରେ ଦିଆଗଲା ବୋଲି କୁହାଯାଇ ପାରିବ ନାହିଁ ।

 

ବୟସ୍କା ମତାଧିକାର ପାଇବା ପାଇଁ ମହିଳାମାନଙ୍କୁ ଆହୁରି ବେଶି ପରିଶ୍ରମ କରିବାକୁ ପଡ଼ିବ । ଶାସକମାନଙ୍କର ଯେପରି ମତିଗତି ଦେଖାଯାଉଛି ସେଥିରେ ଆଶାର କୌଣସି ସୂଚନା ନାହିଁ । ଭବିଷ୍ୟତ ଶାସନ ସଂସ୍କାରରେ ଯେଉଁ ସବୁ ଯୋଗ୍ୟତା ଥିଲେ ନାରୀ ଭୋଟ ଅଧିକାର ପାଇବ ତାହା ବହୁଳ ପରିମାଣରେ ଆମ ଦେଶରେ ନାହିଁ । ସ୍ତ୍ରୀମାନଙ୍କର ନିଜର ସମ୍ପତ୍ତି ଯୋଗ୍ୟତା ଆଦୌ ନାହିଁ କହିଲେ ଚଳେ । ଏପରି ସ୍ଥଳେ ସେମାନେ ବା ଅଧିକାର ପାଇଲେ କଣ ? ସ୍ୱାମୀର ସମ୍ପତ୍ତି ବଳରୁ ଯେଉଁ ଭୋଟାଧିକାର ସ୍ତ୍ରୀ ପାଇବ ତାହା ଦ୍ୱାରା ସ୍ୱାୟତ୍ତ-ଶାସନ-ମାଧୁରୀ ସେ ଆସ୍ୱାଦାନ କରି ପାରିବ ନାହିଁ । ଯେପରି ବ୍ୟବସ୍ଥା ହୋଇଛି ସେଥିରେ ମହିଳାମାନଙ୍କୁ ମାନବୋଚିତ ଅଧିକାରରୁ ବଞ୍ଚିତ କରାଯାଉଛି । ଭାରତ ଯେତେ ସ୍ୱାଧୀନତା ପାଉନା କାହିଁକି ପୂର୍ଣ୍ଣ ମତାଧିକାର ନଦେଲେ ନାରୀମାନେ ସ୍ୱାଧୀନ ଶାସନର ପୂର୍ଣ୍ଣ ଅର୍ଥ ବୁଝି ପାରିବେ ନାହିଁ ଏବଂ ପ୍ରକୃତ ସ୍ୱାଧୀନତା ଉପଭୋଗ କଲେ ବୋଲି କୁହା ଯାଇ ପାରିବ ନାହିଁ ।

Image

 

ସାମାଜିକ ଅଧିକାର

 

କି ରାଜନୀତି କ୍ଷେତ୍ର, କି ସାମାଜିକ କ୍ଷେତ୍ର କୌଣସିଠାରେ ଭାରତୀୟ ମହିଳାଙ୍କର ଉଲ୍ଲେଖ ଯୋଗ୍ୟ ଓ ସନ୍ତୋଷଜନକ ପରିବର୍ତ୍ତନ ହୋଇ ପାରୁନାହିଁ । ଅବଶ୍ୟ ରାଷ୍ଟ୍ରୀୟ ସ୍ୱାଧୀନତା ଆନ୍ଦୋଳନରେ ସହସ୍ର ସହସ୍ର ତ୍ୟାଗୀ ବୀରାଙ୍ଗନାମାନଙ୍କର ଯୋଗଦାନ ପୃଥିବୀର ଅନ୍ୟାନ୍ୟ ଦେଶମାନଙ୍କରେ ଗୋଟିଏ ଉଚ୍ଚ ଧାରଣା ଆଣି ଦେଇଛି, ସତ୍ୟ, କିନ୍ତୁ ପ୍ରକୃତରେ ଦେଖିବାକୁ ଗଲେ ଦେଶର ମହିଳାଙ୍କର ସମୂହ ସଂଖ୍ୟା ତୁଳନାରେ ସେମାନଙ୍କ ସଂଖ୍ୟା ନଗଣ୍ୟ । ସମାଜ ଘୋର ଅନ୍ଧକାରରେ ବୁଡ଼ି ରହିଛି । ନାରୀମାନଙ୍କର ଶୋଚନୀୟ ଅବସ୍ଥାର ପରିବର୍ତ୍ତନ କରିବାକୁ ହେଲେ ଆହୁରି ତୀବ୍ର ଆନ୍ଦୋଳନ କରିବା ଉଚିତ ବୋଲି ମନେ ହୁଏ, ବିଶେଷତଃ ଯେତେବେଳେ ଦେଶରେ ରକ୍ଷଣଶୀଳ, ସନାତନୀମାନଙ୍କ ସଂଖ୍ୟା କମ୍‍ ନୁହେଁ ଏବଂ ସରକାରଙ୍କର ମନୋଭାବ ନିର୍ମ୍ମଳ ଓ ସ୍ୱଚ୍ଛ ନୁହେଁ, ସେତେବେଳେ ସଂସ୍କାରପ୍ରୟାସୀମାନେ ନିଜ ଉପରେ ନିର୍ଭର କରି କାର୍ଯ୍ୟକ୍ଷେତ୍ରରେ ଅଗ୍ରସର ହେବାକୁ ହେବ । ଯେତେବେଳେ ସରକାରଙ୍କର ସହାୟତା କଥା ଉଠିଛି, ସେତେବେଳେ ସରକାର ଖୁବ୍ ପଛେଇଛନ୍ତି ଏବଂ ଏ ଦିଗରେ ସେମାନଙ୍କର ବିରୋଧ ଭାବ ସ୍ପଷ୍ଟ ଭାବରେ ବ୍ୟକ୍ତକରି ନ ଥିଲେହେଁ ଏକପ୍ରକାର ତାହାହିଁ ହୋଇଛି । ଶାରଦାଆଇନ କହ, ବିବାହ ବିଚ୍ଛେଦ ବିଲ୍ କହ, ସମ୍ପତ୍ତି ଅଧିକାର କହ କିମ୍ବା ଶିକ୍ଷା ବ୍ୟବସ୍ଥାରେ କହ ଅଥବା ନାରୀ ମତ୍ତାଧିକାର ନେଇ କହ, କୌଣସିଠାରେ ସରକାର ସାହାଯ୍ୟ କରିବା ପାଇଁ ଅଗ୍ରସର ହୋଇ ନାହାନ୍ତି । ସାଧାରଣ ଲୋକଙ୍କ ଏବଂ ସରକାରଙ୍କ ବ୍ୟବହାର ଯେତେବେଳେ ସର୍ବତୋଭାବେ ଆଶାଜନକ ନୁହେଁ, ତେତେବେଳେ ନାରୀଜାତିକୁ ନାରୀ ମଙ୍ଗଳାକାଂକ୍ଷୀ ପୁରୁଷ ସଂସ୍କାରକ ବର୍ଗକୁ ଆହୁରି ଅଧିକ ପ୍ରଯତ୍ନ କରିବାକୁ ହେବ, ଏଥିରେ ସନ୍ଦେହ ନାହିଁ ।

 

ମହିଳା ଶିକ୍ଷା ପ୍ରଚାର

 

ପ୍ରାଚୀନକାଳରେ ଭାରତୀୟ ନାରୀ ଶିକ୍ଷା ଏତେଦୂର ପ୍ରଗତି କରିଥିଲା ଯେ, ସେମାନଙ୍କର ବିଦ୍ୟାବତ୍ତା ଦେଖି ଦେଶର ପୁରୁଷମାନଙ୍କୁ ସେମାନଙ୍କ ନିକଟରେ ମସ୍ତକ ନତ କରିବାକୁ ପଡ଼ୁଥିଲା-। କିନ୍ତୁ କାଳକ୍ରମେ ହିନ୍ଦୁସଭ୍ୟତା ଓ ରାଜତ୍ୱର ଅବସାନ ଦିନରେ ଓ ମୁସଲମାନ ରାଜତ୍ୱ ସମୟରେ ଦେଶର ଏହି ନାରୀଶିକ୍ଷା କ୍ଷୀଣରୁ କ୍ଷୀଣତର ହୋଇ ଆସିଥିଲା, କିନ୍ତୁ ଯେତେବେଳେ ଏ ଦେଶରେ ଇଂରେଜ ରାଜତ୍ୱ ଆରମ୍ଭ ହେଲା ସେତେବେଳେ ଭାରତୀୟ ନାରୀମାନେ ଅବିଦ୍ୟା ଅଜ୍ଞାନତାର ଅନ୍ଧକାରରେ ପଡ଼ି ସଢ଼ୁଥିଲେ । ସେ ସମୟରେ ହିନ୍ଦୁ-ସମାଜ ଜଡ଼ ହୋଇ ଆସିଥିଲା । ସେଥିପାଇଁ ଲର୍ଡ଼ ମେକଲେ ଯେତେବେଳେ ଏ ଦେଶର ଲୋକଙ୍କ ପାଇଁ ଶିକ୍ଷାପ୍ରଣାଳୀର ଯୋଜନା କରିବାକୁ ଆରମ୍ଭ କରିଥିଲେ ସେତେବେଳେ ଦେଶର କାହାରି ନାରୀଶିକ୍ଷା ପ୍ରତି ଦୃଷ୍ଟି ଆକର୍ଷିତ ହୋଇପାରି ନ ଥିଲା । ମେକଲେ ମଧ୍ୟ ନାରୀଶିକ୍ଷା ଦିଗକୁ ଦୃଷ୍ଟି ନ ଦେବାର କାରଣ ଏହି ଯେ, ସେ ସମୟରେ ୟୁରୋପର ସଭ୍ୟ ଦେଶମାନଙ୍କର ନାରୀଶିକ୍ଷାର ଉଲ୍ଲେଖ ଯୋଗ୍ୟ ଅଗ୍ରସୃତି କିଛି ସେପରି ଘଟି ନ ଥିଲା । ମେକଲେଙ୍କ ଶିକ୍ଷା ପ୍ରଣାଳୀ ମଧ୍ୟ ପାଶ୍ଚାତ୍ୟ ଶିକ୍ଷା ଆଦର୍ଶରେ ତିୟାରି ହୋଇଥିଲା । କିନ୍ତୁ ସେ ସମୟରେ ଭାରତରୁ ଗୋଟିଏ ଜାଗରଣ ଯୁଗ ଆସିଥିଲା । ବିଦେଶୀଙ୍କ ସଂସର୍ଗରେ ଲୋକେ ଭାବୁଥିଲେ, ଯଦି ପାଶ୍ଚାତ୍ୟ ଶିକ୍ଷାରେ ନିଜେ ଶିକ୍ଷିତ ନ ହୁଅନ୍ତି ଏବଂ ନାରୀଶିକ୍ଷା ମଧ୍ୟ ଏହି ରୀତିରେ ପ୍ରଚଳିତ କରି ନ ପାରନ୍ତି ତେବେ ସେମାନଙ୍କର ଉନ୍ନତି ହେବ ନାହିଁ-। ଏହି ଧାରଣାରେ କେତେକ ଶିକ୍ଷିତ ଲୋକେ ସହରମାନଙ୍କରେ ଝିଅମାନଙ୍କୁ ନେଇ ପାଠ ପଢ଼ାଇବାକୁ ଲାଗିଲେ ଏବଂ କ୍ରମେ ନାରୀଶିକ୍ଷାର ଅଧିକାଂଶ ଭାର ମିଶନାରୀମାନେ ବହନ କରି ଉତ୍ତୋରୋତ୍ତର ଉନ୍ନତି ଆଡ଼କୁ ସମାଜର ନାରୀମାନଙ୍କୁ ଅଗ୍ରସୃତ କରାଇନେଲେ । ସେ ସମୟରେ ଦେଶର କେତୋଟି ଶିକ୍ଷିତା ମହିଳାଙ୍କ ଉଦାହରଣ ଦେଖି ଅନ୍ୟ ବାଳିକାମାନଙ୍କୁ ସେମାନଙ୍କର ଅଭିଭାବକମାନେ ସ୍କୁଲରେ ଦେବାକୁ ଲାଗିଲେ । ବିଶ୍ୱବିଦ୍ୟାଳୟରେ ବାଳିକାଙ୍କୁ ଶିକ୍ଷାଦେବା କୌଣସି କୌଣସି ସ୍ଥାନରେ ଆରମ୍ଭ ହେଲା । ୧୮୮୩ ସାଲରେ ବମ୍ବେ ବିଶ୍ୱବିଦ୍ୟାଳୟରେ ଏଣ୍ଟ୍ରାନ୍ସ ପରୀକ୍ଷାରେ ୮ ଜଣ ବାଳିକା ଉତ୍ତୀର୍ଣ୍ଣ ହୋଇଥିଲେ ଏବଂ ଆଜି ଯେ ହଜାର ହଜାର ମହିଳା ସେହି ବିଶ୍ୱବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହେଉଛନ୍ତି, ଏହା ଦେଖିଲେ ମନରେ ଗଭୀର ତୃପ୍ତି ଆସେ । ୧୯୨୬ ଖ୍ରୀଷ୍ଟାବ୍ଦରେ ଏହି ବମ୍ବେରେ ୪୯୦ ଛାତ୍ରୀ ପ୍ରବେଶିକା ପରୀକ୍ଷା ଦେଇଥିଲେ । ୧୯୨୭ରେ ମାନ୍ଦ୍ରାଜରେ ୫୫୦ ବାଳିକା ପଢ଼ୁଥିଲେ ଏବଂ ୧୬୦ ଜଣ ବାଳିକା ଡାକ୍ତରୀ କଲେଜରେ ପଢ଼ୁଥିଲେ । ବଙ୍ଗଳାରେ ମଧ୍ୟ ଅନେକ ଛାତ୍ରୀ ଅଧ୍ୟୟନ କରୁଛନ୍ତି । ଦେଶର ବିଭିନ୍ନ ପ୍ରାନ୍ତରେ ମହିଳାମାନଙ୍କ ଲାଗି ସ୍ୱତନ୍ତ୍ର କଲେଜ ଓ ସାଧାରଣ କଲେଜମାନଙ୍କରେ ପଢ଼ିବାପାଇଁ ସେମାନଙ୍କର ବିଶେଷ ସୁବିଧା ଥିବା ହେତୁ ଦିନକୁ ଦିନ ଶିକ୍ଷାର ପ୍ରସାର ହେଉଛି । କଲିକତା ବମ୍ବେ ଓ ମାନ୍ଦ୍ରାଜରେ ୨/୩ ଟା କରି ମହିଳାଙ୍କ ପାଇଁ କଲେଜ ଅଛି । ୧୯୧୬ ସାଲରେ ଦିଲ୍ଲୀରେ ଲେଡ଼ି ହାର୍ଡ଼ିଞ୍ଜ କଲେଜ ସ୍ଥାପିତ ହୋଇଥିଲା ଏବଂ ସେଥିରେ ବର୍ତ୍ତମାନ ଶତାଧିକ ଛାତ୍ରୀ ଡାକ୍ତରୀ ପଢ଼ୁଛନ୍ତି । ପୁନାରେ ଅଧ୍ୟାପକ କର୍ଭେଙ୍କ ମହିଳା ବିଶ୍ୱବିଦ୍ୟାଳୟ, ଜଳନ୍ଧର କନ୍ୟା ମହାବିଦ୍ୟାଳୟ, ରାଜକୋଟ ବାଳିକା କଲେଜ, କଲିକତାରେ ବେଥୁନ କଲେଜ ପ୍ରଭୃତି ଅନେକ ଅନୁଷ୍ଠାନ ହେତୁ ଆଜି ନାରୀଶିକ୍ଷାର ପ୍ରସାର ଘଟିଛି । ପ୍ରାଇମେରୀ ଶିକ୍ଷାକୁ ମଧ୍ୟ କେତେକ ସ୍ଥାନରେ ବାଧ୍ୟତାମୂଳକ କରି ଦେଇଥିବା ଯୋଗୁଁ ଛାତ୍ରୀ ସଂଖ୍ୟା ବୃଦ୍ଧି ପାଇଛି । କୋଚିନ, ତ୍ରିବାଙ୍କୁଡ଼, ବରୋଦା ପ୍ରଭୃତି ଦେଶୀୟ ରାଜ୍ୟମାନଙ୍କରେ ନାରୀଶିକ୍ଷାର ଖୁବ୍ ଉନ୍ନତି ଘଟିଛି । ବର୍ତ୍ତମାନ ଶିକ୍ଷାର ପ୍ରତି କ୍ଷେତ୍ରରେ ନାରୀମାନେ ଉନ୍ନତି କରୁଛନ୍ତି-। ମହିଳାଡାକ୍ତର, ବାରିଷ୍ଟର, ବ୍ୟବସ୍ଥାପକ, ଅଧ୍ୟାପକ, ମାଜିଷ୍ଟ୍ରେଟ୍, ସମ୍ପାଦିକା ପ୍ରଭୃତି ହୋଇଛନ୍ତି । ଭବିଷ୍ୟତରେ ଆହୁରି ଉନ୍ନତିର ଆଶା କରାଯାଏ; କିନ୍ତୁ ବର୍ତ୍ତମାନ ସରକାର ନାରୀଶିକ୍ଷା ସମ୍ବନ୍ଧରେ ଯେଉଁ ପରିମାଣରେ ଦୃଷ୍ଟି ଦେଇଛନ୍ତି ତାହା ସନ୍ତୋଷଜନକ ନୁହେଁ-। ଆହୁରି ଅଧିକ ସୁବିଧା ଓ ଉତ୍ସାହ ନ ଦେଲେ ନାରୀଶିକ୍ଷା ସେତେ ବଢ଼ି ପାରିବ ନାହିଁ ।

Image

 

ଆର୍ଥିକ ଅଧିକାର

 

ଆର୍ଥିକ କ୍ଷେତ୍ରରେ ନାରୀର ଅଧିକାର ଆଦୌ କିଛି ନାହିଁ । ସେ ସବୁବେଳେ ପରମୁଖାପେକ୍ଷିନୀ । ସ୍ୱାବଲମ୍ବନ ଜିନିସଟା କଣ ସେ ଆଜି ଯାଏ ଜାଣି ନାହିଁ, କିମ୍ବା ଜାଣିବାର ସୁବିଧା ସୁଯୋଗ ତାର ଘଟିନାହିଁ । ସେ ଆଜି ପର୍ଯ୍ୟନ୍ତ ସହରରେ କିମ୍ବା ଗ୍ରାମରେ ମିଲରେ କିମ୍ବା କ୍ଷେତରେ ଯାହା କରୁଛି, ତାହା ଅନ୍ୟର ନିର୍ଦ୍ଦେଶ ମତେ । ନିଜେ ବୁଝି କିଛି କରିପାରୁ ନାହିଁ, କହିବାକୁ ମଧ୍ୟ ଉପଯୁକ୍ତ ହୋଇପାରି ନାହିଁ । ଦେଶର ସାମାଜିକ ଓ ରାଜନୈତିକ ଅବସ୍ଥା ଓ ଶିକ୍ଷା ଦୀକ୍ଷା ଏଥିପାଇଁ ସମ୍ପୂର୍ଣ୍ଣ ରୂପରେ ଦାୟୀ । ଆଜିପର୍ଯ୍ୟନ୍ତ ଦେଶର ସରକାର ସୁଦ୍ଧା ନାରୀମାନଙ୍କର ଉପଯୁକ୍ତ ଓ ନ୍ୟାଯ୍ୟ ସମ୍ପତ୍ତି ଅଧିକାରକୁ ସ୍ୱୀକାର କରୁନାହାଁନ୍ତି । ତାହା ଯେତେଦିନ ପର୍ଯ୍ୟନ୍ତ ନ ହୋଇଛି, ଏବଂ ନାରୀମାନେ ସ୍ୱାବଲମ୍ବିନୀ ହେବାପାଇଁ ସମର୍ଥ ହୋଇ ନାହାନ୍ତି, ସେତେଦିନ ପର୍ଯ୍ୟନ୍ତ ସାମାଜିକ ଉନ୍ନତି କେଉଁଠାରେ ? କେତେକ ଶିକ୍ଷିତ ଲୋକେ ମଧ୍ୟ ଏହି କ୍ଷେତ୍ରରେ ପ୍ରଶ୍ନ ଉଠାଇ ପାରନ୍ତି, ପୁରୁଷଙ୍କର ଉପରେ ଯେଉଁ ଜୀବନ ସଂଗ୍ରାମ ନିମିତ୍ତ ଦାୟିତ୍ୱମାନ ଅଛି, ଓ ସେଥିପାଇଁ ପୁରୁଷ ସମାଜ ଯେତେ ଯେତେ କଷ୍ଟ ଓ ପରିଶ୍ରମ କରନ୍ତି, ନାରୀମାନେ ତାହା କି ପାରିବେ ? ଏହି ପ୍ରଶ୍ନ ଓ ତାର ଉତ୍ତର ଖାଲି କଥାରେ କହିଲେ ହୁଏ ନାହିଁ । ସୁଯୋଗ, ଅବସର, ସୁବିଧା ଏବଂ ଶିକ୍ଷା ତଥା ସାମାଜିକ ସହାନୁଭୂତି ପାଇଥିଲେ ନାରୀଜାତି ବହୁକାଳରୁ ଏ ବିଷମ ପ୍ରଶ୍ନର ଉପଯୁକ୍ତ ଉତ୍ତର କାର୍ଯ୍ୟକ୍ଷେତ୍ରରେ ଦେଇ ସାରିଥାନ୍ତା । କର୍ମ୍ମକ୍ଷେତ୍ରରେ ସେ ଯେ ଅନୁପଯୁକ୍ତ ନ ହୋଇ ଦକ୍ଷତା ଦେଖାଇ ଉତ୍ତୀର୍ଣ୍ଣ ହୋଇ ପାରିଥାନ୍ତା ଏହା କହିବା ବାହୁଲ୍ୟ ମାତ୍ର ।

Image

 

ରାଷ୍ଟ୍ରୀୟ ଆନ୍ଦୋଳନରେ ନାରୀ

 

୨୦। ୩୦ ବର୍ଷତଳେ ରାଜନୀତି କ୍ଷେତ୍ରରେ ନାରୀର ନାମ ଗନ୍ଧ ସୁଦ୍ଧା ନ ଥିଲା । ସ୍ୱର୍ଗତ ଆନିବେଶାନ୍ତ, ଯେ କି ଭାରତର ଜୀବନ ସହିତ ନିଜ ଜୀବନକୁ ମିଶାଇ ଦେଇଥିଲେ, ସେହି ପୁଣ୍ୟାତ୍ମା ସ୍ୱର୍ଗୀୟା ମହିଳାଙ୍କର ପବିତ୍ର ପ୍ରେରଣାରେ ଶତ ଶତ ନାରୀକର୍ମ୍ମୀ, ଦେଶର ସର୍ବବିଧ ରାଷ୍ଟ୍ରୀୟ ଆନ୍ଦୋଳନରେ ଯୋଗ ଦେଇଥିଲେ । ମହାମାନବ ମହାତ୍ମା ଗାନ୍ଧୀଙ୍କର ଏହି ୧୫ ବର୍ଷର ସ୍ୱାଧୀନତା ଆନ୍ଦୋଳନରେ ଭାରତୀୟ ଅନ୍ତଃପୂରିକାମାନେ ଧନ ଓ ଜୀବନରେ ଜଳାଞ୍ଜଳି ଦେଇ କର୍ମ୍ମକ୍ଷେତ୍ରରେ ଦଣ୍ଡାୟମାନ ହୋଇଥିଲେ ଏବଂ ହୋଇଛନ୍ତି ମଧ୍ୟ । ଏହି କ୍ଷେତ୍ରରେ ମହିଳାମାନଙ୍କର ସ୍ଥାନ ସେତେ ଉଚ୍ଚ ନ ହେଲେହେଁ କିଛି ନୁହେଁ ବୋଲି ଉଡ଼ାଇ ଦେଇ ହେବ ନାହିଁ । ଶ୍ରୀମତୀ ସରୋଜିନୀ ନାଇଡ଼ୁ, ଭାରତର ସର୍ବଶ୍ରେଷ୍ଠ ଜାତୀୟ ଅନୁଷ୍ଠାନ କଂଗ୍ରେସର ସଭାନେତ୍ରୀ ହୋଇ ପାରିଥିଲେ । ଭବିଷ୍ୟତରେ ଆହୁରି ଅଧିକ ସଂଖ୍ୟାରେ ମହିଳାମାନେ ରାଷ୍ଟ୍ରୀୟ କ୍ଷେତ୍ରରେ ଯୋଗଦାନ କରିବେ ଏଥିରେ ସନ୍ଦେହ ନାହିଁ । ଯଦି ଏହା ନ ହୁଏ ତେବେ ନାରୀ ଜାତିର ଅବନତି ସୁନିଶ୍ଚିତ । ଜାତିର ଦାୟିତ୍ୱ, ଜାତିର ମାନ ସମ୍ଭ୍ରମ ସମ୍ବନ୍ଧରେ ଯେତେବେଳେ ପ୍ରଶ୍ନ ଉଠିବ, ସେତେବେଳେ ଯଦି ନାରୀ ଜାତି ନୀରବ ନିଶ୍ଚଳ ହୋଇ ରହିବ, ତେବେ ଜାତୀୟ କଳଙ୍କ ହେବ । ଦେଶର ସମୂହ ଉନ୍ନତି ପାଇଁ ସେମାନେ ଯାହା କରିବା କର୍ତ୍ତବ୍ୟ ତାହା କରିବା ସର୍ବଦା କର୍ତ୍ତବ୍ୟ ।

 

ବଡ଼ ଆଶାର କଥା ଯେ, ରାଜନୀତି କ୍ଷେତ୍ରରେ ଶ୍ରୀଯୁକ୍ତ ସରୋଜିନୀ ନାଇଡ଼ୁ, କମଳା ଚଟ୍ଟୋପଧ୍ୟାୟ, ସରଳାଦେବୀ ଚୌଧୁରୁଣୀ, ମୃଦୁଲକ୍ଷ୍ମୀ ରେଡ଼ୀ, ଶ୍ରୀମତୀ ସୁବ୍ରାୟନ ପ୍ରଭୃତି କୃତୀ ମହିଳାମାନେ ଦେଶର ରାଷ୍ଟ୍ର ଅଧିକାରରେ ନାରୀ ଜାତିର ନେତୃତ୍ୱ ନେଇଛନ୍ତି । ସେମାନଙ୍କର ପଥ ଅନୁସରଣ କରି ଦେଶର ମହିଳାମାନେ ସେମାନଙ୍କର ରାଜନୈତିକ ଦାବୀମାନଙ୍କୁ ଲାଭକରି କୃତକାର୍ଯ୍ୟ ହୋଇ ପାରିଲେ ଦେଶର ଓ ସମାଜର ବହୁଦୂରବସ୍ଥା ଦୂରୀକୃତ ହୋଇ ପାରିବ ବୋଲି ଭରସା ହୁଏ ।

 

ଭାରତୀୟ ନାରୀର ମୁକ୍ତିପଥ କଣ୍ଟକାକୀର୍ଣ୍ଣ । ସବୁ କ୍ଷେତ୍ରରେ ନୂତନ ତେଜରେ ନୂତନ ଶକ୍ତିଧରି ନିଃସ୍ୱାର୍ଥ ଭାବରେ କାର୍ଯ୍ୟ ନ କଲେ ଜାତିର ମଙ୍ଗଳ ଅସମ୍ଭବ । ଯେତେଦିନ ପର୍ଯ୍ୟନ୍ତ ନାରୀଜାତି ଭିତରେ ସ୍ୱଜାତି ପ୍ରୀତି ଜାଗ୍ରତ ନ ହୋଇଛି ସେତେଦିନ ପର୍ଯ୍ୟନ୍ତ ସେମାନଙ୍କର ଅବସ୍ଥା ଯଥାପୂର୍ବ ତଥାପରଂ ହୋଇଥିବ । ହୃଦୟର ଶକ୍ତି ସଞ୍ଚାର ହେଲେ ଆତ୍ମପ୍ରତ୍ୟୟ ଓ ଆତ୍ମନିଷ୍ଠା ଜାଗ୍ରତ ହେଲେ ପ୍ରଗତିର ପଥ ଆପେ ଆପେ ପରିଷ୍କାର ହୋଇଯିବ । ସେମାନଙ୍କର ସର୍ବପ୍ରକାର ଅଭାବ ଅସୁବିଧା ଅଚିରେ ଲୋପ ହେବ । ସେମାନେ ନିଜକୁ ଗୌଣ ବୋଲି ବିବେଚନା ନକରି କର୍ମପଥରେ ଅଗ୍ରସର ହେଉନ୍ତୁ । ଆଜି ଭାରତବର୍ଷରେ ନାରୀଜାତିର ଉଦ୍‌ବୋଧନ ପାଇଁ ଯେଉଁ ତୁମୂଳ ଆନ୍ଦୋଳନ ଚାଲିଛି, ତାହାର ଭବିଷ୍ୟତ ଯେ ଖୁବ୍ ଉଜ୍ଜ୍ୱଳ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ-। ଶେଷରେ ଶ୍ରୀମତୀ ସରୋଜିନୀ ନାଇଡ଼ୁ ଭାରତର ନାରୀ ଜାଗରଣ ସମ୍ବନ୍ଧରେ ଯେଉଁ ଅଭିମତ ଦେଇଥିଲେ, ତାହାର କିୟଦଂଶ ଉଦ୍ଧୃତ କରି ଦେଶବାସୀଙ୍କ ସମ୍ମୁଖରେ ସମସ୍ୟାକୁ ଉତ୍ତମ ରୂପେ ହୃଦୟଙ୍ଗମ କରିବା ପାଇଁ ଅନୁରୋଧ କରୁଅଛୁଁ ।

 

Women are no longer tools and toys of men. Women to-day were fired with new enthusiasm. We do not want our rights to oppress anybody but we want them to discharge responsibilities connected with them. Women to-day are suffering from various legal disabilities. We want to work for political, moral and economic uplift of the country shoulder to shoulder with men. We do not want to be a dead weight round their neck (Srimati Sarojini Naidu, in a speech at New Delhi, on 2nd March 1935.

 

‘‘ମହିଳାମାନେ ପୁରୁଷମାନଙ୍କର ଆଉ ହାତର ହତିଆର କିମ୍ବା ଖେଳନା କଣ୍ଢେଇ ନୁହନ୍ତି-। ସେମାନେ ବର୍ତ୍ତମାନ ନୂତନ ଉତ୍ତେଜନାରେ ଉଦ୍‌ବୁଦ୍ଧ ହୋଇଅଛନ୍ତି । ଅନ୍ୟମାନଙ୍କ ଉତ୍ପୀଡ଼ନ କରିବା ପାଇଁ ଆମେ ଆମର ଦାବୀ ଚାହୁଁନାହୁଁ କିନ୍ତୁ ଆମେ ତାହା ଚାହୁଁଛୁ, କେବଳ ତାହା ସହିତ ଯେଉଁ ଦାୟିତ୍ୱ ସଂଲଗ୍ନ ରହିଛି ତାକୁ ପାଳନ କରିବାକୁ । ବର୍ତ୍ତମାନ ନାରୀମାନେ ଅନେକପ୍ରକାରର ଆଇନ ସମ୍ବନ୍ଧୀୟ ଅସୁବିଧା ଭୋଗ କରୁଛନ୍ତି । ଦେଶର ରାଜନୈତିକ, ନୈତିକ ଓ ଆର୍ଥିକ ଉନ୍ନତି ପାଇଁ ପୁରୁଷମାନଙ୍କ ସହିତ ସହଯୋଗ କରି କାର୍ଯ୍ୟ କରିବା ପାଇଁ ଆମ୍ଭେମାନେ ଚାହୁଁ । ପୁରୁଷମାନଙ୍କ ବେକରେ ଗୋଟିଏ ବୋଝ ହୋଇ ଝୁଲିବାକୁ ଆମ୍ଭେମାନେ ଚାହୁଁନାହୁଁ ।’’

 

ଏହି ଉଦ୍ଦେଶ୍ୟକୁ ସମ୍ମୁଖରେ ରଖି ନିଜର କର୍ତ୍ତବ୍ୟକୁ ପାଳନ କରିବା ନିମିତ୍ତ ଭାରତରେ ନାରୀମାନଙ୍କର କେତେକ ଅନୁଷ୍ଠାନ ପ୍ରତିଷ୍ଠିତ ହୋଇଛି । ଅଳ୍ପକାଳ ମଧ୍ୟରେ ସେମାନେ ଯେଉଁ ଯେଉଁ କାର୍ଯ୍ୟ କରି ପାରିଛନ୍ତି, ତାହା ଦେଖିଲେ ଏକାବେଳକେ ନିରାଶ ହେବାର କୌଣସି କାରଣ ନାହିଁ ।

 

୧୯୧୭ ସାଲରେ ହୋମରୁଲ ଆନ୍ଦୋଳନର ସର୍ବ ପ୍ରଥମ ନେତ୍ରୀ ଶ୍ରୀମତୀ ଆନିବେଶାନ୍ତଙ୍କ ତତ୍ତ୍ୱାବଧାନରେ ଯେଉଁ ଭାରତ ମହିଳା ପରିଷଦ (Women’s Indian Association) ପ୍ରତିଷ୍ଠିତ ହୋଇ ଥିଲା, ତାହାର ଏହି ଅଳ୍ପ କେତେକ ବର୍ଷର ମଧ୍ୟ କାର୍ଯ୍ୟ ଦେଖିଲେ ମନରେ ଆଶା ସଞ୍ଚାର ହୁଏ । ୧୭।୧୮ ବର୍ଷ ମଧ୍ୟରେ ନାରୀମାନଙ୍କର ଉନ୍ନତି ଦିଗରେ ପରିଷଦ ବହୁ କାର୍ଯ୍ୟ କରିଛି । ରାଜନୈତିକ ମତାଧିକାର, ବାଳିକାମାନଙ୍କର ଶିକ୍ଷା, ମାତୃମଙ୍ଗଳ, ବେଶ୍ୟାବୃତ୍ତି ନିରୋଧ, ବାଲ୍ୟବିବାହ ନିରାକରଣ ପ୍ରଭୃତି ସାମାଜିକ କୁସଂସ୍କାର ଲୋପ ପାଇଁ ପରିଷଦ ପ୍ରବଳ ଆନ୍ଦୋଳନ କରି ସରକାର ଓ ଦେଶବାସୀଙ୍କ ଦୃଷ୍ଟି ଆକର୍ଷଣ କରିଛି । ଏହି ପରିଷଦର ପ୍ରାୟ ୭୫ଟି ଶାଖା ଭାରତର ବିଭିନ୍ନ ଅଞ୍ଚଳରେ କାର୍ଯ୍ୟ କରୁଛନ୍ତି ଏବଂ ପ୍ରାୟ ୪୦୦୦ ନାରୀ ସଭ୍ୟ ଶ୍ରେଣୀଭୁକ୍ତ ହୋଇଛନ୍ତି । ନିଖିଳଭାରତୀୟ ମହିଳା ସମ୍ମିଳନୀ (All India Women’s Conference) ଏହି ୮/୯ ବର୍ଷ ହେଲା ସ୍ଥାପିତ ହୋଇଛି । ଏହି ଅଳ୍ପକାଳ ମଧ୍ୟରେ ଦେଶର ଭିନ୍ନ ଭିନ୍ନ ଅଞ୍ଚଳରେ ପ୍ରାୟ ୧୨୦ଟି ଶାଖା ପ୍ରତିଷ୍ଠିତ ହୋଇ ସାରିଲାଣି । ପ୍ରତ୍ୟେକ ପ୍ରଦେଶରେ ଗୋଟିଏ ଗୋଟିଏ ପ୍ରାଦେଶିକ ସମ୍ମିଳନୀ ରହିଛି । କେବଳ ସାମାଜିକ ସଂସ୍କାର ଓ ଶିକ୍ଷା ସମ୍ବନ୍ଧରେ ସମ୍ମିଳନୀ ବିଶେଷ ଭାବରେ କାର୍ଯ୍ୟ କରିଛି । ଏହି ଅନୁଷ୍ଠାନରେ ସରକାରୀ, ବେସରକାରୀ, ସହଯୋଗୀ, ଅସହଯୋଗୀ ପ୍ରଭୃତି ସବୁ ଦଳର ସଭ୍ୟ ଅଛନ୍ତି । ଏହି ସମ୍ମିଳନୀର ଅକ୍ଳାନ୍ତ ପରିଶ୍ରମରେ ଦିଲ୍ଲୀଠାରେ ସ୍ତ୍ରୀମାନଙ୍କ ପାଇଁ ଲେଡ଼ି ଇର୍ବିନ୍‌କଲେଜ ସ୍ଥାପିତ ହୋଇଛି । ଗୃହବିଜ୍ଞାନ ସମ୍ବନ୍ଧରେ ଏହିଠାରେ ବିଶେଷ ଭାବରେ ଶିକ୍ଷା ଦିଆଯାଏ । ଭାରତୀୟ ମହିଳାମାନଙ୍କର ଶିକ୍ଷାର ପ୍ରସାର ନିମିତ୍ତ ୧୯୨୭ରେ ବରୋଦା ମହାରାଣୀଙ୍କ ଅଧ୍ୟକ୍ଷତାରେ ଯେଉଁ ଅଖିଳ ଭାରତୀୟ ସ୍ତ୍ରୀଶିକ୍ଷା ସମ୍ମିଳନୀ (All India Women’s Educational Conference) ବସିଥିଲା । ତାର ପ୍ରଭାବ ବର୍ତ୍ତମାନ ସ୍ପଷ୍ଟଭାବରେ ଦେଶରେ ଦେଖାଯାଉଛି । ଏ ଭିତରେ ଏହାର ଅନେକ ଶାଖା ହୋଇ ସାରିଲାଣି । ୧୯୨୭ରେ ଏକା ସେହି ବର୍ଷ ଭିତରେ ୩୦ଟି ବିଭିନ୍ନ ସ୍ତ୍ରୀଶିକ୍ଷା ସମ୍ମିଳନୀ ଭାରତର ବିଭିନ୍ନ ଅଞ୍ଚଳରେ ହୋଇଥିଲା ।

 

ଏହା ଛଡ଼ା ୧୯୦୮ରେ ବିଖ୍ୟାତ ପାର୍ସି ସମାଜସଂସ୍କାରକ ବୈରାମଜୀ ମାଲବାରୀ ସେବା-ସଦନକୁ ପ୍ରତିଷ୍ଠା କରିଥିଲେ ଏବଂ ୧୯୦୯ରେ ପୁନାରେ ଏହାର ଗୋଟିଏ ଶାଖା ସ୍ଥାପନ କରିଥିଲେ । ଏହା ସେବାସଦନରେ ବର୍ତ୍ତମାନ ଶତ ଶତ ମହିଳା ଶିକ୍ଷାଲାଭ କରୁଛନ୍ତି । ରୋଗୀ ସେବା, ଦରିଦ୍ର ନାରାୟଣ ସେବା, ଅନାଥକୁ ଆଶ୍ରୟ ଦେବା ପ୍ରଭୃତି ସମାଜହିତକର କାର୍ଯ୍ୟରେ ସେବା-ସଦନ ଦେଶର କୃତଜ୍ଞତାର ଭାଜନ ହୋଇପଡ଼ିଛି । ବିଖ୍ୟାତ ଅଧ୍ୟାପକ ଡି.ପି. କାର୍ଭେଙ୍କ ପ୍ରଗାଢ଼ ପରିଶ୍ରମରେ ପୁନାଠାରେ ମହିଳା ବିଶ୍ୱବିଦ୍ୟାଳୟ ସ୍ଥାପିତ ହୋଇଛି । ଏହି ୧୭।୧୮ ବର୍ଷ ମଧ୍ୟରେ ପ୍ରାୟ ୫୦୦ରୁ ଅଧିକ ସ୍ତ୍ରୀ ଶିକ୍ଷାଲାଭ କରି ସାରିଲେଣି । ଏହି ବିଶ୍ୱବିଦ୍ୟାଳୟ ୪ଟା କଲେଜ, ୧୫ଟା ହାଇସ୍କୁଲ, ୩ଟା ମଧ୍ୟଇଂରାଜୀ ସ୍କୁଲ, ୭ଟା ନର୍ମାଲ ସ୍କୁଲ ଓ ଗୋଟିଏ ଟ୍ରେନିଂସ୍କୁଲ ଏହି ବିଶ୍ୱବିଦ୍ୟାଳୟ ତଳେ ଅଛି । ଏହି ଅନୁଷ୍ଠାନର ପ୍ରତିପତ୍ତି ଦେଶରେ କ୍ରମଶଃ ବ୍ୟାପୁଛି ଏବଂ ଅଳ୍ପସମୟ ମଧ୍ୟରେ ପୃଥିବୀରେ ଏହା ଗୋଟିଏ ପ୍ରଧାନ ଶିକ୍ଷା କେନ୍ଦ୍ର ହେବ ଏଥିରେ କୌଣସି ସନ୍ଦେହ ନାହିଁ । ବଙ୍ଗଦେଶର ସରୋଜନଳିନୀ ନାରୀ ସମିତି ଅଳ୍ପ ସମୟ ମଧ୍ୟରେ ଶିକ୍ଷାଦିଗରେ ବହୁତ ଅଗ୍ରସର ହୋଇ ସାରିଲାଣି । ପ୍ରତିବର୍ଷ ଶତ ଶତ ବାଳିକା ଏହି ନାରୀ ସମିତିଦ୍ୱାରା ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟମାନଙ୍କରେ ଅଧ୍ୟୟନ କରୁଛନ୍ତି । ଅନୁଷ୍ଠାନଟି ଉତ୍ତରୋତ୍ତର ବୃଦ୍ଧିଲାଭ କରୁଛି । ନାରୀମାନଙ୍କ ସମ୍ବନ୍ଧରେ ସରୋଜନଳିନୀ ନାରୀସମିତି ଯେ ଗୋଟିଏ ପ୍ରତିଭାଶାଳୀ ଅନୁଷ୍ଠାନ ଏହା କହିବା ବାହୁଲ୍ୟ ମାତ୍ର । ଲାହୋରର ବିଖ୍ୟାତ ଦାନୀ ଓ ସମାଜ ସଂସ୍କାରକ ସାର୍ ଗଙ୍ଗାରାମଙ୍କ ପ୍ରତିଷ୍ଠିତ ବିଧବାବିବାହ-ସହାୟକ ସଭା ବରାବର ନାରୀମାନଙ୍କର ଉନ୍ନତି ଦିଗରେ କାର୍ଯ୍ୟ କରୁଛି । ଏହି ସଭାର ଯତ୍ନରେ ପ୍ରତିବର୍ଷ ଭାରତର ବିଭିନ୍ନ ଅଞ୍ଚଳରେ ଅନେକ ବିଧବା ବିବାହ କରୁଛନ୍ତି । ଏହାର କାର୍ଯ୍ୟକ୍ଷେତ୍ରର ପରିସର କ୍ରମଶଃ ବୃଦ୍ଧି ପାଉଛି ।

 

ଏ ଗୁଡ଼ିକୁ ଛାଡ଼ିଦେଲେ ଭାରତରେ ଆହୁରି ଅନେକଗୁଡ଼ିଏ ଛୋଟ ବଡ଼ ଅନୁଷ୍ଠାନ ଭିନ୍ନ ପ୍ରାନ୍ତରେ କାର୍ଯ୍ୟ କରୁଛନ୍ତି । ସାମୟିକ ଭାବରେ ମଧ୍ୟ କେତେଗୋଟି ଅନୁଷ୍ଠାନର ଦେଖା ମିଳୁଛି । ଶୃଙ୍ଖଳାବଦ୍ଧ ଓ ଅବିଚ୍ଛିନ୍ନ ଭାବରେ ଏ ଗୁଡ଼ିକ କାର୍ଯ୍ୟ କରୁ ନଥିଲେ ସୁଦ୍ଧା ଏମାନଙ୍କଦ୍ୱାରା ଦେଶର ଯେ ପ୍ରଭୁତ ମଙ୍ଗଳ ସାଧିତ ହେଉଛି, ଏହା କହିବା ବାହୁଲ୍ୟ ମାତ୍ର ।

Image

 

ଭାବୀଯୁଗର ଉତ୍କଳୀୟ ମହିଳା

 

ଯେଉଁକାଳରୁ ପାଶ୍ଚାତ୍ୟ ଶିକ୍ଷା ଓ ସଭ୍ୟତା ଏ ଦେଶକୁ ଆମଦାନୀ ହୋଇଛି, ପୁଣି ଯେଉଁ ସମୟରୁ ଭାରତୀୟ ନାରୀମାନେ ପାଶ୍ଚାତ୍ୟ ଶିକ୍ଷା ଓ ଦୀକ୍ଷା ଲାଭ କରିଛନ୍ତି, ସେହିଦିନୁଁ ଆଜି ପର୍ଯ୍ୟନ୍ତ ପୂର୍ବସଂସ୍କୃତି ଓ ଶିକ୍ଷା ଦୀକ୍ଷା ସହିତରେ ଆମଦାନୀ ଶିକ୍ଷା ସଭ୍ୟତାର ସଂଘର୍ଷ ଲାଗିଛି । ସେହି ବିଷୟରେ ଲୋକଙ୍କର ଅଶେଷ ମତବାଦ-ବିଚିତ୍ର ଧାରଣାମାନ ଦେଖିବାକୁ ମିଳେ । ତେବେ ଏ କଥା ସତ୍ୟ ଯେ ଆମ ଦେଶର ପୁରୁଷମାନେ କାୟମନୋବାକ୍ୟରେ ଯେପରି ପୂର୍ବଦେଶୀୟ ସଂସ୍କାର ସଭ୍ୟତା ଓ ଶିକ୍ଷା ଦୀକ୍ଷାରୁ ଭିନ୍ନହୋଇ ପଶ୍ଚିମୀୟ ସଭ୍ୟତା, ସଂସ୍କୃତି ଓ ଶିକ୍ଷା ଦୀକ୍ଷାକୁ ବରଣକରି ନେଇ ପାରିଛନ୍ତି, ଭାରତୀୟ ନାରୀମାନେ ଏ ପର୍ଯ୍ୟନ୍ତ ତାହା କରି ପାରି ନାହାନ୍ତି । ଯେତେବେଳେ ଗୋଟିଏ Renaissance ବା ଉଦ୍‌ବୁଦ୍ଧ ଯୁଗ ଆସିଥାଏ, ସାଧାରଣତଃ ଲୋକଙ୍କର ଏପରି ଘଟିଥାଏ । ପ୍ରାଚୀନ ପନ୍ଥୀ, ନବୀନ ପନ୍ଥୀମାନଙ୍କ ମଧ୍ୟରେ ଯେଉଁ ସଂଘର୍ଷ ବରାବର ଚଳି ଆସୁଛି, ସେହି ବିଷୟରେ ଆଲୋଚନା କଲେ ଆମ୍ଭେମାନେ ଦେଖିବାକୁ ପାଉଁ ଦେଶର ଚିନ୍ତାଶୀଳ ମନିଷୀମାନେ କହିଛନ୍ତି ଏବଂ ବର୍ତ୍ତମାନ ଯୁଗର ମହାତ୍ମାଗାନ୍ଧୀ ଓ ରବୀନ୍ଦ୍ରନାଥ ମଧ୍ୟ କହୁଛନ୍ତି, ପ୍ରାଚୀନ ଓ ନବୀନ ମଧ୍ୟରେ, ପୂର୍ବ ଓ ପଶ୍ଚିମ ସଭ୍ୟତା ଓ ଶିକ୍ଷା ଦୀକ୍ଷା ମଧ୍ୟରେ ମଧ୍ୟପନ୍ଥାହିଁ ଶ୍ରେୟସ୍କର । ଆମ୍ଭମାନଙ୍କର ଶିକ୍ଷିତ ନାରୀ ସମାଜକୁ ପର୍ଯ୍ୟବେକ୍ଷଣ କଲେ ମଧ୍ୟ ଆମ୍ଭେମାନେ ଦେଖୁଁ, ସେମାନେ ମଧ୍ୟପନ୍ଥା ଗ୍ରହଣ କରି ପାରିଛନ୍ତି । କୌଣସି ବିଭିନ୍ନ ସଭ୍ୟତାରେ ଉତ୍କଟ ଭାବରେ ଅନୁପ୍ରାଣିତ ହୋଇ ଯେଉଁ ନାରୀମାନେ ହିନ୍ଦୁସମାଜରେ ଥାଇ ସୁଦ୍ଧା ସମାଜକୁ ଆପଣାର କରି ପାରି ନାହାନ୍ତି ବା ପାରୁ ନାହାନ୍ତି ସେମାନେ ଦେଶରେ ବହୁସଂଖ୍ୟକ ନୁହନ୍ତି, ଏହା ସର୍ବାବାଦୀସମ୍ମତ ସତ୍ୟ । ଆଉ ଏହିଠାରେ ପାଶ୍ଚାତ୍ୟଶିକ୍ଷାର ପରାଜୟ ସମ୍ପୂର୍ଣ୍ଣ ଭାବରେ ଘଟିଛି । ସେହି ଦେଶର ପ୍ରକୃତ ଶିକ୍ଷାକୁ ଓ ସଭ୍ୟତାକୁ ଗ୍ରହଣ କରିବା ଆମ୍ଭମାନଙ୍କ ନାରୀ ସମାଜ ପକ୍ଷରେ ଆଦୌ ସମ୍ଭବପର ହୋଇ ପାରିନାହିଁ ବୋଲି ତଥାକଥିତ ଆଲୋକପ୍ରାପ୍ତା ନାରୀମାନେ ସମାଜ ଏବଂ ଦେଶର ଉନ୍ନତି ଦିଗରେ ସହାୟତା କରିବାକୁ ଅକ୍ଷମ ଓ ଅଶକ୍ତ ହୋଇ ପଡ଼ିଛନ୍ତି । ଏହିଠାରୁ ପ୍ରମାଣ ମିଳେ ଯେ ଯେଉଁ ଶିକ୍ଷା ଦେଶର ନାରୀଙ୍କୁ ମିଳୁଛି, ଯେଉଁ ସଭ୍ୟତା ସେମାନେ ଗ୍ରହଣ କରୁଛନ୍ତି, ତାହା ଏ ଦେଶର ଜଳବାୟୁର ଅନୁକୂଳ କୁହେଁ । ଯଦି ତାହା ହୋଇଥାନ୍ତା ତେବେ ତଥାକଥିତ ଶିକ୍ଷିତା ‘‘ସୋସାଇଟିଲେଡ଼ି’’ମାନେ ଆମ ଦେଶର ଶତ ଶତ ପ୍ରକାର ଅଭାବ ଅଭିଯୋଗ ଦୂର କରି ପାରୁଥାନ୍ତେ । କିନ୍ତୁ ବର୍ତ୍ତମାନ ଦେଖାଯାଉଛି, ସେମାନେ ଆମ୍ଭମାନଙ୍କ ସମାଜ ଓ ରାଷ୍ଟ୍ରକ୍ଷେତ୍ରରେ ଏକାବେଳକେ ଅହଙ୍କାରୀ ହୋଇ ପଡ଼ିଛନ୍ତି । ଅବଶ୍ୟ ଯେଉଁ ଜଣେ ଅଧେ ଦେଶର ଦୁଃଖକୁ-ଜାତିର ଦାରିଦ୍ର୍ୟକୁ ଆପଣାର କରି ପାରିଛନ୍ତି ସେମାନଙ୍କ କଥା ଅଲଗା, କିନ୍ତୁ ସାଧାରଣତଃ ଦେଖା ଯାଉଛି ପାଶ୍ଚାତ୍ୟ ଶିକ୍ଷା ଅତ୍ୟଧିକ ବିଳାସ ପ୍ରବୀଣତା, ଭୋଗସ୍ପୃହା, ଲୋଭ, ସ୍ୱାର୍ଥପରତା, ଅମିତବ୍ୟୟି ଜୀବନ (Mode & style of living) କୁ ବଢ଼ାଇ ଦେଇ ପରିଣତିକୁ ବିଷମ କରି ଦେଇଛି । ଏହାଦ୍ୱାରା ଦେଶର ଦରିଦ୍ର ଜନ ସଙ୍ଘଙ୍କର, ପ୍ରପୀଡ଼ିତା ନାରୀ ଓ ଶିଶୁ ସମାଜର ଉନ୍ନତି ସେମାନେ କରି ପାରୁନାହାନ୍ତି । ଫଳରେ ଯେତେବେଳେ ନାରୀ ଶିକ୍ଷାର ଉପକାରିତା, ନାରୀ ଜୀବନର ସ୍ୱାଧୀନ ବିକାଶର ଆବଶ୍ୟକତା ସମାଜର ଦୂରଦ୍ରଷ୍ଟା ଓ ବୁଦ୍ଧିମାନ୍ ଲୋକେ ଅନୁଭବ କରୁଛନ୍ତି, ସେହି ସମୟରେ ଦେଶର ସାଧାରଣ ଜନସମାଜ ତଥାକଥିତ ନାରୀଶିକ୍ଷାର ନିକୃଷ୍ଟତା ଓ ଅପକାରିତାର ଉଦାହରଣ ଓ ଦୃଷ୍ଟାନ୍ତମାନ ତୀବ୍ରଭାବରେ ଦେଖାଇ ନାରୀଶିକ୍ଷାରୁ ଦେଶକୁ ବଞ୍ଚିତ କରିବାକୁ ଚେଷ୍ଟା କରୁଛନ୍ତି । ସେହି କାରଣରୁ ଭାବୀକାଳର ନାରୀମାନଙ୍କ ଜୀବନ ବହୁ ଦାୟିତ୍ୱମୟ ହୋଇ ପଡ଼ିବା ନିଶ୍ଚିତ । ଭାବୀ ଯୁଗର ନାରୀମାନଙ୍କୁ ସେମାନଙ୍କ ଅତୀତଯୁଗର ନାରୀମାନଙ୍କର ପାଶ୍ଚାତ୍ୟ ଶିକ୍ଷା ଓ ସଭ୍ୟତାର ଅନ୍ଧ ଅନୁକରଣକୁ ପୂର୍ଣ୍ଣଭାବରେ ଭୁଲି ଯିବାକୁ ହେବ । ଜାତି ଗଠନର ମହାଦାୟିତ୍ୱ ସେମାନଙ୍କୁ ବହନ କରିବାକୁ ହିଁ ହେବ । ସେମାନଙ୍କର ଶିକ୍ଷା ଦୀକ୍ଷା କେବଳ ପୁସ୍ତକଗତ ନ ହୋଇ ଦେଶର ଅବସ୍ଥାକୁ ଚାହିଁ କାଳର ବ୍ୟବସ୍ଥାକୁ ଚାହିଁ ନ ହେଲେ ଚଳିବ ନାହିଁ । ଏ ଦେଶ କୃଷିପ୍ରଧାନ ଦେଶ–ଏ ଦେଶର ଅସଂଖ୍ୟ ଲୋକେ ଅସ୍ୱାସ୍ଥ୍ୟକର ପଲ୍ଲୀମାନଙ୍କରେ ରହି ମହାମାରୀରେ ଜୀବନକୁ ବଳୀଦାନ ଦିଅନ୍ତି । ଏ ଦେଶର ଲୋକେ କରଭାବରେ ସୁନିଦ୍ରା କଣ, ତାହା ଉପଭୋଗ କରି ପାରନ୍ତି ନାହିଁ । ଏ ଦେଶର ବାଳକ ବାଳିକାଙ୍କ ରୋଗ, ଶିକ୍ଷାହୀନତା କଥା କହିଲେ ନ ସରେ । ଦେଶର ପଲ୍ଲୀମାନଙ୍କରେ କେତେ କେତେ ମୌଜାମାନଙ୍କରେ ଭଲ କୂଅଟିଏ ନାହିଁ ବୋଲି ଭଲ ପାଣି ପିଇ ମେଲେରିୟା ମଶା ଡିମ୍ୱ ପାରିଥିବା ଦଳ ଗହଳରୁ ପାଣି ଆଣି ପିଇ ଚିରରୋଗୀ ହୋଇଥାନ୍ତି । ଏ ଦେଶରେ ନାରୀମାନେ ସନ୍ତାନ ପାଳନ ରୀତି ଜାଣନ୍ତି ନାହିଁ । ଅସ୍ୱାସ୍ଥ୍ୟକର ସୂତିକାଗାରରେ, ଅଶିକ୍ଷିତା ଧାଈ ହାତରେ କେତେ ଅଗଣନ ନାରୀ ଜୀବନ ବଳି ଦିଅନ୍ତି । ଏ ଦେଶର ନାରୀ ଅଜ୍ଞତା ହେତୁ ସ୍ୱାଧୀନ ଭାବରେ ଜୀବିକା ଅର୍ଜନରେ ଅକ୍ଷମ ହୋଇ ଗୃହତ୍ୟାଗ କରନ୍ତି–ଆତ୍ମହତ୍ୟା କରନ୍ତି । ସେମାନଙ୍କର ଖ୧ଣ୍ଡକୁ ଦି’ଖଣ୍ଡ ଲୁଗା ନ ଥିବା ହେତୁ ଏକା ଲୁଗାକେ ଖରା ବର୍ଷା ସହି ରୋଗରେ ପଡ଼ନ୍ତି । ହାୟ ସେମାନଙ୍କର ଦୁର୍ଦ୍ଦଶା ଘୁଞ୍ଚାଇବାର ଭାର ବିଧାତା କାହା ଉପରେ ଲଦିଛନ୍ତି ? ଦେଶର ସୁଶିକ୍ଷିତା ନାରୀ ପ୍ରକୃତ ସଭ୍ୟତାରେ ଅନୁପ୍ରାଣୀତ ନାରୀ-ଶିକ୍ଷା ଓ ସଭ୍ୟତା ଯେଉଁମାନଙ୍କର ହୃଦୟ ଓ ବୁଦ୍ଧିକୁ ସାର ଯୋଗାଇ ବିକଶିତ କରି ପାରିଛି, ସେହିମାନଙ୍କ ଉପରେ ନୁହେଁ କି ?

 

ଭାବୀଯୁଗର ଅନାଗତ ଭାରତୀୟ ତଥା ଉତ୍କଳୀୟ ଶିକ୍ଷିତା ନାରୀ ଯଦି ସମଗ୍ର ଦେଶର ସମଗ୍ର ସମାଜର ଅନ୍ତରର ଏ ବେଦନା ଅନୁଭବ ନ କରିବେ ଓ ତାହାର ପ୍ରତିକାର କରିବାକୁ ନିଜର ସ୍ୱାର୍ଥ ପ୍ରତି ଦୃଷ୍ଟିପାତ ନ କରି ସମୂହର ମଙ୍ଗଳ ପ୍ରଚେଷ୍ଟା ପାଇଁ ନିଜର ସାଧ୍ୟମତେ କିଛି ମାତ୍ର କର୍ତ୍ତବ୍ୟ ନ କରିବେ, ତେବେ ସେମାନଙ୍କ ଶିକ୍ଷା ଦୀକ୍ଷାକୁ ଓ ସଭ୍ୟତାକୁ ଦୀନା ଦେଶମାତୃକା ଯେ ଅବହେଳା ଔଦାସିନ୍ୟ ଦେଖାଇବ ଏ ବିଷୟରେ ବା ସନ୍ଦେହ କଣ ?

 

ନିଜ ଜାତି, ନିଜ ସମାଜ, ନିଜ ଦେଶ ପାଇଁ ଯେଉଁ ନାରୀମାନଙ୍କର କର୍ତ୍ତବ୍ୟବୋଧ ନ ରହିବ, ଭାରତବର୍ଷ ସେହି ଢଙ୍ଗରେ ଶିକ୍ଷିତା ନାରୀଙ୍କ ପାଇଁ ଗୌରବାନ୍ୱିତା ହେବେ ନାହିଁ । ବରଂ ଜାତିର ଲଜ୍ଜା ଓ କ୍ଷୋଭ କେବଳ ବଳି ପଡ଼ିବ ।

 

ଜନସେବାର ମହତୀ କର୍ତ୍ତବ୍ୟ ଭାବୀ ଯୁଗର ଉତ୍କଳ ନାରୀକୁ ଉଦବୁଦ୍ଧ କରି ପାରିଲେ, ଏ ଦେଶରେ ନାରୀଶିକ୍ଷାର ଯଥାର୍ଥତା ଓ ଉପକାରିତା ଦେଶ ଅନୁଭବ କରି ନାରୀଶକ୍ତି ନିକଟରେ ଭକ୍ତି ସମ୍ଭ୍ରମରେ ମସ୍ତକ ଅବନତ କରିବ ଏଥିରେ ସନ୍ଦେହ ନାହିଁ । ତା ନ ହେଲେ ଯେତେ ଚିତ୍କାର କଲେ ଲୋକେ ନାରୀଶିକ୍ଷାର ମହତ୍ୱ ବୁଝିବା ଅସମ୍ଭବ ।

 

ଯେଉଁ ଦିନୁଁ ଏ ଦେଶରେ ନାରୀମାନଙ୍କ ପାଇଁ ସ୍କୁଲ କଲେଜ ବସିଲାଣି, ତହିଁରୁ ଶିକ୍ଷାଲାଭ କରି ଯେଉଁ ଡାକ୍ତରାଣୀ, ମାଷ୍ଟରାଣୀମାନେ ଚାକିରି କରି ନିଜର ଭରଣ ପୋଷଣ କରିବାକୁ ଜୀବନର ଏକମାତ୍ର ଧ୍ୟେୟ ଓ ଉଦ୍ଦେଶ୍ୟ କରି ପାରିଛନ୍ତି, ସେମାନଙ୍କଠାରୁ ଦେଶର ଆଶା କରିବାର-ନାରୀଜାତିର ଭରସା ରଖିବାରେ କଣ କିଛି ନ ଥିଲା ? ସେମାନଙ୍କର ଶିକ୍ଷାକୁ ବ୍ୟବସାୟ ମାତ୍ରରେ ପର୍ଯ୍ୟବେସିତ କରି ସୁଦ୍ଧା ସେମାନେ ସଂଘବଦ୍ଧ ଭାବରେ କିମ୍ବା ବ୍ୟକ୍ତିଗତ ଭାବରେ ଦେଶର ମହତ୍ ଉପକାର କରି ପାରୁଥାନ୍ତେ; କିନ୍ତୁ ତାହା ହୋଇଛି କି ? ଯେଉଁମାନେ ଟ ୧୦୦ ଙ୍କା କରି ଅର୍ଜନ କରନ୍ତି, ସେମାନେ ଦେଶର ଶିକ୍ଷା, ସ୍ୱାସ୍ଥ୍ୟ ଅବା ସାହିତ୍ୟ କ୍ଷେତ୍ରରେ ତହିଁରୁ ଶତକଡ଼ା ଟ ୧୦ଙ୍କା କରି ଦାନ କରୁଥିଲେ ଏହି ସ୍ୱାର୍ଥ ତ୍ୟାଗ ଦ୍ୱାରା ଦେଶ ଓ ସମାଜ ସେମାନଙ୍କ ନିକଟରେ ଚିର ଋଣୀହୋଇ ପଡ଼ୁଥାନ୍ତା, କିନ୍ତୁ ତାହା ଆତ୍ୟନ୍ତିକ ଲୋଭ ଓ ସ୍ୱାର୍ଥପରତା, ତଥା ଅମିତବ୍ୟୟିତା ଯୋଗୁଁ ସମ୍ଭବପର ହୋଇ ପାରି ନାହିଁ । ଉତ୍କଳର ଭାବୀ ନାରୀମାନେ ନୂତନ ଦୃଷ୍ଟି ନେଇ ନୂତନ ଅଭିରୁଚି ନେଇ ସେମାନଙ୍କ ସମ୍ମୁଖରେ ଉପସ୍ଥିତ ହୋଇଥିବା ମହାନ କର୍ତ୍ତବ୍ୟରେ ଅନୁପ୍ରେରଣା ଲାଭକରି ଉଦ୍‌ଯୋଗ ପର୍ବ ଆରମ୍ଭ କଲେ ଉତ୍କଳ ଜନନୀର ଦୁଃଖ ଘୁଞ୍ଚିବ ।

Image

 

ଭାରତୀୟ ନାରୀଙ୍କର ଆଇନ ଗତ ଅସୁବିଧା

 

ଅନ୍ୟାନ୍ୟ ଦେଶରେ ନାରୀମାନଙ୍କ ଅବସ୍ଥା ଲେଖିଲେ ଗୋଟିଏ ବଡ଼ ପୋଥି ହେବ । ସେଥିପାଇଁ ତାହାର ସଂକ୍ଷିପ୍ତ ସୂଚନା ମାତ୍ର ଏ କ୍ଷୁଦ୍ର ପୁସ୍ତକରେ ଦେବାର ଚେଷ୍ଟା ହୋଇଛି । ମୂଳକଥା, କେଉଁଦେଶର ଉଦାହରଣ ଦେଖାଇ ‘‘ସେମାନେ ଇଂରାଜି ଦେଶ କି ଆମେରିକା ଦେଶ ନାରୀ ବୋଲି ସିନା ସେମାନଙ୍କର ଆଇନ ଅଧିକାର କି ଭୋଟଦେବା ଅଧିକାର ପାଇଲେ ଆମେ ଅଶିକ୍ଷିତା, କଣରେ ଲୁଚିଛୁ, ଆମେ କିପରି ପାଇବୁଁ’’ ଏହା କହିଲେ କେବଳ ନିଜମନକୁ ଆଖିଠାର ମାରିବା ଛଡ଼ା ଆଉ କଣ କୁହା ହେବ ? ସେ ଦେଶମାନଙ୍କର ଅବସ୍ଥା ତ ଦିନେ ଆମ ଦେଶଠାରୁ ହୀନ ଥିଲା ? ସେଠିକା ଲୋକେ କଣ ସୁନା ରୂପା ଖାଇ ମନୁଷ୍ୟ ନା, ମଣି ମୁକ୍ତାରେ ବାଟ ଚାଲନ୍ତି-? ଆମପରି ମାଟି ଉପରେ ବର୍ଷା, ପାଣି ପବନ ଖାଇ ସୂର୍ଯ୍ୟତାପରେ ସେମାନେ ତ ବଢ଼ିଛନ୍ତି । ଆମରି ପରି ଦୁଃଖ ଧନ୍ଦା ଊଣା ଅଧିକେ ତ ସେମାନଙ୍କୁ କରିବାକୁ ପଡ଼େ ? ତେବେ ସେମାନଙ୍କ ଭିତରେ ଯେଉଁ ଚେତନା ଆସିଲା, ଆମ ଭିତରେ ତାହା କାହିଁକି ନ ଆସିଛି ? ଏହି ପ୍ରଶ୍ନର ଶତସହସ୍ର ଉତ୍ତର ମିଳିପାରେ, କିନ୍ତୁ ଆମେ ନାରୀଜାତି, କେବେ କଣ ନିଜର ଜୀବନର ନିଜ ଜାତିର, ନିଜ ଦେଶର ବିଷୟ ନେଇ ସଂଘବଦ୍ଧ ଭାବରେ ବସି କେବେ ଆଲୋଚନା କରୁଁ ନା, ଏକା ହୋଇ ବସି ବା କେତେବେଳେ ଅନୁଭବ କରୁଁ ? କେବଳ ବାହାର ଖିଆପିନ୍ଧାର ଅଭାବଟା ଆମର ଜୀବନର ସବୁ ଅବସ୍ଥା ଓ ମନର ଚେତନାକୁ ଢାଙ୍କି ଢୁଙ୍କି ରଖିଅଛି । ୟା ଛଡ଼ା ଆଉ ଭାବିବାର, ଦେଖିବାର, ବୁଝିବାର, ଅନୁଭବ କରିବାର କଣ ବା ସମ୍ବଳ ଅଛି ?

 

ଯେଉଁ ଇଂରାଜ ନାରୀମାନଙ୍କ ଆଇନ ଅଧିକାର ଓ ମତାଧିକାର ଦାବୀର ସଫଳତା ନେଇ ଏହି ବହିରେ ସଂକ୍ଷେପ ବର୍ଣ୍ଣନା କରାଯାଇଛି, ତାହାର ମୂଳ ଇତିହାସ ପଢ଼ିଲେ ଗୋଟିଏ ମାତ୍ର ସାର ସତ୍ୟ ମିଳେ–ତାହା ଏହି ଯେ ଗୋଟାଏ ଯେପରିମାଣରେ ଜାତି ଉନ୍ନତି ଚାହେଁ ଅଧିକାର ଚାହେଁ, ଦାବୀ କରେ, ତାକୁ ସେହି ଆକାଂକ୍ଷା ଓ ଆଶା ଅଭିଳାଷର ପୂରାପୂରା ଦାମ ଦେବାକୁ ପଡ଼େ । କାନ୍ଦି ଗଡ଼ିଲେ କଣ ଆକାଶର ଚାନ୍ଦ ହାତକୁ ଖସେ ? ସେଠାର ନାରୀମାନେ ଦୈବ କୃପାରୁ ହେଉ ବା ଯେଉଁ କାରଣରୁ ହେଉ ନିଜେ ଚେତିଥିଲେ–ଶତ୍ରୁ ମିତ୍ର ଭୁଲି ଏକତା ମନ୍ତ୍ରରେ ସମସ୍ତଙ୍କ ପ୍ରାଣ ଅଭିମନ୍ତ୍ରିତ ହୋଇଥିଲା । ମହାଯୁଦ୍ଧ ପୂର୍ବରେ ଯେତେବେଳେ ଇଂଲଣ୍ଡର ନାରୀମାନେ ନିଜର ଅଧିକାର ଦାବୀ କରୁଥିଲେ, ସେତେବେଳେ କଣ ସେମାନେ ୪/୫ ଜଣ ନା ୧୦୦/୨୦୦ ଜଣ ? ସେମାନଙ୍କର ଦେଶରେ ସେହି ନବଜାଗ୍ରତ ନାରୀମାନଙ୍କର ୫୦୦ ସରିକି ମହିଳା ସଂଘ ଅତି ଦୃଢ଼ ଭିତ୍ତି ଦିଆହୋଇ ଗଢ଼ା ହୋଇ ସାରିଥିଲା । ସେହିମାନେ ଯୁଦ୍ଧବେଳେ ସବୁ ଗୃହଭେଦ କଳହ ଭୁଲି ସାରା ଦେଶର ସବୁ କ୍ଷେତ୍ରରେ ପୁରୁଷ ସ୍ଥାନ ପୂରଣ କରି ଯୁଦ୍ଧରେ ମଧ୍ୟ ଚିକିତ୍ସା କରିବା, ଗୋଳା ଗୁଳି ତିୟାରି କରିବା ସବୁଥିରେ ଲାଗିଥିଲେ । ଏମାନଙ୍କ ଭିତରୁ ଯୁଦ୍ଧରେ କେତେ ମରିଗଲେ । ଯେଉଁଦିନୁ ପୁରୁଷଜାତି ଦେଖିଲେ ଯେ ସେମାନଙ୍କ ସହାୟତା ବିନା ଖାଲି ଘର ନୁହେଁ, ରାଜ୍ୟଟାର ସବୁ ବାଣିଜ୍ୟ ବ୍ୟବସାୟ, କାରଖାନା, କଚେରୀ, ସ୍କୁଲ, କଲେଜ, ଡାକ୍ତରଖାନା ବ୍ୟାଙ୍କ, ହୋଟେଲ ସବୁକାର୍ଯ୍ୟ ଏମାନେ ଚଳାଇ ପାରନ୍ତି, ସେହିଦିନ ସେଠାର ଯେଉଁ ପୁରୁଷମାନେ ସ୍ୱଭାବତଃ କାର୍ଯ୍ୟ କରିବା ପାଇଁ ଅପାରଗ ବୋଲି ଦମ୍ଭସହିତ ଘୋଷଣା କରୁଥିଲେ ସେମାନେ ନାରୀଶକ୍ତି ନିକଟରେ ସମ୍ପୂର୍ଣ୍ଣ ଭାବରେ ମୁଣ୍ଡ ନୁଆଁଇ ଦେଇଅଛନ୍ତି । ଆଗରୁ କଣ ସେମାନେ ଯେତେ କୋଡ଼ି କଚାଡ଼ି ହେଉଥିଲେ, କିଛି ହେଉଥିଲା ? ନା ପୁରୁଷ ଅତି ଶ୍ରଦ୍ଧାରେ ନାରୀକୁ ଅତି ଉଚ୍ଚାସନ ଦୟାକରି ଛାଡ଼ି ଦେଇଛି ? ନିଜେ ସେମାନେ ପ୍ରାଣ ଦେଇ ଅତି ନିଷ୍ଠାପର ଭାବରେ ନିଜର ଜାତି ପାଇଁ ଲଢ଼ିଛନ୍ତି, ପ୍ରାଣ ଦେଇଛନ୍ତି, ବହୁ କଷ୍ଟ, ଅପମାନ, ଅତ୍ୟାଚାର ସହିଛନ୍ତି-। ସେଠାର ସରକାର ମଧ୍ୟ ନାରୀମାନଙ୍କ ଦାବୀକୁ ବହୁଦିନ ଗ୍ରାହ୍ୟ କରି ନ ଥିଲେ ! ଆମ ଦେଶର ଆଗ ଶତାବ୍ଦୀରେ ରାମମୋହନ ରାୟ, ଈଶ୍ୱରଚନ୍ଦ୍ର, କେଶବ ସେନ ଓ ଏ ଶତାବ୍ଦୀରେ ହରବିଳାସ ଶାରଦା, ହରସିଂ ପ୍ରମୁଖ କେତେ ନାରୀ ହିତୈଷୀ ପୁରୁଷ ଆମ ଜାତିପାଇଁ ଲଢ଼ୁଥିଲେ ଓ ଲଢ଼ୁଛନ୍ତି ଫଳରେ ଯେଉଁ ଆଇନଗତ ସୁବିଧା ଟିକେ ମିଳିଥିଲା ବା ମିଳୁଛି, ତହିଁରେ ଆମର ହବ ବା କଅଣ-? ନିଜ ଭିତରୁ ଶକ୍ତି ଆସେ । ବାହାରର ଶକ୍ତିରେ ଯେ ଉତ୍ତେଜନା ତା ମନୁଷ୍ୟକୁ ଟିକେ ଆଗେ ନିଏ, ତାର ଦୌଡ଼ ତ ଚାଖଣ୍ଡେ ! ଜାପାନ, ଫ୍ରାନ୍ସ, ଇଂରାଜ ପ୍ରଭୃତି କେତେକ ଦେଶର ନାରୀ ଆଜିଯାଏ ଭୋଟଦେବା ଅଧିକାର ପାଇ ନାହିଁନ୍ତି ସତ, କିନ୍ତୁ ଆଇନର ଅସମାନତା ନ ଥିବା ହେତୁ, ସେମାନଙ୍କର ତହିଁରେ ବିଶେଷ କ୍ଷତି ହୋଇନାହିଁ । ସେଥିପାଇଁ ଆମର ବୁଝିବା କଥା, ଆମର ଖାଲି ଭୋଟ ଦେବା କ୍ଷମତା କେତେଜଣଙ୍କୁ ମିଳିଛି ବୋଲି ଛାତି କୁଣ୍ଢେମୋଟ ହେବାର କାରଣ ନାହିଁ । ପ୍ରଥମେ ଯେଉଁ ଆଇନର ବାଧା ଆମ ଜାତିକୁ ମାଟିମୁଣ୍ଡା କରି ଦେଇଛି, ସେହି ବାଧାକୁ ସମସ୍ତେ ଏକତାବଦ୍ଧ ଭାବରେ ଆନ୍ଦୋଳନ କରି ଲାଗି ପଡ଼ି ଦୂରକରିବା ହେଲା ମୂଳ କଥା-। ଦୁଇଟା ଗୋଟାଏ ନାରୀ ବ୍ୟବସ୍ଥାପକ ସଭାରେ ମେମ୍ବର ହୋଇଗଲେ ଭାରତର ୧୫ କୋଟି ନାରୀଙ୍କ ଦୁର୍ଭାଗ୍ୟ ଲେଉଟିବା ଅସମ୍ଭବ କଥା । କିମ୍ବା ମୁଷ୍ଟିମେୟ ନାରୀ ପ୍ରତିନିଧି କେତୋଟି ଖାଲି ପାଟିକଲେ ଆଇନର ବାଧା ଉଠିଯିବ ନାହିଁ । ଉଠି ପାରିବାର ଗୋଟିଏ ମାତ୍ର ରାଜପଥ ପଡ଼ିଛି–ତାହା ହେଉଛି ପ୍ରତି ପ୍ରଦେଶର, ପ୍ରତି ଜିଲ୍ଲାର, ପ୍ରତି ସହର ଓ ମଫସଲର ଲକ୍ଷ ଲକ୍ଷ ନାରୀମାନଙ୍କର ସଂହତି ଶକ୍ତି ଉଦ୍‌ବୁଦ୍ଧ ହୋଇ ଯଦି ଆଇନର ଅସାମ୍ୟ ଓ ଅସୁବିଧା ଦୂର କରିବା ପାଇଁ ଘୋର ଆନ୍ଦୋଳନ କରି ଦେଶ ଲୋକଙ୍କର ଓ ସରକାରଙ୍କର ସୁଖ ନିଦ୍ରାରେ ବାଧା ପକାଇ ପାରନ୍ତି; ନଚେତ୍ ସବୁ ବିଡ଼ମ୍ବନା ହେବ । ଦେଶର ନାରୀମାନେ ଏବଂ ନାରୀକର୍ମ୍ମୀମାନେ ମଧ୍ୟ ସଘଂବଦ୍ଧ ଭାବରେ ଦେଶର ହିତକର ଅନୁଷ୍ଠାନମାନଙ୍କରେ ସମ୍ପୃକ୍ତ ରହି ଏହି ନାରୀ ଶକ୍ତିକୁ ଗଠନ କରି ସଂଘବଦ୍ଧ ନାରୀଶକ୍ତିର ସୁନିୟନ୍ତ୍ରଣ କରିବା ସର୍ବାଦୌ କର୍ତ୍ତବ୍ୟ ବୋଲି ମନେ ହୁଏ । ପୁରୁଷ ଦେଶରେ ବହୁଳ ଭାବରେ ନାନା ଦିଗରେ ନାନା କ୍ଷେତ୍ରରେ କାର୍ଯ୍ୟ କରୁଥିବା ସ୍ଥଳେ ଦେଶର ନାରୀଜାଗରଣ, ନାରୀଶିକ୍ଷା, ନାରୀ ସମାଜର ଉନ୍ନତି ବିଧାନ ପାଇଁ ନାରୀମାନେ ପ୍ରତିଷ୍ଠା ନ କଲେ ଜଗତ୍ ସମ୍ମୁଖରେ ଭାରତନାରୀର ଦାମ କମିଯିବା ସ୍ୱତଃସିଦ୍ଧ ବୋଲି ମନେ ହୁଏ । ସୁତରାଂ ଏ ସମ୍ବନ୍ଧରେ ବିଶେଷ କର୍ତ୍ତବ୍ୟ ନାରୀଜାତି ଓ ନାରୀକର୍ମୀମାନେ କରିବା ସର୍ବାଗ୍ରେ ଆବଶ୍ୟକ ।

 

ମହିଳାମାନଙ୍କର ଆଇନଗତ ଅସୁବିଧା କଥା ଆଲୋଚନା କଲାବେଳକୁ ତିନୋଟି ବିଷୟ ଆଖି ଆଗରେ ପଡ଼େ ।

 

୧–ସାମାଜିକ, ୨–ରାଜନୈତିକ, ୩–ଆର୍ଥିକ ।

 

ଅବଶ୍ୟ ଏହିପରି ବିଭାଗ କରାଗଲେ ମଧ୍ୟ ଏହି ତିନୋଟି ବିଷୟ ଏପରି ଘନିଷ୍ଠ ଭାବରେ ସମ୍ପୃକ୍ତ ଯେ, ଏମାନଙ୍କ ମଧ୍ୟରେ ଗୋଟିଏ ସ୍ପଷ୍ଟ ରେଖା ଟାଣିବା କଷ୍ଟକର । ତେବେ ସାଧାରଣ ଭାବରେ ଏ ସବୁ ଆଲୋଚନା କରାଯାଇ ପାରେ ।

 

ସାମାଜିକ କ୍ଷେତ୍ରରେ ନାରୀର ଯେଉଁ ସବୁ ଅଧିକାର ଅଛି, ତାହା ତେତେ ଦୃଢ଼ ନୁହେଁ ଏବଂ ସେହି ଅଧିକାର ଗୁଡ଼ିକୁ ପୂରା ଭୋଗ କରିବା ପାଇଁ ତାହାର ସାମାଜିକ ପରିସ୍ଥିତି ତେବେ ସୁବିଧା ଦିଏ ନାହିଁ । ପ୍ରତ୍ୟେକ ନାଗରିକର ଜନ୍ମସିଦ୍ଧ ଅଧିକାର ଯାହା ସେ ତାହା ପାଇବାର କଥା, କିନ୍ତୁ ଅନେକ ସମୟରେ ଦେଖା ଯାଇଥାଏ, ସେ ତାକୁ ପୂର୍ଣ୍ଣରୂପେ କାର୍ଯ୍ୟରେ ପରିଣତ କରିପାରେ ନାହିଁ । ନିଜର ଜାତି, ଧର୍ମ, ଆଚାର, ବ୍ୟବହାର ପ୍ରଭୃତି ରକ୍ଷା କରିବା ଅବଶ୍ୟ ତାର ଅଧିକାର ଅନ୍ତର୍ଗତ । କିନ୍ତୁ ସେହି ଅଧିକାର ବଳରେ ତାକୁ ସେ ପୂରାଭାବରେ ରକ୍ଷାକରି ପାରୁଛି କି ? ବିବାହ ବିଷୟରେ ତାର ଯେଉଁ ଅଧିକାର ଅଛି ତାହା ତେତେ କାର୍ଯ୍ୟକାରୀ ନୁହେଁ, ବିଧବା ନାରୀର ପୁନର୍ବିବାହ, ବୟସ୍କା ଅବିବାହିତା କୁମାରୀର ବିବାହ ତାଙ୍କର ଅଧିକାର ଭିତରେ ହେଲେ ମଧ୍ୟ ସାମାଜିକ ପରିସ୍ଥିତି ତାକୁ ପ୍ରାୟ ସେଥିରୁ ବଞ୍ଚିତ କରି ରଖିଛି । ଗୋଟିଏ ନୁହେଁ, ଦୁଇଟି ନୁହେଁ, ସମାଜର ଅନେକ ଗୁଡ଼ିଏ ନାରୀମାନଙ୍କର ଅସୁବିଧା ପୂରି ରହିଛି । ଏ ସବୁ ଯେତେଦିନ ପର୍ଯ୍ୟନ୍ତ ଦୂର ନ ହୋଇଛି ସେତେଦିନ ପର୍ଯ୍ୟନ୍ତ ନାରୀଜାତି କିପରି ବା ମୁଣ୍ଡଟେକି ଛିଡ଼ା ହେବ ?

 

ରାଜନୈତିକ ଅଧିକାର ନେଇ କଣବୋଲି ବର୍ଣ୍ଣିବୁଁ ? ପ୍ରତ୍ୟେକ ସ୍ୱାଧୀନ ଦେଶରେ ପ୍ରତ୍ୟେକ ନାଗରିକର ଲେଖିବା, କହିବା, ବ୍ୟାଖ୍ୟାନ କରିବା ସଭାସମିତି ଓ ପ୍ରଚାରାଦି କରିବା କାଗଜରେ ପ୍ରଚାର କରିବା ବିଷୟରେ ଅଧିକାର ଅଛି । କିନ୍ତୁ ଏହି ପରାଧୀନ ଭାରତରେ ଏଥିରୁ କେତେ ଅଧିକାର ସରକାରୀ କାଗଜ ପତ୍ରରେ ଲିପିବଦ୍ଧଥିଲେ ହେଁ ସ୍ୱଚ୍ଛନ୍ଦଭାବରେ ସେଗୁଡ଼ିକ କାର୍ଯ୍ୟକାରୀ ହେଉଥିବାର ଦେଖୁନାହିଁ ଏବଂ ସେପରି ସୁବିଧା ମଧ୍ୟ ନାହିଁ । କି ପୁରୁଷ କି ନାରୀ ସମସ୍ତଙ୍କ ଅବସ୍ଥା ଏକା ଧରଣର । ଅତଏବ ନାରୀମାନଙ୍କର ସୁବିଧାରେ ଯେ କୌଣସି ବିଶିଷ୍ଟତା ଅଛି, ଏହା କୁହାଯାଇ ନ ପାରେ । ଜାତି ସ୍ୱତନ୍ତ୍ରତା ନ ଲଭିଲା ପର୍ଯ୍ୟନ୍ତ ଏପରି ଅସୁବିଧା ରହିଥିବ ।

 

ପ୍ରାଚୀନ ହିନ୍ଦୁଧର୍ମ ଗ୍ରନ୍ଥ ଆଲୋଚନା କଲେ ଆମ୍ଭେମାନେ ଦେଖିବାକୁ ପାଉଁ ନାରୀମାନଙ୍କର ଅଧିକାର ସମ୍ବନ୍ଧରେ ସେଥିରେ ସେତେ ଅନୁଦାର ବ୍ୟବସ୍ଥା ନାହିଁ । ତେବେ ପୂର୍ବେ ଶାସ୍ତ୍ରର ଅବସ୍ଥା ଯାହା ଥିଲା ବର୍ତ୍ତମାନ ତାହା ନାହିଁ । ଧର୍ମ ପଣ୍ଡାମାନଙ୍କର ଖାମଖିଆଲି ଅନୁସାରେ ତାର ପରିବର୍ତ୍ତନ ଯଥେଚ୍ଛା ଭାବରେ ହୋଇ ଯାଇଛି । ବର୍ତ୍ତମାନ ଭାରତରେ ଇଂରେଜରାଜତ୍ୱରେ ଯେଉଁ ସବୁ ଆଇନ କାନୁନ୍ ତିଆରି ହୋଇଛି ସେ ସବୁ କେତେକ ରକ୍ଷଣଶୀଳ ପଣ୍ଡିତମାନଙ୍କର ଟୀକା ଟିପ୍ପଣୀ ଉପରେ ପ୍ରାୟ ନିର୍ଭର କରିଛି ବୋଲି ଅନେକ ଆଇନଜ୍ଞମାନଙ୍କର ମତ । ୧୮୫୬ରେ ବିଧବାବିବାହ ଆଇନ୍ ପାସ୍‌ ହେଲା ଏବଂ ତା ପରେ ହିନ୍ଦୁନାରୀମାନଙ୍କର କେତେକ ଅଧିକାର ନେଇ ମଧ୍ୟ ବ୍ୟବସ୍ଥା କରାଗଲା କିନ୍ତୁ ସେ ମଧ୍ୟରୁ ଅଧିକାଂଶ ଏତେ ଅନିଶ୍ଚିତ ଯେ ତାର ପ୍ରକୃତ ସ୍ୱରୂପ ଠିକ୍ କରିବା ଆଜି ପର୍ଯ୍ୟନ୍ତ ସୁବିଧାଜନକ ହୋଇ ପାରିନାହିଁ । ଆଜିକାଲି ହିନ୍ଦୁ ଆଇନରେ ‘‘ବିଧବାର ସମ୍ପତ୍ତି’’ ବୋଲି ଯେଉଁ ପରିଚ୍ଛେଦଟି ଦେଖିବାକୁ ମିଳେ ସେଥିରେ ଏତେ ତ୍ରୁଟି ରହିଛି ଯେ ଆମୂଳଚୂଳ ପରିବର୍ତ୍ତନ ଏକାନ୍ତ ଆବଶ୍ୟକ ।

 

୧୯୨୩ ସାଲର Restitution of Conjugal Rights ନାମକ ଯେଉଁ ଆଇନଟି ପାସ୍‌ ହୋଇଛି ତାହାଦ୍ୱାରା ନାରୀମାନଙ୍କର ସୁବିଧା ମିଳୁଛି, ତାହା ଅପେକ୍ଷା ଅସୁବିଧା ଖୁବ୍ ବେଶି ହୋଇ ପଡ଼ିଛି । ୧୯୨୯ର ସମ୍ପତ୍ତି ବିଷୟକ ଆଇନର ସଂଶୋଧନ ଫଳରେ ଭଉଣୀ ନାତୁଣୀ ପ୍ରଭୃତି ଉତ୍ତରାଧିକାରିଣୀ ମାନଙ୍କର ଅଧିକାର ସମ୍ବନ୍ଧରେ ଯେଉଁ ସବୁ ବ୍ୟବସ୍ଥା ହୋଇଛି ତାହା ତେତେ ଦୃଢ଼ ନୁହେଁ । Child marriage Restraint Act ବା ଶାରଦା ଆଇନ ସହବାସ ସମ୍ପତ୍ତି ଆଇନ ବା Age of Consent Bill ଦ୍ୱାରା ମହିଳାଙ୍କର ଅଧିକାର ସମ୍ବନ୍ଧରେ କେତେକ ବ୍ୟବସ୍ଥା ହୋଇଛି ସତ୍ୟ କିନ୍ତୁ କାର୍ଯ୍ୟତଃ ତାହାର ଆଜି ପର୍ଯ୍ୟନ୍ତ ବିଶେଷ ଭାବରେ କିଛି ଜଣା ପଡ଼ିନାହିଁ ।

 

ଭାରତୀୟ ହିନ୍ଦୁସମାଜର ନାରୀମାନଙ୍କର ଅଧିକାର ସମ୍ବନ୍ଧରେ ଆଲୋଚନା କଲେ ଜଣାଯାଏ ଯେ ଭାରତର ଭିନ୍ନ ଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ ବ୍ୟବସ୍ଥା ରହିଛି । ପ୍ରାଚୀନ ହିନ୍ଦୁ ଆଇନ ମିତାକ୍ଷରା ଓ ଦାୟଭାଗ ଏହି ଦୁଇଭାଗରେ ପ୍ରଚଳିତ ଥିବାର ଦେଖାଯାଏ । ବଙ୍ଗଦେଶରେ ଦାୟଭାଗ ଓ ଅନ୍ୟାନ୍ୟ ପ୍ରଦେଶରେ ମିତାକ୍ଷରା ପ୍ରଚଳିତ ଅଛି । ଏହାଛଡ଼ା ଭିନ୍ନ ଭିନ୍ନ ଜାତିର ରୀତିନୀତି ଆଚାର ବ୍ୟବହାର ଭେଦରେ ମଧ୍ୟ ଆଇନର ବିଭିନ୍ନତା ଦେଖାଯାଏ । ସେ ଯେଉଁ ପନ୍ଥାହେଉ ନାରୀମାନଙ୍କର ସମ୍ପତ୍ତି ଅଧିକାର ସମ୍ବନ୍ଧରେ ମତଭେଦ ଖୁବ୍ କମ । ସବୁ ସ୍ଥାନରେ ସମ୍ପତ୍ତି ଅଧିକାର ସମ୍ବନ୍ଧରେ ମତଭେଦ ଖୁବ୍ କମ । ସବୁ ସ୍ଥାନରେ ସମ୍ପତ୍ତି ଉପରେ ନାରୀଙ୍କର ଅଧିକାର ନାହିଁ କହିଲେ ଚଳେ । ଅବଶ୍ୟ ଯାହାକୁ ସ୍ତ୍ରୀଧନ ବୋଲି କହନ୍ତି କିମ୍ବା ଉତ୍ତରାଧିକାରୀ ସୂତ୍ରରେ ଯେଉଁ ସମ୍ପତ୍ତି ମିଳେ, ତା ଉପରେ ମଧ୍ୟ ସ୍ତ୍ରୀମାନଙ୍କର ପୂର୍ଣ୍ଣ ଅଧିକାର ନାହିଁ । କେତେକ ପ୍ରକାର ସ୍ତ୍ରୀଧନ ଅଛି, ଯାହା ଉପରେ ତାର ପୂର୍ଣ୍ଣ ଅଧିକାର ଅଛି ସେ ତାକୁ ବିକ୍ରି କରି ପାରିବ, ବା ଦାନ କରି ପାରିବ ଅବା ତାର ଇଚ୍ଛାନୁଯାୟୀ ବ୍ୟବହାର କରି ପାରିବ । ଆଉ କେତେ ପ୍ରକାର ସ୍ତ୍ରୀଧନ ଅଛି, ଯାହା ଉପରେ ତାର ପୂର୍ଣ୍ଣ ଅଧିକାର ନାହିଁ । ଏପରି ମଧ୍ୟ ଆଇନ ଅଛି ଯେ, ସ୍ୱୋପାର୍ଜିତ ଅର୍ଥରେ ସୁଧା କେତେକ ସ୍ଥଳରେ ସ୍ୱାମୀର ସ୍ୱୀକୃତି ବିନା ସ୍ତ୍ରୀ ନିଜେ ତାର ଇଚ୍ଛାନୁଯାୟୀ ବ୍ୟବହାର କରି ପାରିବ ନାହିଁ । କିନ୍ତୁ ପୁରୁଷମାନଙ୍କ ପକ୍ଷରେ ଏପରି ନୁହେଁ । ସେମାନେ ତାର ପୂର୍ଣ୍ଣ ମାଲିକ । ଯଦି କୌଣସି ବ୍ୟକ୍ତି ପୁତ୍ରହୀନ ହୋଇ ମରିଯାଏ ଏବଂ ସେ ପରିବାର ଯଦି ସଂପୃକ୍ତ-ପରିବାର ହୋଇଥାଏ ତେବେ ସ୍ୱାମୀ ସମ୍ପତ୍ତି ଉପରେ ବିଧବା ନାରୀର ଅଧିକାର ନାହିଁ, କେବଳ ଭରଣ ପୋଷଣ ପାଇଁ ସେ ଯାହା କିଛି ସାହାଯ୍ୟ ପାଇବ । ପରିବାର ସଂପୃକ୍ତ-ପରିବାର ନ ହୋଇଥିଲେ ସୁଦ୍ଧା ସ୍ୱାମୀର ସମ୍ପତ୍ତିରେ ବିଧବାର କ୍ଷମତା ପୂର୍ଣ୍ଣ ନୁହେଁ । ତାକୁ କେତେ ଗୁଡ଼ିଏ ନିୟମ ମାନି ଚଳିବାକୁ ହବ । ଏପରି କି ନିଜ ଇଚ୍ଛାନୁସାରେ ସୁଦ୍ଧା ପୋଷ୍ୟପୁତ୍ର କରି ପାରିବ ନାହିଁ-

 

ଦାୟଭାଗ ଆଇନ ଅନୁସାରେ ବଙ୍ଗଦେଶରେ ନାରୀମାନଙ୍କର ସମ୍ପତ୍ତି ଉପରେ ଅଧିକାର ଅନ୍ୟାନ୍ୟ ପ୍ରଦେଶ ଅପେକ୍ଷା ବେଶି ଥିଲାପରି ଜଣାଯାଏ । ସ୍ୱାମୀର ମୃତ୍ୟୁ ପରେ ଯୌଥ ପରିବାରର ବିଧବା ଅନ୍ୟାନ୍ୟ ଅଂଶୀଦାରଙ୍କ ତୁଲ୍ୟ ଭାଗ ପାଇବାର ତାର ଅଧିକାର ଅଛି ।

 

ସମ୍ପତ୍ତି ଅଧିକାର ବିଷୟରେ ବିସ୍ତୃତ ଭାବରେ ଆଲୋଚନା କଲେ ଜଣାଯାଏ ନାରୀମାନଙ୍କର ଅବସ୍ଥା ବଡ଼ ଶୋଚନୀୟ । ଯେଉଁ ଅଧିକାରଟିକ ଅଛି, ତାହା ପ୍ରକୃତରେ କିଛି ନୁହେଁ କହିଲେ ଚଳେ । ସେ ସବୁଦିନେ ପରାଧୀନତାର ଦାସୀ । ବାଲ୍ୟାବସ୍ଥାରେ ପିତାମାତାଙ୍କର, ଯୌବନାବସ୍ଥାରେ ପତିର ଓ ପ୍ରୌଢ଼ାବସ୍ଥାରେ ପୁତ୍ର ଅଧୀନରେ ତାକୁ ରହିବାକୁ ପଡ଼ୁଛି । ଜନ୍ମ ଠାରୁ ମୃତ୍ୟୁ ଯାଏ ସେ ଅଧୀନତାରେ ଜୀବନ କାଟୁଛି ।

 

ବିବାହ ବିଷୟରେ ମଧ୍ୟ ସେହିପରି । ବିବାହରେ ବାଳିକାର ମତାମତ ପ୍ରତି ଆଇନ ଉପେକ୍ଷା କରିଅଛି । ସେ ପିତାର ସମ୍ପତ୍ତି ଛଡ଼ା ଆଉ କିଛି ନୁହେଁ । ବିବାହ ପରେ ସେ ଯୁପବଦ୍ଧ ପଶୁ ତୁଲ୍ୟ ସ୍ୱାମୀ ଏବଂ ସ୍ୱାମୀର ପରିବାର କର୍ତ୍ତୃକ ବ୍ୟବହୃତ ହୋଇଥାଏ । ବିବାହିତା ବାଳିକାର ବର୍ତ୍ତମାନରେ ତାହାର ସ୍ୱାମୀ ଏକାଧିକ ପତ୍ନୀ ଗୃହକୁ ଆଣିପାରିବ ଇଚ୍ଛାମତେ ରକ୍ଷିତା ରଖି ପାରିବ-। ସେହି ରକ୍ଷିତା ଏବଂ ତାହାର ସନ୍ତାନମାନଙ୍କ ଦାୟିତ୍ୱ ମଧ୍ୟ ତାହା ଉପରେ, କିନ୍ତୁ ସ୍ତ୍ରୀର ସେ ସମ୍ବନ୍ଧରେ ପ୍ରତିବାଦ କରିବାର ଅଧିକାର ନାହିଁ । ସର୍ବାବସ୍ଥାରେ ଭରଣପୋଷଣପାଇଁ କେବଳ ସ୍ୱାମୀ ଦାୟୀ । ସ୍ୱାମୀ ସ୍ତ୍ରୀକୁ ପରିତ୍ୟାଗ କରିଦେବା ଅତି ସହଜ, କିନ୍ତୁ ଦୁଷ୍ଟଭ୍ରଷ୍ଟ ପତିକୁ ପତ୍ନୀର ତ୍ୟାଗ କରିବା ଅଧିକାର ଆଇନରେ ନାହିଁ । ଆଇନରେ ଯେ ଘୋର ବୈଷମ୍ୟ ତାହା ଦୂର ନ କଲେ ନାରୀର ନାରୀତ୍ୱ ଫୁଟି ଉଠିବା ସମ୍ଭବପର ନୁହେଁ । ତାର ଦାବୀକୁ ନାନା ମନଗଢ଼ା ନୀତିରେ ଓ ଆଇନ କବଜାରେ ବନ୍ଦ କରି ରଖି ନାରୀକୁ ଆଜି ହିନ୍ଦୁଜାତି ଯେ ଘୋର ଅସମ୍ମାନ ଓ ଅପମାନ କରିଛି, ତାର ତୁଳନା ପୃଥିବୀରେ ଅନ୍ୟାନ୍ୟ ସଭ୍ୟ ଦେଶମାନଙ୍କରେ କେଉଁଠି ଅଛି କି ?

 

ସାଧାରଣତଃ ନିମ୍ନଲିଖିତ ଆଇନଗତ ଅସୁବିଧା ଗୁଡ଼ିକ ଦେଖିବାକୁ ମିଳେ ।

 

(୧)

ବାଲ୍ୟାବସ୍ଥାରେ ବିଭା ହେବା ପୂର୍ବରୁ କନ୍ୟାର ପିତୃ ସମ୍ପତ୍ତି ଉପରେ କେତେକ ଅଧିକାର ଅଛି । ଯଦି ସେ ଆଜୀବନ ଅବିବାହିତା ରହେ, ତେବେ ପିତୃ ସମ୍ପତ୍ତିରେ ଭ୍ରାତାଗଣଙ୍କ ତୁଲ୍ୟ ତାର ଅଧିକାର ନାହିଁ ।

(୨)

ପତି ସମ୍ପତ୍ତିରେ, ପତିର ବର୍ତ୍ତମାନତାରେ ସ୍ତ୍ରୀର କୌଣସି ଅଧିକାର ନାହିଁ । କେବଳ ସ୍ୱାମୀର ଦୁର୍ବ୍ୟବହାରରେ ଯେତେବେଳେ ତାର ଜୀବନ ସଙ୍କଟାପନ୍ନ ସେତେବେଳେ ସେ ନିଜର ଭରଣ ପୋଷଣ ପାଇଁ ଯାହା କିଛି ପାଇବ । ସ୍ୱାମୀର ମୃତ୍ୟୁ ପରେ ଯୌଥପରିବାରରେ ଖୋରାକୀ ପୋଷାକୀ ଛଡ଼ା ସ୍ୱାମୀର ସମ୍ପତ୍ତିରେ ବିଧବା ସ୍ତ୍ରୀର କୌଣସି ଅଧିକାର ନାହିଁ । ଯେଉଁଠାରେ ଯୌଥ ପରିବାର ହୋଇ ନ ଥିବ, ସେଠାରେ ସ୍ୱାମୀ ସମ୍ପତ୍ତିରେ ବିଧବାର ପୂର୍ଣ୍ଣ ଅଧିକାର ନାହିଁ । ଅପୁତ୍ରିକ ବିଧବାର ପୋଷ୍ୟପୁତ୍ର ନିଜ ଇଚ୍ଛାନୁସାରେ ଗ୍ରହଣ କରିବାର ବିଧାନ ନାହିଁ ।

(୩)

ଦାମ୍ପତ୍ୟ ଜୀବନରେ ସ୍ୱାମୀର ଯେତେ ଅଧିକାର ସ୍ତ୍ରୀର ତାହା ନାହିଁ । ଜଣେ ହିନ୍ଦୁ ତାର ଏକ କିମ୍ବା ତତୋଧିକ ସ୍ତ୍ରୀ ବର୍ତ୍ତମାନରେ ଏକ ବା ତତୋଧିକ ସ୍ତ୍ରୀ ବିବାହ କରିପାରେ, କିନ୍ତୁ ସ୍ତ୍ରୀ ସ୍ୱାମୀର ଜୀବିତାବସ୍ଥାରେ ଯଦି ବିବାହ ବିଚ୍ଛେଦ ଘଟି ନ ଥାଏ, ତେବେ ଆଉ ଜଣେ ପୁରୁଷକୁ ବିବାହ କରି ପାରିବ ନାହିଁ । ଅବଶ୍ୟ ବିଧବା ସ୍ତ୍ରୀର ପୁନର୍ବିବାହ ପାଇଁ ଆଇନରେ ବ୍ୟବସ୍ଥା ଅଛି ।

(୪)

ସ୍ତ୍ରୀର ପ୍ରଧାନ କର୍ତ୍ତବ୍ୟ (ହିନ୍ଦୁ ଆଇନ ଅନୁସାରେ) ହେଉଛି ସ୍ୱାମୀର ଆଦେଶ ପୂର୍ଣ୍ଣରୂପେ ପାଳନ କରିବା ଏବଂ ତାର ଆଶ୍ରୟରେ ଜୀବନ ଯାପନ କରିବା । ଯଦି ସ୍ୱାମୀର ଦୁର୍ବ୍ୟବହାର ଦେଖାଯାଏ କିମ୍ବା ତାକୁ ଗୃହରେ ରଖିବାପାଇଁ ସ୍ୱାମୀର ଇଚ୍ଛା ନ ଥାଏ କିମ୍ବା ଅନ୍ୟ କୌଣସି ଉପଯୁକ୍ତ କାରଣରୁ ସେ ସ୍ୱାମୀ ସଙ୍ଗେ ରହିବା ନିରାପଦ ମନେ କରେ ତେବେ ସେ ଭରଣ ପୋଷଣ କିମ୍ବା ସ୍ୱତନ୍ତ୍ର ଘର ସ୍ୱାମୀଠାରୁ ଦାବୀ କରିପାରିବ, ତା ନ ହେଲେ ନାହିଁ । ସ୍ୱାମୀର ନିର୍ଦ୍ଦୟତା ଯଦି ଦୌରାତ୍ମ୍ୟରେ ପରିଣତ ନ ହୁଏ, ଏହି କାରଣରୁ କିମ୍ବା ସାଧାରଣ ମନୋମାଳିନ୍ୟ ହେତୁ କିମ୍ବା ସ୍ୱାମୀର ଦ୍ୱିତୀୟ ସ୍ତ୍ରୀ ପରିଗ୍ରହ ଯୋଗୁଁ ସ୍ତ୍ରୀ ସ୍ୱାମୀଠାରୁ ସ୍ୱତନ୍ତ୍ରଭାବରେ ରହି ପାରିବ ନାହିଁ । ଯଦି ଘରେ ସ୍ୱାମୀ ଜଣେ ରକ୍ଷିତା ରଖେ କିମ୍ବା ତାର ଜୀବନକୁ ଆଶଙ୍କା ହେଲା ଭଳି ମନ୍ଦ ବ୍ୟବହାର କରେ ତେବେ ଯାଇଁ ସେ ସ୍ୱାମୀଠାରୁ ସ୍ୱତନ୍ତ୍ର ଭାବରେ ରହିପାରେ ଏବଂ ଭରଣ ପୋଷଣ ଦାବୀ କରିପାରେ ।

(୫)

ଯେଉଁ ସ୍ତ୍ରୀ ଓ ପୁରୁଷଙ୍କ ଦାମ୍ପତ୍ୟ ବନ୍ଧନ ଦୃଢ଼ ନୁହେଁ ଏବଂ ମନାନ୍ତର ମତାନ୍ତର କଳହ ଓ ପରସ୍ପର ପ୍ରତି ଅବିଚାର ଅତ୍ୟାଚାର ଲାଗିଥାଏ, ସେହି ସ୍ଥଳରେ ବିବାହ ବିଚ୍ଛେଦର ସମ୍ମତି ଆଇନରେ ନାହିଁ । ଏହା ହେବା ଉଚିତ୍ । ଆଇନରେ ବିବାହ ବିଚ୍ଛେଦ ଆହୁରି ପରିଷ୍କାର ଓ ସରଳ ସହଜ ହେବା ମଧ୍ୟ ଉଚିତ୍ ।

(୬)

ସବୁ ରକମର ସ୍ତ୍ରୀଧନ ଉପରେ ମଧ୍ୟ ତାର ପୂରା ଅଧିକାର ନାହିଁ । ମୋଟାମୋଟି ଆଇନରେ ଏହିପରି ସବୁ ନିୟମ ଅଛି । ସମାଜର ଅବସ୍ଥା ସବୁବେଳେ ପରିବର୍ତ୍ତନଶୀଳ । ଅବସ୍ଥାକୁ ଚାହିଁ ଉପଯୁକ୍ତ ବ୍ୟବସ୍ଥା କରିବା ହେଉଛି ବୁଦ୍ଧିମାନର କାର୍ଯ୍ୟ । ପୂର୍ବରେ ଯାହାଥିଲା, ଏବଂ ଯାହା ବର୍ତ୍ତମାନ ଚଳି ଆସୁଛି ତାହା ଆଧୁନିକ ଯୁଗର ରୀତିକି ଚାହିଁ ପରିବର୍ତ୍ତନ କରିବାକୁ ହେବ । ଏପରି ନ ହେଲେ ସମାଜର ଅବସ୍ଥା ନିତାନ୍ତ ଶୋଚନୀୟ ହୋଇ ପଡ଼ିଥିବ । ଦେଶର ସରକାର ଓ ବ୍ୟବସ୍ଥାପକମାନେ ଏ ସମ୍ବନ୍ଧରେ ଯତ୍ନବାନ ହେବା ଉଚିତ ।

 

ଉତ୍କଳ ବିଧବାଙ୍କ ସମସ୍ୟା ଅନ୍ୟାନ୍ୟ ପ୍ରଦେଶର ବିଧବାମାନଙ୍କ ଅପେକ୍ଷା କୌଣସି ଅଂଶରେ ସହଜ ନୁହେଁ । ବାଲ୍ୟ ବିବାହର ବହୁଳ ପ୍ରଚାର ଯୋଗୁଁ ଦେଶର ସହସ୍ର ସହସ୍ର ବିଧବାମାନଙ୍କର ଜୀବନ ଯନ୍ତ୍ରଣାରେ କଟୁଛି । କେବଳ ପୁରୀ, କଟକ, ବାଲେଶ୍ୱର, ଏ ତିନି ଜିଲ୍ଲାରେ ହିନ୍ଦୁ ମୁସଲମାନ ଏ ଦୁଇଜାତିର ପ୍ରତ୍ୟେକ ହଜାର ନାରୀଙ୍କ ଭିତରେ ୪୯୭ ବିବାହିତା ଏବଂ ୨୨୪ ଜଣ ବିଧବା । ଅର୍ଥାତ୍ ସମଗ୍ର ନାରୀ ସଂଖ୍ୟାର ପ୍ରାୟ ଏକଚତୁର୍ଥାଂଶ ବା ବିବାହିତାମାନଙ୍କ ଭିତରୁ ଅଧେ ବିଧବା ।

 

୫ବର୍ଷ, ୧୦ ବର୍ଷର ବିଧବା ବାଳିକାଙ୍କ ସଂଖ୍ୟା ଦେଖିଲେ ଆଶ୍ଚର୍ଯ୍ୟ ନ ହୋଇ ରହିପାରିବ ନାହିଁ । ୪୦ ବର୍ଷଠାରୁ ଉର୍ଦ୍ଧ୍ୱ ବୟସର ନାରୀମାନଙ୍କର ଅବସ୍ଥା କହିଲେ ନ ସରେ । ପ୍ରତ୍ୟେକ ହଜାର ନାରୀଙ୍କ ମଧ୍ୟରୁ ୬୭୪ ଜଣ ବିଧବା । ଉପରଲିଖିତ ହିସାବରୁ ଉତ୍କଳର ବିଧବାଙ୍କ ସମ୍ବନ୍ଧରେ ଗୋଟିଏ ଉପଯୁକ୍ତ ଧାରଣାକରି ହେବ ।

Image

 

ବୈବାହିକ ଅତ୍ୟାଚାର

 

ଭାରତୀୟ ବିବାହ ପ୍ରଥାରେ ନାନାରକମର ଅତ୍ୟାଚାର ପୂରି ରହିଛି । ବୃଦ୍ଧବିବାହ ବାଲ୍ୟବିବାହ ଓ ଅସମାନ ବିବାହ ପ୍ରଭୃତି ଅନେକ ବୈବାହିକ ଅତ୍ୟାଚାର ସମାଜକୁ ଧ୍ୱଂସକରି ସାରିଲାଣି । ଏହି ଅତ୍ୟାଚାର ଗୁଡ଼ିକ ଶୀଘ୍ର ପ୍ରତିକାର ନ ହେବା ପର୍ଯ୍ୟନ୍ତ ସମାଜର ମଙ୍ଗଳ ଅସମ୍ଭବ-

ବୃଦ୍ଧ ବିବାହ-ବୃଦ୍ଧବିବାହ ଗୋଟିଏ ବିଷବୃକ୍ଷ ତୁଲ୍ୟ । ବୃଦ୍ଧବିବାହର ବିଷମୟ ଦୃଷ୍ଟାନ୍ତ ଆମ ସମାଜର ସବୁସ୍ଥଳରେ ଦେଖିବାକୁ ମିଳେ । ଷାଠିଏ ସତୁରି ବର୍ଷର ବୃଦ୍ଧମାନେ ଯେ ନିଜର ନାତୁଣୀ ପଣନାତୁଣୀ ବୟସର କୁମାରୀଙ୍କୁ ସଉଖରେ ବିବାହ ହୁଅନ୍ତି ଓ ସମାଜ ଏଥିରେ ବାଧା ଜନ୍ମାଇ ପାରେ ନାହିଁ ଏହା ବିସ୍ମୟଜନକ । ବୃଦ୍ଧବିବାହ କେବଳ ଯେ ଅମାନୁଷିକ ବିଷୟ ଏହା ନୁହେଁ, ପୈଶାଚିକ ମଧ୍ୟ ।

ଅସମ୍ମାନ ବିବାହ-ହିନ୍ଦୁ ସମାଜରେ ଆଉ ଏକ କଳଙ୍କ ହେଉଛି ବହୁ ସନ୍ତାନବାନ ବୟସ୍କ ପୁରୁଷ ସହିତ ଅଳ୍ପବୟସ୍କା କୁମାରୀର ବିବାହ, ଏହି ବିବାହଦ୍ୱାରା ନା ଘରେ ନା ବାହାରେ କେଉଁଠାରେ ଶାନ୍ତି ରହେ ନାହିଁ । ସ୍ତ୍ରୀର ଦୁଃଖ, ବିରକ୍ତି ଓ ଅଶାନ୍ତି ବଢ଼ୁଥିବା ସଙ୍ଗେ ସଙ୍ଗେ ବିମାତାଙ୍କ ଦାଉରେ ସନ୍ତାନମାନଙ୍କର ମାନସିକ ଓ ସେଥିପାଇଁ ଶାରୀରିକ ଦୁର୍ଗତି ଘଟିଥାଏ । ସପତ୍ନୀ ସନ୍ତାନମାନେ ଯଦି ଦୈବକୃପାରୁ ଭାଗ୍ୟବାନ ହୋଇ ଜନ୍ମିଥାନ୍ତି, ତେବେ ବିମାତାର ଜ୍ୱାଳାରେ ଯେତେ ଯନ୍ତ୍ରଣା ପାଆନ୍ତୁ ନା କିଆଁ ପିତୃସ୍ନେହ ଓ ସହାନୁଭୂତିରୁ ବଞ୍ଚିତ ହୁଅନ୍ତି ନାହିଁ । ନଚେତ୍ ସାଧାରଣତଃ ଏହି ସନ୍ତାନମାନଙ୍କ ପିତା ପ୍ରାୟ ସେହି ଦୁର୍ଭାଗ୍ୟବାନ ସନ୍ତାନମାନଙ୍କ ପ୍ରତି ଯଥେଷ୍ଟ ଅକ୍ଷମଣୀୟ ଉଦାସୀନତା ଦେଖାଇଥାନ୍ତି ପୁଣି ପ୍ରକାରାନ୍ତରେ ପଛରେ ବିବାହ କରିଥିବା ପତ୍ନୀର ସନ୍ତାନଗଣଙ୍କୁ ଦ୍ୱିଗୁଣ ଭାବରେ ସ୍ନେହ କରିଥାନ୍ତି । ଏହିପରି ବିବାହର ଫଳ ସ୍ୱରୂପ ଏପରି ଦୃଷ୍ଟାନ୍ତମାନ ବିରଳ ନୁହେଁ ଯେ ନିଜର ପ୍ରଥମ ପତ୍ନୀର ପୁତ୍ରକୁ ପିତା ପୁତ୍ରରନ୍ୟାଯ୍ୟ ଓ ଧର୍ମ୍ମସଙ୍ଗତ ସମ୍ପତ୍ତିର ଦାବୀରୁ ବଞ୍ଚିତ କରି ଗୃହବିତାଡ଼ିତ କରିଦେଇ ଦ୍ୱିତୀୟା ବା ତୃତୀୟା ପତ୍ନୀଙ୍କପ୍ରତି ଓ ସେମାନଙ୍କର ସନ୍ତାନପ୍ରତି କର୍ତ୍ତବ୍ୟ ପାଳନର ପରାକାଷ୍ଠା ଦେଖାଇ ଥାନ୍ତି । ପୁଣି ଏହିପରି ବିବାହ ଦ୍ୱାରା ଅନେକ ଶାନ୍ତିମୟ ପରିବାରରେ କଳହ, ହିଂସା, ଓ ଦ୍ୱେଷର ଅଗ୍ନିଦାହ ହୋଇ ଗୃହନଷ୍ଟ ହୋଇଥାଏ । ପରିବାର ଏବଂ ସନ୍ତାନମାନଙ୍କ ଅହିତଦୃଷ୍ଟିରୁ କେବଳ ନୁହେଁ, ଦ୍ୱିତୀୟ ପତ୍ନୀଙ୍କର ମାନସୀକ ଶାନ୍ତି ଦୃଷ୍ଟିରୁ ମଧ୍ୟ ଏହି ବିବାହ ନିନ୍ଦନୀୟ ।

ଆମ୍ଭମାନଙ୍କର ହିନ୍ଦୁ ସମାଜରେ ଆଉ ଗୋଟିଏ କଳଙ୍କ ହେଉଛି ପାତ୍ର ପାତ୍ରୀଙ୍କର ପ୍ରକୃତିଗତ ଓ ଶାରିରୀକ ଅସାମ୍ୟତା । ସେଥିପାଇଁ ଦାମ୍ପତ୍ୟ ଜୀବନରେ ଯେ ବହୁ ସଂଖ୍ୟକ ଯୁବକ ଯୁବତୀ ଅଶାନ୍ତି ଭୋଗ କରି କାଳ କାଟନ୍ତି, ଏକଥା ଗୋଟିଏ ଖୋଲାସତ କଥା । ଦୃଷ୍ଟାନ୍ତ ସ୍ୱରୂପ କୁହାଯାଇ ପାରେ ଯେ ଜଣେ ଉଚ୍ଚ ଶିକ୍ଷିତଯୁବକ ସହିତ ଯଦି ଗୋଟିଏ ଅଶିକ୍ଷିତା ନିର୍ବୋଧ କୁମାରୀର ବିବାହ ଘଟେ କିମ୍ବା ଜଣେ ସୁଶିକ୍ଷିତା ବୁଦ୍ଧିମତୀ ଯୁବତୀ କୁମାରୀ ସହିତ ଯଦି ଜଣେ ନିର୍ବୋଧ ମୂର୍ଖର ବିବାହ ଘଟେ, ତେବେ ଏହି ସ୍ଥଳରେ ଦାମ୍ପତ୍ୟ ଜୀବନରେ ସୁଖଶାନ୍ତି ଓ ଆନନ୍ଦ ସମ୍ଭବପର ହୋଇ ନ ପାରେ । ସୁଖ ଶାନ୍ତିର ଅଭିନୟ ତ ସୁଖ ନୁହେଁ, ପ୍ରକୃତରେ ଯାହା ଅନ୍ତଃପୁରରେ ଅନୁଭବ କରିଥାନ୍ତି । ତାହାକୁ ଘେନି ବିଚାର କଲେ ଜଣାପଡ଼େ ଅସମାନ ବିବାହରେ ଗୃହରେ ସ୍ୱାମୀ ସ୍ତ୍ରୀ କେହି ସୁଖି ହୋଇ ପାରନ୍ତି ନାହିଁ । ତାହା ଛଡ଼ା ସ୍ୱାସ୍ଥ୍ୟ, ସଂସ୍କାର, ଶିକ୍ଷା, ଦୀକ୍ଷା, ବୟସ, ଆକୃତି, ପ୍ରକୃତି ପ୍ରଭୃତିରେ ସାଧାରଣ ଭାବରେ ସାମଞ୍ଜସ୍ୟ ନ ଥିଲେ ମଧ୍ୟ ବିବାହିତ ଦାମ୍ପତ୍ୟ ଜୀବନର କଟୁତିକ୍ତ ରସ ଉଣା ଅଧିକେ ଏହି କ୍ଷେତ୍ରରେ ଆସିଥିବା ବ୍ୟକ୍ତିମାନେ ଓ ବିଶେଷତଃ ନାରୀମାନେ ବିଶେଷ କରି ଅନୁଭବ କରିଥାନ୍ତି ।

ଭାରତ ହିନ୍ଦୁ ସମାଜରେ ଯେ କନ୍ୟାଶୁଳ୍କ ଓ ବରପଣ ପ୍ରଥା ରହିଛି ତାହାଦ୍ୱାରା ପବିତ୍ରତା ଓ ସଦ୍‌ଭାବାଦି ରହେ ନାହିଁ । ଏକଥା ସମସ୍ତ; ଜାଣନ୍ତି, ସମାଜରେ ବ୍ରାହ୍ମଣ ଏବଂ କେତେ ଜାତି ପାଟକରେ ଟଙ୍କା ଅଭାବରୁ ଅନେକ ଯୁବକ ଅବିବାହିତ ରହିଯାନ୍ତି କିମ୍ବା ପ୍ରୋଢ଼ ବୟସରେ ବିବାହ କରିଥାନ୍ତି । ଏହି କ୍ଷେତ୍ରରେ କନ୍ୟାର ପିତା ଯେପରି କନ୍ୟାକୁ ନେଇ ଦର କଷାକଷିର ବାଣିଜ୍ୟ ବ୍ୟବସାୟ ଖୋଲିଥାନ୍ତି ତାହା ବଡ଼ ଲଜ୍ଜାର ବିଷୟ । ଏହି କାରଣରୁ ମଧ୍ୟ ଅର୍ଥ ଲୋଭରେ ପିତା ବୃଦ୍ଧ ଜାମାତା ହସ୍ତରେ କନ୍ୟା ଅର୍ପଣ କରିଥାନ୍ତି । ଅନ୍ୟ କ୍ଷେତ୍ରରେ ବର ବଜାରରେ ଭାଉ ଚଢ଼ୁଥିବା ଯୋଗୁଁ ଯେ କୁମାରୀମାନଙ୍କୁ କେତେଦୂର ଲାଞ୍ଛନା ଓ ଅସମ୍ମାନ ସହ୍ୟକରି ଅପାତ୍ରରେ ଭାଗ୍ୟ ବିନିମୟ କରିବାକୁ ହେଉଛି, ତାହା ମଧ୍ୟ ସମସ୍ତେ ଅନୁଭବ କରୁଅଛନ୍ତି । ଏଥିରେ ହିନ୍ଦୁ ବିବାହର ଯେ ନିଷ୍ଠା ଓ ଧର୍ମ୍ମ, ତାହା ଲୋପ ପାଉ ନାହିଁ କି ? ଅସଂଖ୍ୟ କନ୍ୟାଙ୍କ ଜୀବନ ନୃଶଂସ ଭାବରେ ନଷ୍ଟ କରାଯାଉ ନାହିଁ କି ? ଏହି ବୈବାହିକ ଅନ୍ୟାଚାର ବିଲୋପ କରିବାପାଇଁ ପ୍ରତ୍ୟେକ ଦାୟୀ, ତାହା ନ ହେଲେ ସମାଜର ଗତି ନାହିଁ । ଏହି ଅତ୍ୟାଚାରର ଫଳରୁ ହିନ୍ଦୁଜାତି ଲୋପ ହେବାକୁ ବସିଲାଣି । ଏହି ଅତ୍ୟାଚାରରେ ନାରୀଜାତି ଉତ୍ପିଡ଼ୀତା ହେଉଛନ୍ତି କହିଲେ ଅତ୍ୟୁକ୍ତି ହେବନାହିଁ ।

 

ଭାରତୀୟ ସମାଜରେ ନାରୀ ସ୍ଥାନ ବହୁ ନିମ୍ନରେ ଉପନୀତ ହୋଇଥିବାରୁ ଏବଂ ସମାଜରେ ତାର ମୂଲ୍ୟ ହ୍ରାସ ଘଟିଥିବାରୁ ଏପରି ଅନ୍ୟାୟ ଘଟୁଅଛି । ନାରୀଶିକ୍ଷା ବହୁବିସ୍ତୃତ ନ ହେବାଯାଏ ଏବଂ ନାରୀଜାତିର ଅଯୌକ୍ତିକ ବନ୍ଧନ ମୋଚନ ନ ହେବା ଯାଏ, ତଥା ସନ୍ତାନ ଉପରେ ମାତାର ପିତା ତୁଲ୍ୟ କର୍ତ୍ତୃତ୍ୱ ନ ଆସିବାଯାଏ ସମାଜରେ ଏକତରଫା ଏହି ବରକନ୍ୟା ବଜାର ଖୋଲା ହୋଇ ବିକା କିଣା ଲାଗିଥିବ ଏବଂ ଅଶାନ୍ତି ବୃଦ୍ଧି ପାଉଥିବ ।

Image